ଇଫ୍ରୟିମଙ୍କ ବଂଶଧର

20ଇଫ୍ରୟିମର ପୁତ୍ର ଶୂଥେଲହ,

ତାହାର ପୁତ୍ର ବେରଦ,

ତାହାର ପୁତ୍ର ତହତ,

ତାହାର ପୁତ୍ର ଇଲୀୟାଦା,

ତାହାର ପୁତ୍ର ତହତ,

21ତାହାର ପୁତ୍ର ସାବଦ୍‍,

ତାହାର ପୁତ୍ର ଶୂଥେଲହ, ଏସର୍‍ ଓ ଇଲୀୟଦ୍‍, ଏମାନଙ୍କୁ ଦେଶଜାତ ଗାଥୀୟ ଲୋକମାନେ ବଧ କଲେ, କାରଣ ସେମାନେ ସେମାନଙ୍କର ପଶୁ ହରଣ କରିବାକୁ ଓହ୍ଲାଇ ଆସିଥିଲେ।

22ଏହେତୁ ସେମାନଙ୍କ ପିତା ଇଫ୍ରୟିମ ଅନେକ ଦିନ ଶୋକ କଲା, ତେଣୁ ତାହାର ଭ୍ରାତୃଗଣ ତାହାକୁ ସାନ୍ତ୍ୱନା କରିବାକୁ ଆସିଲେ। 23ଏଥିଉତ୍ତାରେ ସେ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା, ତହୁଁ ସେ ତାହାର ନାମ ବରୀୟ (ଅମଙ୍ଗଳ) ରଖିଲା, କାରଣ ତାହାର ଗୃହରେ ଅମଙ୍ଗଳ ଘଟିଲା। 24ଆଉ ଶୀରା ତାହାର କନ୍ୟା ଥିଲା, ସେ ଉଚ୍ଚ ଓ ନିମ୍ନ ବେଥ୍-ହୋରଣ ଓ ଉଷେନ୍‍-ଶୀରା ନାମରେ ଦୁଇଟି ନଗର ନିର୍ମାଣ କଲା। 25ତାହାର ପୁତ୍ର ରେଫହ ଓ ରେଶଫ୍‍, ତାହାର ପୁତ୍ର ତେଲହ, ତାହାର ପୁତ୍ର ତହନ; 26ତାହାର ପୁତ୍ର ଲାଦନ୍‍, ତାହାର ପୁତ୍ର ଅମ୍ମୀହୂଦ, ତାହାର ପୁତ୍ର ଇଲୀଶାମା; 27ତାହାର ପୁତ୍ର ନୂନ, ତାହାର ପୁତ୍ର ଯିହୋଶୂୟ। 28ଏମାନଙ୍କର ଅଧିକାର ଓ ନିବାସ ସ୍ଥାନ ବେଥେଲ୍‍ ଓ ତହିଁର ସମସ୍ତ ଉପନଗର, ଆଉ ପୂର୍ବ ଦିଗରେ ନାରନ୍‍ ଓ ପଶ୍ଚିମ ଦିଗରେ ସମସ୍ତ ଉପନଗର ସହିତ ଗେଷର; ମଧ୍ୟ ସମସ୍ତ ଉପନଗର ସହିତ ଶିଖିମ, ସମସ୍ତ ଉପନଗର ସହିତ ଅୟା ପର୍ଯ୍ୟନ୍ତ ଥିଲା; 29ଆହୁରି ମନଃଶି-ସନ୍ତାନଗଣର ସୀମା ପାର୍ଶ୍ୱସ୍ଥ ବେଥ୍-ଶାନ୍‍ ଓ ତହିଁର ଉପନଗରସବୁ, ତାନକ୍‍ ଓ ତହିଁର ଉପନଗରସବୁ, ମଗିଦ୍ଦୋ ଓ ତହିଁର ଉପନଗରସବୁ, ଦୋର ଓ ତହିଁର ଉପନଗରସବୁ ଥିଲା। ଏହି ସକଳ ସ୍ଥାନରେ ଇସ୍ରାଏଲର ପୁତ୍ର ଯୋଷେଫର ସନ୍ତାନମାନେ ବାସ କଲେ।