ଅମ୍ମୋନୀୟ, ଅରାମୀୟ ପରାଜିତ
10ଏହିରୂପେ ଯୋୟାବ ଆପଣା ବିରୁଦ୍ଧରେ ଆଗେ ଓ ପଛେ ଯୁଦ୍ଧ ସଜ୍ଜିତ ହେବାର ଦେଖି ଇସ୍ରାଏଲର ସମୁଦାୟ ବଛା ଲୋକ ମଧ୍ୟରୁ ଲୋକ ବାଛି ଅରାମୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା। 11ଆଉ, ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭ୍ରାତା ଅବୀଶୟ ହସ୍ତରେ ସମର୍ପଣ କଲା; ତହୁଁ ସେମାନେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଆପଣାମାନଙ୍କୁ ଯୁଦ୍ଧାର୍ଥେ ସଜାଇଲେ। 12ପୁଣି, ସେ କହିଲା, “ଯଦି ଅରାମୀୟମାନେ ମୋ ନିମନ୍ତେ ପ୍ରବଳ ହୁଅନ୍ତି, ତେବେ ତୁମ୍ଭେ ମୋହର ସାହାଯ୍ୟ କରିବ; ମାତ୍ର ଯଦି ଅମ୍ମୋନ-ସନ୍ତାନମାନେ ତୁମ୍ଭ ନିମନ୍ତେ ପ୍ରବଳ ହୁଅନ୍ତି, ତେବେ ମୁଁ ତୁମ୍ଭର ସାହାଯ୍ୟ କରିବି। 13ବଳବାନ ହୁଅ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରସମୂହ ନିମନ୍ତେ ଆପଣାମାନଙ୍କୁ ବଳବାନ କରୁ; ତହିଁରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ, ସେ ତାହା କରନ୍ତୁ।” 14ତହିଁରେ ଯୋୟାବ ଓ ତାହାର ସଙ୍ଗୀ ଲୋକମାନେ ଯୁଦ୍ଧ କରିବା ପାଇଁ ଅରାମୀୟମାନଙ୍କ ସମ୍ମୁଖରେ ଉପସ୍ଥିତ ହୁଅନ୍ତେ, ସେମାନେ ତାହା ସମ୍ମୁଖରୁ ପଳାଇଲେ। 15ଏଥିରେ ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନ-ସନ୍ତାନଗଣ ମଧ୍ୟ ତାହାର ଭ୍ରାତା ଅବୀଶୟ ସମ୍ମୁଖରୁ ପଳାଇ ନଗରରେ ପ୍ରବେଶ କଲେ; ତହୁଁ ଯୋୟାବ ଯିରୂଶାଲମକୁ ଆସିଲା।
16ଏଉତ୍ତାରେ ଅରାମୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଦୂତ ପଠାଇ ନଦୀ ସେପାରିସ୍ଥ ଅରାମୀୟମାନଙ୍କୁ ବାହାର କରି ଆଣିଲେ। ହଦଦେଷରର ସେନାପତି ଶୋଫକ୍ ସେମାନଙ୍କର ଅଗ୍ରଣୀ ଥିଲା। 17ତହୁଁ ଦାଉଦଙ୍କୁ ଏହା ଜ୍ଞାତ କରାଯାʼନ୍ତେ, ସେ ସମୁଦାୟ ଇସ୍ରାଏଲକୁ ଏକତ୍ର କରି ଯର୍ଦ୍ଦନ ପାର ହେଲେ, ଆଉ ସେମାନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲେ। ତହିଁରେ ଦାଉଦ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାନ୍ତେ, ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କଲେ। 18ମାତ୍ର, ଅରାମୀୟମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ; ପୁଣି, ଦାଉଦ ଅରାମୀୟମାନଙ୍କର ସାତ ସହସ୍ର ରଥାରୂଢ଼ ଓ ଚାଳିଶ ହଜାର ପଦାତିକ ସୈନ୍ୟ ବଧ କଲେ ଓ ସେନାପତି ଶୋଫକ୍କୁ ବଧ କଲେ। 19ତହୁଁ ହଦଦେଷରର ଦାସମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଦାଉଦଙ୍କ ସଙ୍ଗେ ସନ୍ଧି କରି ତାଙ୍କର ଦାସ ହେଲେ; ପୁଣି, ଅରାମୀୟମାନେ ଅମ୍ମୋନ-ସନ୍ତାନଗଣର ସାହାଯ୍ୟ କରିବାକୁ ଆଉ ସମ୍ମତ ହେଲେ ନାହିଁ।


