ଦାଉଦଙ୍କ ଧନ୍ୟବାଦ ପ୍ରାର୍ଥନା

16ଏଥିରେ ଦାଉଦ ରାଜା ଭିତରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ ଓ କହିଲେ, “ହେ ସଦାପ୍ରଭୁ ପରମେଶ୍ୱର! ମୁଁ କିଏ ଓ ମୋହର ବଂଶ ଅବା କି ଯେ, ତୁମ୍ଭେ ମୋତେ ଏପର୍ଯ୍ୟନ୍ତ ଆଣିଅଛ? 17ତଥାପି ହେ ପରମେଶ୍ୱର! ଏହା ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ବିଷୟ ହେଲା; ଏହେତୁ ତୁମ୍ଭେ ଆପଣା ଦାସର ବଂଶ ବିଷୟରେ ଆଗତ ଦୀର୍ଘକାଳର କଥା କହିଅଛ, ଆଉ ହେ ସଦାପ୍ରଭୁ ପରମେଶ୍ୱର! ତୁମ୍ଭେ ମୋତେ ଉଚ୍ଚପଦସ୍ଥ ମନୁଷ୍ୟର ଶ୍ରେଣୀଭୁକ୍ତ ବୋଲି ଜ୍ଞାନ କରିଅଛ। 18ଏଣୁ ତୁମ୍ଭ ଦାସ ପ୍ରତି କୃତ ସମ୍ମାନ ବିଷୟରେ ଦାଉଦ ତୁମ୍ଭଙ୍କୁ ଆଉ କଅଣ କହିପାରେ? ତୁମ୍ଭେ ଆପଣା ଦାସକୁ ଜାଣୁଅଛ। 19ହେ ସଦାପ୍ରଭୋ! ତୁମ୍ଭେ ଏହି ସକଳ ମହତ୍ ବିଷୟ ଜଣାଇବା ପାଇଁ ଆପଣା ଦାସ ସକାଶେ ଓ ଆପଣା ହୃଦୟାନୁସାରେ ଏହି ସକଳ ମହତ୍ କର୍ମ ସାଧନ କରିଅଛ। 20ହେ ସଦାପ୍ରଭୋ! ତୁମ୍ଭ ତୁଲ୍ୟ ଆଉ କେହି ନାହିଁ, କିଅବା ଆମ୍ଭେମାନେ ନିଜ କର୍ଣ୍ଣରେ ଯାହା ଶୁଣିଅଛୁ, ତଦନୁସାରେ ତୁମ୍ଭ ଛଡ଼ା ଆଉ ପରମେଶ୍ୱର କେହି ନାହିଁ। 21ତୁମ୍ଭ ଲୋକ ଇସ୍ରାଏଲ ତୁଲ୍ୟ ପୃଥିବୀରେ ଆଉ କେଉଁ ଗୋଷ୍ଠୀ ଅଛି? ସେମାନଙ୍କୁ ଆପଣା ଉଦ୍ଦେଶ୍ୟରେ ଏକ ଲୋକ ରୂପେ ମୁକ୍ତ କରିବାକୁ ଓ ମିସରରୁ ମୁକ୍ତ ତୁମ୍ଭର ସେହି ଲୋକମାନଙ୍କ ସମ୍ମୁଖରୁ ନାନା ଗୋଷ୍ଠୀୟମାନଙ୍କୁ ତଡ଼ିଦେଇ ମହତ୍ ଓ ଭୟାନକ କର୍ମ ଦ୍ୱାରା ତୁମ୍ଭର ନାମ କରିବାକୁ ପରମେଶ୍ୱର ଆଗମନ କରିଥିଲେ। 22ତୁମ୍ଭେ ଆପଣା ଲୋକ ଇସ୍ରାଏଲକୁ ଅନନ୍ତକାଳ ଆପଣାର ଲୋକ କରିଅଛ, ଆଉ ହେ ସଦାପ୍ରଭୋ! ତୁମ୍ଭେ ସେମାନଙ୍କର ପରମେଶ୍ୱର ହୋଇଅଛ। 23ଏବେ ହେ ସଦାପ୍ରଭୋ! ତୁମ୍ଭେ ଆପଣା ଦାସ ବିଷୟରେ ଓ ତାହାର ବଂଶ ବିଷୟରେ ଯେଉଁ କଥା କହିଅଛ; ତାହା ଅନନ୍ତକାଳ ସ୍ଥିରୀକୃତ ହେଉ ଓ ତୁମ୍ଭେ ଯେପରି କହିଅଛ, ସେପରି କର। 24ପୁଣି, ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ସେ ଇସ୍ରାଏଲର ସପକ୍ଷ ପରମେଶ୍ୱର ଅଟନ୍ତି ଓ ତୁମ୍ଭ ଦାସ ଦାଉଦର ବଂଶ ତୁମ୍ଭ ସମ୍ମୁଖରେ ସ୍ଥାପିତ ହୋଇଅଛି, ଏହି କଥା ଦ୍ୱାରା ତୁମ୍ଭର ନାମ ଅନନ୍ତକାଳ ସ୍ଥିରୀକୃତ ଓ ମହତ୍ ହେଉ। 25କାରଣ, ହେ ମୋହର ପରମେଶ୍ୱର! ତୁମ୍ଭେ ମୋʼ ପାଇଁ ଏକ ବଂଶ ସ୍ଥାପନ କରିବ ବୋଲି ଆପଣା ଦାସର କର୍ଣ୍ଣଗୋଚର କରିଅଛ; ଏହେତୁ ତୁମ୍ଭ ନିକଟରେ ଏହି ପ୍ରାର୍ଥନା କରିବାକୁ ତୁମ୍ଭ ଦାସ ସାହସ ପାଇଅଛି। 26ଏବେ ହେ ସଦାପ୍ରଭୋ! ତୁମ୍ଭେ ହିଁ ପରମେଶ୍ୱର, ପୁଣି, ତୁମ୍ଭେ ଆପଣା ଦାସ ପ୍ରତି ଏହି ମଙ୍ଗଳ ପ୍ରତିଜ୍ଞା କରିଅଛ। 27ତୁମ୍ଭ ଦାସର ବଂଶ ତୁମ୍ଭ ସମ୍ମୁଖରେ ଅନନ୍ତକାଳସ୍ଥାୟୀ ହେବା ପାଇଁ ତୁମ୍ଭେ ଅନୁଗ୍ରହ କରି ତାହାକୁ ଆଶୀର୍ବାଦ କରିଅଛ; କାରଣ, ହେ ସଦାପ୍ରଭୋ, ତୁମ୍ଭେ ଆଶୀର୍ବାଦ କରିଅଛ, ଏଣୁ ତାହା ଅନନ୍ତକାଳ ଆଶୀର୍ବାଦଯୁକ୍ତ ଅଟେ।”