ଦାଉଦଙ୍କ ଜନଗଣନା ଏବଂ ମହାମାରୀ
1ଏଥିଉତ୍ତାରେ ଶୟତାନ ଇସ୍ରାଏଲ ପ୍ରତିକୂଳରେ ଠିଆ ହୋଇ ଇସ୍ରାଏଲକୁ ଗଣନା କରିବା ପାଇଁ ଦାଉଦଙ୍କୁ ପ୍ରବର୍ତ୍ତାଇଲା। 2ତହିଁରେ ଦାଉଦ ଯୋୟାବକୁ ଓ ଲୋକମାନଙ୍କ ଅଧିପତିମାନଙ୍କୁ କହିଲେ, “ଯାଅ, ବେର୍ଶେବାଠାରୁ ଦାନ୍ ପର୍ଯ୍ୟନ୍ତ ଇସ୍ରାଏଲକୁ ଗଣନା କରି ମୋʼ ନିକଟକୁ ସମ୍ବାଦ ଆଣ, ତହିଁରେ ମୁଁ ସେମାନଙ୍କର ସଂଖ୍ୟା ଜାଣିବି।” 3ଏଥିରେ ଯୋୟାବ କହିଲା, “ଏବେ ଯେତେ ଅଛନ୍ତି, ସଦାପ୍ରଭୁ ତହିଁର ଶତଗୁଣ ଅଧିକ ଆପଣା ଲୋକଙ୍କୁ ବୃଦ୍ଧି କରନ୍ତୁ; ମାତ୍ର, ହେ ମୋʼ ପ୍ରଭୁ ମହାରାଜ, ସେହି ସମସ୍ତେ କʼଣ ମୋʼ ପ୍ରଭୁଙ୍କର ଦାସ ନୁହନ୍ତି? କାହିଁକି ମୋʼ ପ୍ରଭୁ ଏହା କରିବାକୁ ଚାହୁଁଅଛନ୍ତି? କାହିଁକି ସେ ଇସ୍ରାଏଲର ଅପରାଧର କାରଣ ହେବେ?” 4ତଥାପି ଯୋୟାବ ପ୍ରତି ରାଜାଙ୍କର ବାକ୍ୟ ପ୍ରବଳ ହେଲା। ଏହେତୁ ଯୋୟାବ ପ୍ରସ୍ଥାନ କରି ସମୁଦାୟ ଇସ୍ରାଏଲ ମଧ୍ୟରେ ଭ୍ରମଣ କରି ଯିରୂଶାଲମରେ ଉପସ୍ଥିତ ହେଲା। 5ପୁଣି, ଯୋୟାବ ଦାଉଦଙ୍କ ନିକଟରେ ଗଣିତ ଲୋକମାନଙ୍କର ସଂଖ୍ୟା ସମର୍ପଣ କଲା। ତହିଁରେ ସମସ୍ତ ଇସ୍ରାଏଲର ଏଗାର ଲକ୍ଷ ଖଡ୍ଗଧାରୀ ଲୋକ ଓ ଯିହୁଦାର ଚାରି ଲକ୍ଷ ସତୁରି ହଜାର ଖଡ୍ଗଧାରୀ ଲୋକ ଥିଲେ। 6ମାତ୍ର, ସେ ସେମାନଙ୍କ ମଧ୍ୟରେ ଲେବୀ ଓ ବିନ୍ୟାମୀନ୍-ଲୋକମାନଙ୍କୁ ଗଣନା କଲା ନାହିଁ; କାରଣ, ଯୋୟାବ ପ୍ରତି ରାଜାଙ୍କର ବାକ୍ୟ ଘୃଣାଯୋଗ୍ୟ ଥିଲା।
7ଆଉ, ପରମେଶ୍ୱର ଏହି କାର୍ଯ୍ୟରେ ଅସନ୍ତୁଷ୍ଟ ହେଲେ; ଏହେତୁ ସେ ଇସ୍ରାଏଲକୁ ଆଘାତ କଲେ। 8ତହୁଁ ଦାଉଦ ପରମେଶ୍ୱରଙ୍କୁ କହିଲେ, “ଏହି କର୍ମ କରିବାରେ ମୁଁ ମହାପାପ କରିଅଛି; ମାତ୍ର, ଏବେ ମୁଁ ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କର; କାରଣ, ମୁଁ ଅତି ମୂର୍ଖର କର୍ମ କରିଅଛି।” 9ଏଥିରେ ସଦାପ୍ରଭୁ ଦାଉଦଙ୍କର ଦର୍ଶକ ଗାଦ୍କୁ କହିଲେ, 10“ଯାଅ, ଦାଉଦଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭ ଆଗରେ ତିନି କଥା ରଖୁଅଛୁ; ତହିଁ ମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କର, ତାହା ହିଁ ଆମ୍ଭେ ତୁମ୍ଭ ପ୍ରତି କରିବୁ।’” 11ତହିଁରେ ଗାଦ୍ ଦାଉଦଙ୍କ ନିକଟକୁ ଆସି ତାଙ୍କୁ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ଯାହା ତୁମ୍ଭର ଇଚ୍ଛା, ତାହା ଗ୍ରହଣ କର; 12ତିନି ବର୍ଷ ଦୁର୍ଭିକ୍ଷ ହେବ; ଅବା ତୁମ୍ଭେ ଆପଣା ବିପକ୍ଷମାନଙ୍କ ସମ୍ମୁଖରେ ତିନି ମାସ ପର୍ଯ୍ୟନ୍ତ କ୍ଷୀଣ ହୁଅନ୍ତେ, ତୁମ୍ଭ ଶତ୍ରୁମାନଙ୍କ ଖଡ୍ଗ ତୁମ୍ଭକୁ ଧରିବ; କିଅବା ତିନି ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଖଡ୍ଗ ଭ୍ରମଣ କରିବ, ଅର୍ଥାତ୍, ଦେଶରେ ମହାମାରୀ ହେବ ଓ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସଦାପ୍ରଭୁଙ୍କ ଦୂତ ବିନାଶ କରିବ। ମୋʼ ପ୍ରେରଣକର୍ତ୍ତାଙ୍କୁ ମୁଁ ଫେରି କି ଉତ୍ତର ଦେବି, ତାହା ଏବେ ବିବେଚନା କର।” 13ତହିଁରେ ଦାଉଦ ଗାଦ୍କୁ କହିଲେ, “ମୁଁ ବଡ଼ ଅସୁବିଧାରେ ପଡ଼ିଲି; ମୁଁ ସଦାପ୍ରଭୁଙ୍କ ହସ୍ତରେ ପଡ଼େ, କାରଣ, ତାହାଙ୍କର ଦୟା ଅତି ପ୍ରଚୁର; ମାତ୍ର, ମୁଁ ମନୁଷ୍ୟ ହସ୍ତରେ ନ ପଡ଼େ।”
14ତହୁଁ ସଦାପ୍ରଭୁ ଇସ୍ରାଏଲ ଉପରେ ମହାମାରୀ ପଠାଇଲେ; ତହିଁରେ ଇସ୍ରାଏଲ ମଧ୍ୟରୁ ସତୁରି ହଜାର ଲୋକ ମଲେ। 15ଏଉତ୍ତାରେ ପରମେଶ୍ୱର ଯିରୂଶାଲମ ବିନାଶ କରିବା ପାଇଁ ସେଠାକୁ ଦୂତ ପଠାଇଲେ; ଆଉ ସେ ବିନାଶ କରିବାକୁ ଉଦ୍ୟତ ହେବା ସମୟରେ ସଦାପ୍ରଭୁ ଦୃଷ୍ଟିପାତ କଲେ ଓ ସେହି ବିପଦ ସକାଶୁ ଦୁଃଖିତ ହୋଇ ସେହି ବିନାଶକ ଦୂତକୁ କହିଲେ, “ଯଥେଷ୍ଟ ହେଲା! ଏବେ ତୁମ୍ଭ ହସ୍ତ ସଙ୍କୁଚିତ କର।” ତେବେ ସଦାପ୍ରଭୁଙ୍କ ସେହି ଦୂତ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନ ନିକଟରେ ଠିଆ ହେଲା। 16ତହୁଁ ଦାଉଦ ଅନାଇ ସଦାପ୍ରଭୁଙ୍କ ଦୂତକୁ ପୃଥିବୀ ଓ ଆକାଶ ମଧ୍ୟରେ ଠିଆ ହୋଇ ଆପଣା ହସ୍ତରେ ନିଷ୍କୋଷ ଖଡ୍ଗ ଯିରୂଶାଲମ ଉପରେ ପ୍ରସାରିତ କରିଥିବାର ଦେଖିଲେ। ସେତେବେଳେ ଅଖାବସ୍ତ୍ର ପରିହିତ ଦାଉଦ ଓ ପ୍ରାଚୀନମାନେ ମୁହଁ ମାଡ଼ି ପଡ଼ିଲେ। 17ପୁଣି, ଦାଉଦ ପରମେଶ୍ୱରଙ୍କୁ କହିଲେ, “ଲୋକ ଗଣନା କରିବାକୁ ଯେ ଆଜ୍ଞା ଦେଲା, ସେ କʼଣ ମୁଁ ନୁହେଁ? ମୁଁ ସିନା ପାପ କରିଅଛି ଓ ଅତି ଦୁଷ୍କର୍ମ କରିଅଛି; ମାତ୍ର ଏହି ମେଷଗଣ କଅଣ କଲେ? ବିନୟ କରୁଅଛି, ହେ ସଦାପ୍ରଭୁ ଆମ୍ଭ ପରମେଶ୍ୱର, ତୁମ୍ଭ ହସ୍ତ ମୋʼ ବିରୁଦ୍ଧରେ ଓ ମୋʼ ପିତୃଗୃହ ପ୍ରତିକୂଳରେ ହେଉ, ମାତ୍ର, ତୁମ୍ଭର ଲୋକମାନଙ୍କୁ ପ୍ରହାର କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ନ ହେଉ।”


