ଦାଉଦଙ୍କ ଯଜ୍ଞବେଦି

18ସେତେବେଳେ ସଦାପ୍ରଭୁଙ୍କ ଦୂତ ଦାଉଦଙ୍କୁ କହିବା ପାଇଁ ଗାଦ୍‍କୁ ଆଜ୍ଞା କଲେ ଯେ, ଦାଉଦ ଯାଇ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କରୁ। 19ତହୁଁ ସଦାପ୍ରଭୁଙ୍କ ନାମରେ କଥିତ ଗାଦ୍‍ର ବାକ୍ୟାନୁସାରେ ଦାଉଦ ଗଲେ। 20ସେତେବେଳେ ଅରଣନ ଗହମ ମଳୁଥିଲା; ପୁଣି, ସେ ମୁଖ ଫେରାଇ ଦୂତଙ୍କୁ ଦେଖିଲା; ତହୁଁ ତାହାର ସଙ୍ଗେ ଥିବା ଚାରି ପୁତ୍ର ଲୁଚିଲେ। 21ଆଉ ଦାଉଦ ଅରଣନ ନିକଟକୁ ଆସୁ ଆସୁ ଅରଣନ ଅନାଇ ଦାଉଦଙ୍କୁ ଦେଖନ୍ତେ, ଶସ୍ୟମର୍ଦ୍ଦନ ସ୍ଥାନରୁ ବାହାରି ଆସି ଦାଉଦଙ୍କ ନିକଟରେ ମୁହଁ ମାଡ଼ି ଭୂମିଷ୍ଠ ପ୍ରଣାମ କଲା। 22ତେବେ ଦାଉଦ ଅରଣନକୁ କହିଲେ, “ମୋତେ ଏହି ଶସ୍ୟମର୍ଦ୍ଦନ ସ୍ଥାନ ଦିଅ, ମୁଁ ତହିଁରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବି; ସମ୍ପୂର୍ଣ୍ଣ ମୂଲ୍ୟ ନେଇ ତାହା ମୋତେ ଦିଅ; ତହିଁରେ ଲୋକମାନଙ୍କ ମଧ୍ୟରୁ ମହାମାରୀ ନିବୃତ୍ତ ହେବ।” 23ତହୁଁ ଅରଣନ ଦାଉଦଙ୍କୁ କହିଲା, “ନିଅନ୍ତୁ, ମୋʼ ପ୍ରଭୁ ମହାରାଜଙ୍କୁ ଯାହା ଭଲ ଦିଶେ, ତାହା କରନ୍ତୁ; ଦେଖନ୍ତୁ, ମୁଁ ହୋମବଳି ନିମନ୍ତେ ଏହି ବୃଷସବୁ ଓ କାଷ୍ଠ ନିମନ୍ତେ ଏହି ମର୍ଦ୍ଦନ ଯନ୍ତ୍ର ଓ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଏହି ଗହମ ଦେଉଅଛି; ମୁଁ ସବୁ ଦେଉଅଛି।” 24ଏଥିରେ ଦାଉଦ ରାଜା ଅରଣନକୁ କହିଲେ, “ନା; ମାତ୍ର ମୁଁ ଅବଶ୍ୟ ପୂର୍ଣ୍ଣ ମୂଲ୍ୟ ଦେଇ ତାହା କିଣିବି; କାରଣ, ଯାହା ତୁମ୍ଭର, ତାହା ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନେବି ନାହିଁ, କିଅବା ବିନାମୂଲ୍ୟର ହୋମବଳି ଉତ୍ସର୍ଗ କରିବି ନାହିଁ।” 25ତହୁଁ ଦାଉଦ ସେହି ସ୍ଥାନ ନିମନ୍ତେ ଛଅ ଶହ ଶେକଲ ସୁନା ତୌଲ କରି ଅରଣନକୁ ଦେଲେ। 26ପୁଣି, ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ, ଆଉ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ; ତହିଁରେ ସେ ହୋମବଳିର ବେଦି ଉପରେ ଅଗ୍ନି ଦ୍ୱାରା ଆକାଶରୁ ତାଙ୍କୁ ଉତ୍ତର ଦେଲେ। 27ପୁଣି, ସଦାପ୍ରଭୁ ଦୂତଙ୍କୁ ଆଜ୍ଞା କଲେ; ତହିଁରେ ସେ ଆପଣା ଖଡ୍ଗ ପୁନର୍ବାର ତହିଁର କୋଷରେ ରଖିଲା।

28ସେତେବେଳେ ସଦାପ୍ରଭୁ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନରେ ଉତ୍ତର ଦେବାର ଦେଖି ଦାଉଦ ସେହି ସ୍ଥାନରେ ବଳିଦାନ କଲେ। 29କାରଣ, ପ୍ରାନ୍ତରରେ ମୋଶାଙ୍କ ନିର୍ମିତ ସଦାପ୍ରଭୁଙ୍କ ଆବାସ ଓ ହୋମବଳିର ବେଦି ସେହି ସମୟରେ ଗିବୀୟୋନ୍‍ସ୍ଥ ଉଚ୍ଚସ୍ଥଳୀରେ ଥିଲା। 30ମାତ୍ର, ଦାଉଦ ପରମେଶ୍ୱରଙ୍କୁ ପଚାରିବା ପାଇଁ ତହିଁ ସମ୍ମୁଖକୁ ଯାଇ ପାରିଲେ ନାହିଁ; କାରଣ, ସେ ସଦାପ୍ରଭୁଙ୍କ ଦୂତର ଖଡ୍ଗ ସକାଶୁ ଭୀତ ହୋଇଥିଲେ।

1ସେତେବେଳେ ଦାଉଦ କହିଲେ, “ଏହି ଗୃହ ସଦାପ୍ରଭୁ ପରମେଶ୍ୱରଙ୍କର ଓ ଏହି ହୋମବଳିର ବେଦି ଇସ୍ରାଏଲର।”