ତମ୍ବୁ ମଧ୍ୟରେ ନିୟମ-ସିନ୍ଦୁକ

1ଏଥିଉତ୍ତାରେ ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଭିତରକୁ ଆଣି, ଦାଉଦ ତହିଁ ନିମନ୍ତେ ଯେଉଁ ତମ୍ବୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ଆଉ ସେମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। 2ପୁଣି, ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବାର ସମାପ୍ତ କଲା ଉତ୍ତାରେ ସେ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ। 3ଆଉ ସେ ଇସ୍ରାଏଲର ପ୍ରତ୍ୟେକ ଲୋକକୁ, ପୁରୁଷ ଓ ସ୍ତ୍ରୀ ପ୍ରତି ଜଣଙ୍କୁ ଏକ ଏକ ରୁଟି, ମାଂସର ଏକ ଏକ ଅଂଶ, ଏକ ଏକ ଖଣ୍ଡ ଦ୍ରାକ୍ଷାଚକ୍ତି ପରିବେଷଣ କଲେ।

4ଏଉତ୍ତାରେ ସେ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ପରିଚର୍ଯ୍ୟା କରିବା ପାଇଁ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ସ୍ମରଣ ଓ ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ କେତେକ ଲେବୀୟ ଲୋକଙ୍କୁ ନିଯୁକ୍ତ କଲେ। 5ସେମାନଙ୍କ ମଧ୍ୟରେ ଆସଫ ପ୍ରଧାନ, ଦ୍ୱିତୀୟ ଜିଖରୀୟ, ଆଉ ଯୀୟୟେଲ, ଶମୀରାମୋତ୍‍, ଯିହୀୟେଲ, ମତ୍ତଥୀୟ, ଇଲୀୟାବ୍‍, ବନାୟ, ଓବେଦ୍‍-ଇଦୋମ ଓ ଯିୟୀୟେଲ୍‍ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ନେବଲ, ବୀଣା ଓ ଆସଫ ଉଚ୍ଚଧ୍ୱନିର କରତାଳ; 6ଆଉ ବନାୟ ଓ ଯହସୀୟେଲ ଯାଜକମାନେ ତୂରୀ ନିତ୍ୟ ବଜାଇଲେ।

7ଆଉ ସେହି ଦିନ ଦାଉଦ ପ୍ରଥମେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ କରିବାର ଭାର ଆସଫ ଓ ତାହାର ଭ୍ରାତୃଗଣର ହସ୍ତରେ ସମର୍ପଣ କଲେ।