ଉଷ ଏବଂ ପରମେଶ୍ୱରଙ୍କ ସିନ୍ଦୁକ

5ତହୁଁ କିରୀୟଥ୍‍-ଯିୟାରୀମ୍‍ରୁ ପରମେଶ୍ୱରଙ୍କ ସିନ୍ଦୁକ ଆଣିବା ନିମନ୍ତେ ଦାଉଦ ମିସରର ଶୀୟୋର ନଦୀଠାରୁ ହମାତର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲକୁ ଏକତ୍ର କଲେ। 6ଆଉ କିରୂବଗଣ ମଧ୍ୟରେ ଉପବିଷ୍ଟ ସଦାପ୍ରଭୁଙ୍କ ନାମରେ ଖ୍ୟାତ ପରମେଶ୍ୱରଙ୍କ ସିନ୍ଦୁକକୁ ଯିହୁଦାର ଅଧିକାରସ୍ଥ ବାଲାରୁ, ଅର୍ଥାତ୍‍, କିରୀୟଥ୍‍-ଯିୟାରୀମ୍‍ରୁ ଆଣିବା ପାଇଁ ଦାଉଦ ଓ ସମଗ୍ର ଇସ୍ରାଏଲ ସେହି ସ୍ଥାନକୁ ଗଲେ। 7ପୁଣି, ସେମାନେ ଗୋଟିଏ ନୂତନ ଶଗଡ଼ରେ ପରମେଶ୍ୱରଙ୍କ ସିନ୍ଦୁକକୁ ଅବୀନାଦବର ଗୃହରୁ ବାହାର କରି ବୋହି ଆଣିଲେ; ଆଉ ଉଷ ଓ ଅହୀୟୋ ଶଗଡ଼ ଚଳାଇଲେ। 8ପୁଣି, ଦାଉଦ ଓ ସମଗ୍ର ଇସ୍ରାଏଲ ପରମେଶ୍ୱରଙ୍କ ସାକ୍ଷାତରେ ସମସ୍ତ ଶକ୍ତି ସହିତ ଗାୟନ କରି ବୀଣା ଓ ନେବଲ ଓ ଦାରା ଓ କରତାଳ ଓ ତୂରୀ ବଜାଇଲେ।

9ଆଉ ସେମାନେ କୀଦୋନ୍‍ ନାମକ ଶସ୍ୟମର୍ଦ୍ଦନ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ବଳଦମାନେ ଅମଣା ହେବାରୁ ଉଷ ହସ୍ତ ବିସ୍ତାର କରି ସିନ୍ଦୁକ ଧରିଲା। 10ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା ଓ ସିନ୍ଦୁକ ପ୍ରତି ହସ୍ତ ବିସ୍ତାର କରିବା ସକାଶୁ ସେ ତାହାକୁ ଆଘାତ କଲେ; ତହୁଁ ସେ ସେଠାରେ ପରମେଶ୍ୱରଙ୍କ ସାକ୍ଷାତରେ ମଲା। 11ପୁଣି, ସଦାପ୍ରଭୁ ଉଷକୁ ଆକ୍ରମଣ କରିବାରୁ ଦାଉଦ ଅସନ୍ତୁଷ୍ଟ ହେଲେ; ଏଣୁ ସେ ସେହି ସ୍ଥାନର ନାମ “ପେରସ-ଉଷ” ରଖିଲେ; ଆଜି ପର୍ଯ୍ୟନ୍ତ ସେହି ନାମ ଅଛି। 12ଆଉ ଦାଉଦ ସେହି ଦିନ ପରମେଶ୍ୱରଙ୍କ ବିଷୟରେ ଭୟ ପାଇ କହିଲେ, “ମୁଁ କିପରି ପରମେଶ୍ୱରଙ୍କ ସିନ୍ଦୁକ ମୋʼ ନିକଟକୁ ଗୃହକୁ ଆଣିବି?” 13ତହୁଁ ଦାଉଦ ଦାଉଦ-ନଗରକୁ ଆପଣା ନିକଟକୁ ସିନ୍ଦୁକ ଆଣିଲେ ନାହିଁ, ମାତ୍ର ତାହା ନେଇ ପଥପାର୍ଶ୍ୱସ୍ଥ ଗାଥୀୟ ଓବେଦ୍‍-ଇଦୋମର ଗୃହରେ ରଖିଲେ। 14ତହିଁରେ ପରମେଶ୍ୱରଙ୍କ ସିନ୍ଦୁକ ଓବେଦ୍‍-ଇଦୋମର ପରିବାର ସହିତ ତାହାର ଗୃହରେ ତିନି ମାସ ରହିଲା; ପୁଣି, ସଦାପ୍ରଭୁ ଓବେଦ୍‍-ଇଦୋମର ଗୃହକୁ ଓ ତାହାର ସର୍ବସ୍ୱକୁ ଆଶୀର୍ବାଦ କଲେ।