କିରୀୟଥ୍‍ ଯୀୟାରୀମଠାରୁ ନିୟମ-ସିନ୍ଦୁକର ଆଗମନ

1ଏଥିଉତ୍ତାରେ ଦାଉଦ ସହସ୍ରପତିମାନଙ୍କର, ଶତପତିମାନଙ୍କର ଓ ସମସ୍ତ ଅଧ୍ୟକ୍ଷଙ୍କ ସହିତ ମନ୍ତ୍ରଣା କଲେ। 2ଆଉ ଦାଉଦ ଇସ୍ରାଏଲର ସମଗ୍ର ସମାଜକୁ କହିଲେ, “ଯଦି ତୁମ୍ଭମାନଙ୍କୁ ଉତ୍ତମ ଦେଖାଯାଏ ଓ ଯଦି ତାହା ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଡ଼ୁ ହୁଏ, ତେବେ ଇସ୍ରାଏଲର ସମୁଦାୟ ପ୍ରଦେଶରେ ଆମ୍ଭମାନଙ୍କ ଅବଶିଷ୍ଟ ଭ୍ରାତୃଗଣ ଓ ସେମାନଙ୍କ ସଙ୍ଗେ ଆପଣା ଆପଣା ତଳିଭୂମି-ବିଶିଷ୍ଟ ନଗରରେ ବାସକାରୀ ଯାଜକମାନେ ଓ ଲେବୀୟମାନେ ଯେପରି ଆମ୍ଭମାନଙ୍କ ନିକଟରେ ଏକତ୍ରିତ ହୁଅନ୍ତି, ଏନିମନ୍ତେ ଆସ, ଆମ୍ଭେମାନେ ସର୍ବତ୍ର ସେମାନଙ୍କ ନିକଟକୁ ଲୋକ ପଠାଉ। 3ପୁଣି, ଆମ୍ଭମାନଙ୍କ ପରମେଶ୍ୱରଙ୍କ ସିନ୍ଦୁକ ପୁନର୍ବାର ଆମ୍ଭମାନଙ୍କ ନିକଟକୁ ଆଣୁ; କାରଣ ଶାଉଲଙ୍କ ସମୟରେ ଆମ୍ଭେମାନେ ତହିଁର ଅନ୍ୱେଷଣ କରି ନାହୁଁ।” 4ତହିଁରେ ସମଗ୍ର ସମାଜ ସେହିପରି କରିବେ ବୋଲି କହିଲେ; କାରଣ ସକଳ ଲୋକଙ୍କ ଦୃଷ୍ଟିରେ ତାହା ଯଥାର୍ଥ ବୋଧ ହେଲା।