ମନ୍ଦିର ସଂକ୍ରାନ୍ତ ଅନ୍ୟାନ୍ୟ କାର୍ଯ୍ୟ

20ପୁଣି, ଲେବୀୟମାନଙ୍କ ମଧ୍ୟରୁ ଅହୀୟ ପରମେଶ୍ୱରଙ୍କ ଗୃହର କୋଷାଧ୍ୟକ୍ଷ ଓ ପବିତ୍ରୀକୃତ ସକଳ ବସ୍ତୁର କୋଷାଧ୍ୟକ୍ଷ ଥିଲା। 21ଲାଦନ୍‍ର ସନ୍ତାନଗଣ; ଲାଦନ୍‍ ସମ୍ବନ୍ଧୀୟ ଗେର୍ଶୋନୀୟ-ସନ୍ତାନଗଣ, ଗେର୍ଶୋନୀୟ ଲାଦନ୍‍ ସମ୍ବନ୍ଧୀୟ ପିତୃବଂଶର ପ୍ରଧାନଗଣ; ଯଥା,

22ଯିହୀୟେଲି। ଯିହୀୟେଲିର ପୁତ୍ର ସେଥମ୍‍ ଓ ତାହାର ଭ୍ରାତା ଯୋୟେଲ ସଦାପ୍ରଭୁଙ୍କ ଗୃହର କୋଷାଧ୍ୟକ୍ଷ ଥିଲେ। 23ଅମ୍ରାମୀୟମାନଙ୍କ, ଯିଷ୍‍ହରୀୟମାନଙ୍କ, ହିବ୍ରୋଣୀୟମାନଙ୍କ, ଉଷୀୟେଲୀୟମାନଙ୍କ ମଧ୍ୟରେ 24ମୋଶାଙ୍କର ପୁତ୍ର ଗେର୍ଶୋମର ସନ୍ତାନ ଶବୂୟେଲ କୋଷାଧ୍ୟକ୍ଷ ଥିଲା। 25ପୁଣି, ତାହାର ଭ୍ରାତୃଗଣ; ଇଲୀୟେଜରର ପୁତ୍ର ରହବୀୟ

ଓ ତାହାର ପୁତ୍ର ଯିଶାଇୟ

ଓ ତାହାର ପୁତ୍ର ଯୋରାମ୍‍

ଓ ତାହାର ପୁତ୍ର ସିଖ୍ରି

ଓ ତାହାର ପୁତ୍ର ଶଲୋମୀତ୍‍।

26ଦାଉଦ ରାଜା ଓ ପିତୃବଂଶର ପ୍ରଧାନମାନେ, ସହସ୍ରପତି ଓ ଶତପତିମାନେ ଓ ସେନାପତିମାନେ ଯେସକଳ ବସ୍ତୁ ପବିତ୍ର କରିଥିଲେ, ଏହି ଶଲୋମୀତ୍‍ ଓ ତାହାର ଭ୍ରାତୃଗଣ ସେହି ସବୁ ପବିତ୍ରୀକୃତ ବସ୍ତୁର କୋଷାଧ୍ୟକ୍ଷ ଥିଲେ। 27ସେମାନେ ସଦାପ୍ରଭୁଙ୍କ ଗୃହର ପୁନଃନିର୍ମାଣ ନିମନ୍ତେ ଯୁଦ୍ଧରେ ପ୍ରାପ୍ତ ଲୁଟଦ୍ରବ୍ୟ ମଧ୍ୟରୁ ପବିତ୍ର କଲେ। 28ପୁଣି, ଶାମୁୟେଲ ଦର୍ଶକ ଓ କୀଶ୍‍ର ପୁତ୍ର ଶାଉଲ ଓ ନେର୍‍ର ପୁତ୍ର ଅବ୍‍ନର, ସରୁୟାର ପୁତ୍ର ଯୋୟାବ ଯେସବୁ ଦ୍ରବ୍ୟ ପବିତ୍ର କରିଥିଲେ; ଯିଏ ଯାହା କିଛି ପବିତ୍ର କରିଥିଲା, ତାହା ଶଲୋମୀତ୍‍ର ଓ ତାହାର ଭ୍ରାତୃଗଣର ହସ୍ତାଧୀନରେ ରହିଲା।