ଦାଉଦଙ୍କ ପ୍ରଶଂସାର ଗୀତି
8ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, ତାହାଙ୍କ ନାମରେ ପ୍ରାର୍ଥନା କର;
ଲୋକମାନଙ୍କ ମଧ୍ୟରେ ତାହାଙ୍କ କ୍ରିୟାସକଳ ଜଣାଅ।
9ତାହାଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର;
ତୁମ୍ଭେମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟକର୍ମ ବିଷୟରେ କଥୋପକଥନ କର।
10ତୁମ୍ଭେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର;
ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ।
11ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ଶକ୍ତିର ଅନ୍ୱେଷଣ କର,
ସର୍ବଦା ତାହାଙ୍କ ମୁଖର ଅନ୍ୱେଷଣ କର।
12ହେ ତାହାଙ୍କ ଦାସ ଇସ୍ରାଏଲର ବଂଶ,
ହେ ଯାକୁବର ସନ୍ତାନଗଣ, ତାହାଙ୍କର ମନୋନୀତ ଲୋକ,
13ତୁମ୍ଭେମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକ୍ରିୟା,
ତାହାଙ୍କ ଅଦ୍ଭୁତ ଲକ୍ଷଣ ଓ ତାହାଙ୍କ ମୁଖନିର୍ଗତ ଶାସନସକଳ ସ୍ମରଣ କର।
14ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି;
ତାହାଙ୍କର ଶାସନ ସମୁଦାୟ ପୃଥିବୀରେ ପ୍ରଚଳିତ ଅଛି।
15ତାହାଙ୍କ ନିୟମ ଚିରକାଳ ସ୍ମରଣ କର,
ସେହି ବାକ୍ୟ ସେ ସହସ୍ର ପୁରୁଷ-ପରମ୍ପରା ପ୍ରତି ଆଦେଶ କରିଅଛନ୍ତି;
16ସେହି ନିୟମ ସେ ଅବ୍ରହାମଙ୍କ ସଙ୍ଗେ କରିଥିଲେ
ଓ ସେହି ଶପଥ ସେ ଇସ୍ହାକଙ୍କ ପ୍ରତି କରିଥିଲେ;
17ପୁଣି, ସେ ତାହା ବିଧି ରୂପେ ଯାକୁବଙ୍କ ପ୍ରତି ଅନନ୍ତକାଳୀନ ନିୟମ ରୂପେ
ଇସ୍ରାଏଲ ପ୍ରତି ସ୍ଥିର କଲେ।
18ସଦାପ୍ରଭୁ କହିଲେ, “ଆମ୍ଭେ ତୁମ୍ଭମାନଙ୍କ ଅଧିକାରର ବାଣ୍ଟ
ସେହି କିଣାନ ଦେଶ ତୁମ୍ଭକୁ ଦେବା;”
19ସେହି ସମୟରେ ତୁମ୍ଭେମାନେ କେବଳ ଅଳ୍ପସଂଖ୍ୟକ,
ଅତି ଅଳ୍ପ ଲୋକ ଓ ତହିଁ ମଧ୍ୟରେ ପ୍ରବାସୀ ଥିଲ;
20ଆଉ ସେମାନେ ଏକ ଗୋଷ୍ଠୀରୁ ଅନ୍ୟ ଗୋଷ୍ଠୀ
ଓ ଏକ ରାଜ୍ୟରୁ ଅନ୍ୟ ଲୋକମାନଙ୍କ ନିକଟକୁ ଭ୍ରମଣ କଲେ।
21ସେ କୌଣସି ଲୋକକୁ ସେମାନଙ୍କ ପ୍ରତି ଉପଦ୍ରବ କରିବାକୁ ଦେଲେ ନାହିଁ;
ଆହୁରି ସେ ସେମାନଙ୍କ ସକାଶୁ ରାଜାମାନଙ୍କୁ ଅନୁଯୋଗ କଲେ;
22କହିଲେ, “ଆମ୍ଭର ଅଭିଷିକ୍ତମାନଙ୍କୁ ସ୍ପର୍ଶ ନ କର
ଓ ଆମ୍ଭର ଭବିଷ୍ୟଦ୍ବକ୍ତାମାନଙ୍କ ପ୍ରତି କୌଣସି କ୍ଷତି ନ କର।”
23ହେ ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର;
ଦିନକୁ ଦିନ ତାହାଙ୍କ କୃତ ପରିତ୍ରାଣ ପ୍ରକାଶ କର।
24ନାନା ଦେଶୀୟଙ୍କ ମଧ୍ୟରେ ତାହାଙ୍କ ଗୌରବ,
ସମୁଦାୟ ଗୋଷ୍ଠୀ ମଧ୍ୟରେ ତାହାଙ୍କର ଆଶ୍ଚର୍ଯ୍ୟକ୍ରିୟା ପ୍ରଚାର କର।
25କାରଣ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ ଅଟନ୍ତି;
ମଧ୍ୟ ସେ ସକଳ ଦେବତା ଅପେକ୍ଷା ଭୟଯୋଗ୍ୟ।
26କାରଣ, ନାନା ଗୋଷ୍ଠୀୟମାନଙ୍କ ଦେବତାସବୁ ପ୍ରତିମା ମାତ୍ର;
ମାତ୍ର ସଦାପ୍ରଭୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା।
27ସମ୍ଭ୍ରମ ଓ ପ୍ରଭାବ ତାହାଙ୍କର ଅଗ୍ରବର୍ତ୍ତୀ,
ଶକ୍ତି ଓ ଆହ୍ଲାଦ ତାହାଙ୍କ ସ୍ଥାନରେ ବିଦ୍ୟମାନ।
28ହେ ନାନା ଦେଶୀୟ ଗୋଷ୍ଠୀସମୂହ, ସଦାପ୍ରଭୁଙ୍କର କୀର୍ତ୍ତନ କର,
ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର କୀର୍ତ୍ତନ କର।
29ସଦାପ୍ରଭୁଙ୍କ ନାମର ଯଥୋଚିତ ଗୌରବ କୀର୍ତ୍ତନ କର;
ନୈବେଦ୍ୟ ଆଣ ଓ ତାହାଙ୍କ ଛାମୁକୁ ଆସ;
ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କର ଭଜନା କର।
30ସମୁଦାୟ ପୃଥିବୀ! ତାହାଙ୍କ ଛାମୁରେ କମ୍ପମାନ ହୁଅ;
ଜଗତ ହିଁ ସୁସ୍ଥିର, ତାହା ବିଚଳିତ ନୋହିବ।
31ଆକାଶମଣ୍ଡଳ ଆନନ୍ଦିତ ହେଉ ଓ ପୃଥିବୀ ଉଲ୍ଲାସ କରୁ;
ଆଉ ଲୋକମାନେ ଦେଶସମୂହ ମଧ୍ୟରେ କହନ୍ତୁ, “ସଦାପ୍ରଭୁ ରାଜ୍ୟ କରନ୍ତି।”
32ସମୁଦ୍ର ଓ ତହିଁର ପୂର୍ଣ୍ଣତା ଗର୍ଜ୍ଜନ କରୁ;
କ୍ଷେତ୍ର ଓ ତନ୍ମଧ୍ୟସ୍ଥସକଳ ଜୟଧ୍ୱନି କରନ୍ତୁ;
33ସେତେବେଳେ ବନସ୍ଥ ବୃକ୍ଷଶ୍ରେଣୀ ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦରେ ଗାନ କରିବେ,
କାରଣ, ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି।
34ସଦାପ୍ରଭୁଙ୍କର ଧନ୍ୟବାଦ କର; କାରଣ ସେ ମଙ୍ଗଳମୟ,
ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
35ଆଉ, ତୁମ୍ଭେମାନେ କୁହ, “ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ଆମ୍ଭମାନଙ୍କୁ ତ୍ରାଣ କର,
ଆମ୍ଭମାନଙ୍କୁ ସଂଗ୍ରହ କର ଓ ଦେଶୀୟମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କର,
ତହିଁରେ ଆମ୍ଭେମାନେ ତୁମ୍ଭ ପବିତ୍ର ନାମର ଧନ୍ୟବାଦ କରିବା
ଓ ତୁମ୍ଭ ପ୍ରଶଂସାରେ ଜୟଧ୍ୱନି କରିବା।”
36ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ
ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ।
ଏଥିରେ ସମଗ୍ର ଲୋକ କହିଲେ, “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ।


