ସିନ୍ଦୁକ ସମ୍ମୁଖରେ ଉପାସନା
37ଏଥିଉତ୍ତାରେ ଦାଉଦ ପ୍ରତିଦିନର ପ୍ରୟୋଜନାନୁସାରେ ସିନ୍ଦୁକ ସମ୍ମୁଖରେ ନିତ୍ୟ ପରିଚର୍ଯ୍ୟା କରିବା ନିମନ୍ତେ ଆସଫକୁ ଓ ତାହାର ଭ୍ରାତୃଗଣକୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ରଖିଲେ 38ଆଉ ଓବେଦ୍-ଇଦୋମ ଓ ସେମାନଙ୍କର ଅଠଷଠି ଜଣ ଭ୍ରାତା; ମଧ୍ୟ ଯିଦୂଥୂନ୍ର ପୁତ୍ର ଓବେଦ୍-ଇଦୋମ, ଆଉ ହୋଷା ଦ୍ୱାରପାଳ ହେଲେ 39ଆଉ, ଇସ୍ରାଏଲ ପ୍ରତି ଆଦିଷ୍ଟ ସଦାପ୍ରଭୁଙ୍କ ବ୍ୟବସ୍ଥାର ସମସ୍ତ ଲିଖନ-ପ୍ରମାଣେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବେଦି ଉପରେ ନିତ୍ୟ ପ୍ରାତଃକାଳୀନ ଓ ସନ୍ଧ୍ୟାକାଳୀନ ହୋମବଳି ଉତ୍ସର୍ଗ କରିବା ପାଇଁ 40ସାଦୋକ ଯାଜକ ଓ ତାହାର ଯାଜକ-ଭ୍ରାତୃଗଣ ଗିବୀୟୋନ୍ସ୍ଥ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ରହିଲେ; 41ପୁଣି, ସଦାପ୍ରଭୁଙ୍କ ଦୟା ଅନନ୍ତକାଳସ୍ଥାୟୀ, ଏହେତୁ ତାହାଙ୍କ ଧନ୍ୟବାଦ କରିବା ପାଇଁ ହେମନ ଓ ଯିଦୂଥୂନ୍; ପୁଣି, ଯେଉଁ ଅବଶିଷ୍ଟ ମନୋନୀତ ଲୋକମାନଙ୍କ ନାମ ଲେଖାଗଲା, ସେମାନେ ଉକ୍ତ ଲୋକଙ୍କ ସଙ୍ଗେ ରହିଲେ। 42ଆଉ, ହେମନ, ଯିଦୂଥୂନ୍ ତୂରୀ, କରତାଳ ଓ ପରମେଶ୍ୱରଙ୍କ ଗୀତାର୍ଥକ ବାଦ୍ୟଯନ୍ତ୍ର ବଜାଇବା ପାଇଁ ଉଚ୍ଚଧ୍ୱନିକାରୀମାନଙ୍କ ସଙ୍ଗରେ ରହିଲେ; ଆଉ ଯିଦୂଥୂନ୍ର ପୁତ୍ରମାନେ ଦ୍ୱାରପାଳ ହେଲେ।
43ଏଥିଉତ୍ତାରେ ସମଗ୍ର ଲୋକ ପ୍ରସ୍ଥାନ କରି ଆପଣା ଆପଣା ଗୃହକୁ ଗଲେ; ଆଉ, ଦାଉଦ ଆପଣାର ପରିଜନବର୍ଗକୁ ଆଶୀର୍ବାଦ କରିବା ପାଇଁ ଫେରିଗଲେ।


