ଦାଉଦଙ୍କୁ ନାଥନ ଭବିଷ୍ୟଦ୍ବକ୍ତାଙ୍କ ବାର୍ତ୍ତା
1ଏଥିଉତ୍ତାରେ ଦାଉଦ ଆପଣା ଗୃହରେ ବାସ କରୁଥିବା ବେଳେ ସେ ନାଥନ ଭବିଷ୍ୟଦ୍ବକ୍ତାଙ୍କୁ କହିଲେ, “ଦେଖ, ମୁଁ ଏରସ କାଷ୍ଠନିର୍ମିତ ଗୃହରେ ବାସ କରୁଅଛି, ମାତ୍ର ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଯବନିକା ମଧ୍ୟରେ ବାସ କରୁଅଛି।” 2ତହିଁରେ ନାଥନ ଦାଉଦଙ୍କୁ କହିଲେ, “ତୁମ୍ଭ ହୃଦୟରେ ଯାହା ଅଛି, ତାହାସବୁ କର; କାରଣ ପରମେଶ୍ୱର ତୁମ୍ଭ ସଙ୍ଗରେ ଅଛନ୍ତି।”
3ଏଉତ୍ତାରେ ସେହି ରାତ୍ରିରେ ପରମେଶ୍ୱରଙ୍କ ବାକ୍ୟ ନାଥନଙ୍କ ନିକଟରେ ଉପସ୍ଥିତ ହେଲା, ଯଥା, 4ଯାଅ, “ଆମ୍ଭ ଦାସ ଦାଉଦଙ୍କୁ ଜଣାଅ, ‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆମ୍ଭ ନିମନ୍ତେ ବସତି-ଗୃହ ନିର୍ମାଣ କରିବ ନାହିଁ; 5କାରଣ ଆମ୍ଭେ ଇସ୍ରାଏଲକୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ଯ୍ୟନ୍ତ କୌଣସି ଗୃହରେ ବାସ କରି ନାହୁଁ; ମାତ୍ର ଏ ତମ୍ବୁରୁ ସେ ତମ୍ବୁକୁ ଓ ଏକ ଆବାସରୁ ଅନ୍ୟ ଆବାସକୁ ଯାଇଅଛୁ। 6ଆମ୍ଭେ ସମୁଦାୟ ଇସ୍ରାଏଲ ସହିତ ଯେଉଁସବୁ ସ୍ଥାନରେ ଗମନାଗମନ କଲୁ, ତହିଁ ମଧ୍ୟରୁ କୌଣସି ସ୍ଥାନରେ, ଆମ୍ଭ ଲୋକମାନଙ୍କୁ ପାଳନ କରିବା ପାଇଁ ଯେଉଁମାନଙ୍କୁ ଆଜ୍ଞା କରିଥିଲୁ, ଇସ୍ରାଏଲର ଏପରି କୌଣସି ବିଚାରକର୍ତ୍ତାକୁ, ତୁମ୍ଭେମାନେ କାହିଁକି ଆମ୍ଭ ପାଇଁ ଏରସ କାଷ୍ଠର ଗୃହ ନିର୍ମାଣ କରି ନାହଁ, ଏପରି ଏକ କଥା କʼଣ ଆମ୍ଭେ କହିଅଛୁ? 7ଏଣୁ ଏବେ ତୁମ୍ଭେ ଆମ୍ଭ ଦାସ ଦାଉଦଙ୍କୁ ଏପରି କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେପରି ଆମ୍ଭ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ମେଷଶାଳାରୁ, ମେଷମାନଙ୍କ ପଶ୍ଚାଦ୍ଗମନରୁ ଗ୍ରହଣ କଲୁ। 8ପୁଣି, ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଗଲ, ଆମ୍ଭେ ତୁମ୍ଭର ସଙ୍ଗୀ ହେଲୁ ଓ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଉଚ୍ଛିନ୍ନ କଲୁ; ଆହୁରି ଆମ୍ଭେ ପୃଥିବୀସ୍ଥ ମହାଲୋକମାନଙ୍କ ନାମ ତୁଲ୍ୟ ତୁମ୍ଭର ନାମ କରିବା। 9ଆଉ ଆମ୍ଭେ ଆପଣା ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ନିରୂପଣ କରି ସେମାନଙ୍କୁ ରୋପଣ କରିବା; ତହିଁରେ ସେମାନେ ଆପଣାମାନଙ୍କ ସେହି ସ୍ଥାନରେ ବାସ କରି ଆଉ ଚାଳିତ ନୋହିବେ; କିଅବା ଯେପରି ପୂର୍ବକାଳରେ ଓ ଯେ ସମୟାବଧି 10ଆମ୍ଭେ ଆପଣା ଲୋକ ଇସ୍ରାଏଲ ଉପରେ ବିଚାରକର୍ତ୍ତୃଗଣକୁ ନିଯୁକ୍ତ କରିଅଛୁ, ସେସମୟାବଧି ଯେପରି ହୋଇଅଛି, ସେପରି ଅଧର୍ମର ସନ୍ତାନମାନେ ସେମାନଙ୍କୁ ଆଉ ନାଶ କରିବେ ନାହିଁ; ଆଉ ଆମ୍ଭେ ତୁମ୍ଭର ସମୁଦାୟ ଶତ୍ରୁଙ୍କୁ ଅବନତ କରିବା। ଆହୁରି ଆମ୍ଭେ ତୁମ୍ଭକୁ କହୁଅଛୁ, ସଦାପ୍ରଭୁ ତୁମ୍ଭ ପାଇଁ ଏକ ବଂଶ ସ୍ଥାପନ କରିବେ। 11ପୁଣି, ଆପଣା ପିତୃଲୋକଙ୍କ ନିକଟକୁ ତୁମ୍ଭର ଯିବାର ଦିନ ପୂର୍ଣ୍ଣ ହେଲେ, ଆମ୍ଭେ ତୁମ୍ଭ ଉତ୍ତାରେ ତୁମ୍ଭ ପୁତ୍ରମାନଙ୍କ ମଧ୍ୟରୁ ତୁମ୍ଭ ବଂଶ ସ୍ଥାପନ କରିବା ଓ ଆମ୍ଭେ ତାହାର ରାଜ୍ୟ ସ୍ଥିର କରିବା। 12ସେ ଆମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବ ଓ ଆମ୍ଭେ ତାହାର ସିଂହାସନ ଅନନ୍ତକାଳସ୍ଥାୟୀ କରିବା। 13ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ; ପୁଣି, ତୁମ୍ଭ ପୂର୍ବବର୍ତ୍ତୀ ଶାସକଙ୍କଠାରୁ(ଶାଉଲ) ଯେପରି ଆମ୍ଭେ ଆପଣା ଦୟା ଦୂର କଲୁ, ସେପରି ତାହାଠାରୁ ଦୂର କରିବା ନାହିଁ; 14ମାତ୍ର, ଆମ୍ଭେ ଆପଣା ଗୃହରେ ଓ ଆପଣା ରାଜ୍ୟରେ ତାହାକୁ ଅନନ୍ତକାଳ ସ୍ଥିର କରିବା ଓ ତାହାର ସିଂହାସନ ଅନନ୍ତକାଳସ୍ଥାୟୀ ହେବ।’” 15ନାଥନ ଦାଉଦଙ୍କୁ ଏସମସ୍ତ ବାକ୍ୟ ଓ ଦର୍ଶନ ଅନୁସାରେ କଥା କହିଲେ।


