ଇଷାଖରଙ୍କ ବଂଶଧର
1ଇଷାଖରର ପୁତ୍ରଗଣ; ତୋଲୟ, ପୂୟା, ଯାଶୂବ ଓ ଶିମ୍ରୋଣ, ଚାରି ଜଣ ଥିଲେ। 2ଆଉ ତୋଲୟର ପୁତ୍ରଗଣ; ଉଷି, ରଫାୟ, ଯିରୀୟେଲ, ଯହମୟ, ଯିବ୍ସମ୍ ଓ ଶେମୂୟେଲ, ଏମାନେ ଆପଣା ପିତା ତୋଲୟ-ବଂଶର ପ୍ରଧାନ ଓ ଆପଣାର ସମକାଳୀନ ଲୋକମାନଙ୍କ ମଧ୍ୟରେ ମହାବିକ୍ରମଶାଳୀ ଥିଲେ; ଦାଉଦଙ୍କ ସମୟରେ ଏମାନଙ୍କ ସଂଖ୍ୟା ବାଇଶ ହଜାର ଛଅ ଶହ ଥିଲା। 3ଆଉ ଉଷିର ପୁତ୍ରଗଣ; ଯିଷ୍ରାହୀୟ, ଯିଷ୍ରାହୀୟର ପୁତ୍ର ମୀଖାୟେଲ, ଓବଦୀୟ, ଯୋୟେଲ ଓ ଯିଶୀୟ, ପାଞ୍ଚ ଜଣ। ଏସମସ୍ତେ ପ୍ରଧାନ ଲୋକ ଥିଲେ। 4ଆଉ ଏମାନଙ୍କ ବର୍ତ୍ତମାନ କାଳରେ ସ୍ୱ ସ୍ୱ ପିତୃବଂଶାନୁସାରେ ଏମାନଙ୍କ ସଙ୍ଗେ ଯୁଦ୍ଧାର୍ଥେ ଛତିଶ ହଜାର ସୈନ୍ୟଦଳ ଥିଲେ; କାରଣ ସେମାନଙ୍କର ଅନେକ ଭାର୍ଯ୍ୟା ଓ ସନ୍ତାନ ଥିଲେ। 5ଆଉ ଇଷାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ ଏମାନଙ୍କ ଭ୍ରାତୃଗଣ ମହାବିକ୍ରମଶାଳୀ ଥିଲେ, ଏମାନେ ସର୍ବସୁଦ୍ଧା ବଂଶାବଳୀ କ୍ରମେ ଲିଖିତ ସତାଅଶୀ ହଜାର ଥିଲେ।
6ଆଉ ବିନ୍ୟାମୀନ୍ର ପୁତ୍ରଗଣ; ବେଲା ଓ ବେଖର ଓ ଯିଦୀୟେଲ, ତିନି ଜଣ। 7ଆଉ ବେଲାର ପୁତ୍ରଗଣ; ଇଷବୋନ୍, ଉଷି, ଉଷୀୟେଲ, ଯିରେମୋତ୍ ଓ ଈରୀ, ପାଞ୍ଚ ଜଣ; ଏମାନେ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକ ଥିଲେ; ଆଉ ଏମାନେ ବଂଶାବଳୀ କ୍ରମେ ଲିଖିତ ବାଇଶ ହଜାର ଚୌତ୍ରିଶ ଜଣ ଥିଲେ। 8ଆଉ ବେଖରର ପୁତ୍ରଗଣ; ସମୀର୍, ଯୋୟାଶ୍, ଇଲୀୟେଜର, ଇଲୀୟୋଐନୟ, ଅମ୍ରି, ଯେରେମୋତ୍, ଅବୀୟ, ଅନାଥୋତ୍ ଓ ଆଲେମତ୍। ଏସମସ୍ତେ ବେଖରର ସନ୍ତାନ। 9ଏମାନେ ଆପଣା ଆପଣା ବଂଶାନୁସାରେ ବଂଶାବଳୀ କ୍ରମେ ଲିଖିତ ସ୍ୱ ସ୍ୱ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ କୋଡ଼ିଏ ହଜାର ଦୁଇ ଶହ ଲୋକ ଥିଲେ। 10ଯିଦୀୟେଲର ପୁତ୍ର ବିଲ୍ହନ୍ ଏବଂ ବିଲ୍ହନ୍ର ପୁତ୍ରଗଣ ଯିୟୂଶ୍, ବିନ୍ୟାମୀନ୍, ଏହୂଦ, କନାନା, ସେଥନ୍, ତର୍ଶୀଶ୍ ଓ ଅହୀଶହର; 11ଯିଦୀୟେଲର ଏହି ସମସ୍ତ ପୁତ୍ର ଆପଣା ଆପଣା ପିତୃବଂଶର ପ୍ରଧାନତାନୁସାରେ ଯୁଦ୍ଧାର୍ଥେ ସୈନ୍ୟ ମଧ୍ୟରେ ଗମନ-ସମର୍ଥ ସତର ହଜାର ଦୁଇ ଶହ ମହାବିକ୍ରମଶାଳୀ ଲୋକ ଥିଲେ। 12ଶୁପ୍ପୀମ୍ ମଧ୍ୟ ଓ ହୁପ୍ପୀମ୍, ଈର୍ର ସନ୍ତାନଗଣ, ହୂଶୀମ୍, ଅହେରର ସନ୍ତାନଗଣ।


