ଅମ୍ମୋନୀୟ ଦ୍ୱାରା ଦାଉଦଙ୍କ ଲୋକେ ଲଜ୍ଜିତ
1ଏଥିଉତ୍ତାରେ ଅମ୍ମୋନ-ସନ୍ତାନଗଣର ରାଜା ନାହଶ୍ ମରନ୍ତେ, ତାହାର ପୁତ୍ର ତାହାର ପଦରେ ରାଜା ହେଲା। 2ତହିଁରେ ଦାଉଦ କହିଲେ, “ମୁଁ ନାହଶର ପୁତ୍ର ହାନୂନ୍ ପ୍ରତି ଦୟା ପ୍ରକାଶ କରିବି, କାରଣ, ତାହାର ପିତା ମୋʼ ପ୍ରତି ଦୟା ପ୍ରକାଶ କରିଥିଲା।” ତେଣୁ, ଦାଉଦ ତାହାକୁ ପିତୃଶୋକରୁ ସାନ୍ତ୍ୱନା କରିବା ନିମନ୍ତେ ଦୂତମାନଙ୍କୁ ପଠାଇଲେ। ତହୁଁ ଦାଉଦଙ୍କର ଦାସମାନେ ହାନୂନ୍କୁ ସାନ୍ତ୍ୱନା କରିବା ନିମନ୍ତେ ଅମ୍ମୋନ-ସନ୍ତାନଗଣର ଦେଶରେ ତାହା ନିକଟରେ ଉପସ୍ଥିତ ହେଲେ। 3ମାତ୍ର ଅମ୍ମୋନ-ସନ୍ତାନଗଣର ଅଧିପତିମାନେ ହାନୂନ୍କୁ କହିଲେ, “ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାର ସମ୍ଭ୍ରମ କରୁଅଛି, ଏହା କʼଣ ଆପଣ ବିଚାର କରନ୍ତି? ତାହାର ଦାସମାନେ କʼଣ ଦେଶ ଅନୁସନ୍ଧାନ କରିବାକୁ ଓ ନାଶ କରିବାକୁ ଓ ତହିଁରେ ଭ୍ରମଣ କରିବାକୁ ଆପଣଙ୍କ ନିକଟକୁ ଆସି ନାହାନ୍ତି?” 4ତହିଁରେ ହାନୂନ୍ ଦାଉଦଙ୍କର ଦାସମାନଙ୍କୁ ଧରି ସେମାନଙ୍କୁ କ୍ଷୌର କଲା ଓ ସେମାନଙ୍କ ପିଚା ପାଖ ବସ୍ତ୍ର ମଝିରୁ କାଟି ପକାଇ ସେମାନଙ୍କୁ ବିଦାୟ କରିଦେଲା। 5ଏଥିରେ ସେହି ଲୋକମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରାଗଲା, ତାହା କେହି ଯାଇ ଦାଉଦଙ୍କୁ ଜଣାନ୍ତେ, ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ; କାରଣ, ସେମାନେ ଅତିଶୟ ଲଜ୍ଜିତ ଥିଲେ। ପୁଣି, ରାଜା କହିଲେ, “ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଯିରୀହୋରେ ଥାଅ, ତହିଁ ଉତ୍ତାରେ ଫେରି ଆସ।”
6ଏଥିରେ ଅମ୍ମୋନ-ସନ୍ତାନଗଣ ଆପଣାମାନଙ୍କୁ ଦାଉଦଙ୍କ ସମ୍ମୁଖରେ ଦୁର୍ଗନ୍ଧ ସ୍ୱରୂପ କରିଥିବାର ଦେଖନ୍ତେ, ହାନୂନ୍ ଓ ଅମ୍ମୋନ-ସନ୍ତାନଗଣ ଅରାମନହରୟିମ୍ ଓ ଅରାମ-ମାଖା ଓ ସୋବାରୁ ରଥ ଓ ଅଶ୍ୱାରୋହୀମାନଙ୍କୁ ବେତନ ଦେଇ ଆଣିବା ପାଇଁ ଏକ ସହସ୍ର ତାଳନ୍ତ ରୂପା ପଠାଇଲେ। 7ତହୁଁ ଲୋକମାନେ ବତିଶ ହଜାର ରଥ ଓ ମାଖାର ରାଜାକୁ ଓ ତାହାର ଲୋକମାନଙ୍କୁ ବେତନ ଦେଇ ଆଣିଲେ; ଏମାନେ ଆସି ମେଦବା ସମ୍ମୁଖରେ ଛାଉଣି ସ୍ଥାପନ କଲେ। ପୁଣି, ଅମ୍ମୋନ-ସନ୍ତାନଗଣ ଆପଣା ଆପଣା ନଗରରୁ ଏକତ୍ରିତ ହୋଇ ଯୁଦ୍ଧ କରିବାକୁ; ଆସିଲେ। 8ଆଉ, ଦାଉଦ ଏହା ଶୁଣି ଯୋୟାବକୁ ଓ ବୀର ସୈନ୍ୟ ସମସ୍ତଙ୍କୁ ପଠାଇଲେ। 9ତହିଁରେ ଅମ୍ମୋନ-ସନ୍ତାନଗଣ ବାହାର ହୋଇ ଆସି ନଗର-ଦ୍ୱାର ନିକଟରେ ଯୁଦ୍ଧ ସାଜିଲେ; ଆଉ ଯେଉଁ ରାଜାମାନେ ଆସିଥିଲେ, ସେମାନେ କ୍ଷେତ୍ରରେ ଅଲଗା ରହିଲେ।


