ଦାଉଦ ରାଜା ରୂପେ ଅଭିଷିକ୍ତ

1ଏଥିଉତ୍ତାରେ ସମୁଦାୟ ଇସ୍ରାଏଲ ହିବ୍ରୋଣରେ ଦାଉଦଙ୍କ ନିକଟରେ ଏକତ୍ର ହୋଇ କହିଲେ, “ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ। 2ଗତ ଦିନରେ ଶାଉଲ ରାଜା ଥିଲା ବେଳେ ତୁମ୍ଭେ ଇସ୍ରାଏଲକୁ ବାହାରେ ଓ ଭିତରେ ଗମନାଗମନ କରାଉଥିଲ; ପୁଣି, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ କହିଅଛନ୍ତି, ‘ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କର ଅଗ୍ରଣୀ ହେବ।’” 3ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ ନିକଟକୁ ଆସିଲେ; ତହିଁରେ ଦାଉଦ ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗେ ନିୟମ କଲେ; ପୁଣି, ଶାମୁୟେଲଙ୍କ ହସ୍ତରେ ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ।

4ଏଥିଉତ୍ତାରେ ଦାଉଦ ଓ ସମଗ୍ର ଇସ୍ରାଏଲ ଯିରୂଶାଲମକୁ, ଅର୍ଥାତ୍‍, ଯିବୂଷକୁ ଗଲେ; ସେହି ସମୟରେ ଦେଶ ନିବାସୀ ଯିବୂଷୀୟମାନେ ସେଠାରେ ଥିଲେ। 5ତହିଁରେ ଯିବୂଷ ନିବାସୀମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନକୁ ଆସିପାରିବ ନାହିଁ।” ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼ ହସ୍ତଗତ କଲେ; ତାହା ଦାଉଦ-ନଗର ହେଲା। 6ଆଉ ଦାଉଦ କହିଲେ, “ଯେକେହି ପ୍ରଥମେ ଯିବୂଷୀୟମାନଙ୍କୁ ଆଘାତ କରିବ, ସେ ପ୍ରଧାନ ଓ ସେନାପତି ହେବ।” ତହିଁରେ ସରୁୟାର ପୁତ୍ର ଯୋୟାବ ପ୍ରଥମେ ଗଲା ଓ ପ୍ରଧାନ କରାଗଲା। 7ପୁଣି, ଦାଉଦ ସେହି ଦୃଢ଼ ଗଡ଼ରେ ବାସ କଲେ; ଏହେତୁ ଲୋକମାନେ ତାକୁ ଦାଉଦ-ନଗର ନାମ ଦେଲେ। 8ଆଉ ଦାଉଦ ଚତୁର୍ଦ୍ଦିଗରେ, ଅର୍ଥାତ୍‍, ମିଲ୍ଲୋଠାରୁ ଚତୁର୍ଦ୍ଦିଗରେ ନଗର ନିର୍ମାଣ କଲେ; ପୁଣି, ଯୋୟାବ ନଗରର ଅବଶିଷ୍ଟ ସ୍ଥାନ ପୁନଃନିର୍ମାଣ କଲେ। 9ତହୁଁ ଦାଉଦ ଆହୁରି ଆହୁରି ମହାନ ହେଲେ; କାରଣ ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କ ସହ ଥିଲେ।