ଅନ୍ୟ ଲେବୀୟମାନଙ୍କ କାର୍ଯ୍ୟଭାର
29ଯିଷ୍ହରୀୟମାନଙ୍କ ମଧ୍ୟରୁ କନନୀୟ ଓ ତାହାର ପୁତ୍ରଗଣ ବାହାର କାର୍ଯ୍ୟ ନିମନ୍ତେ ଇସ୍ରାଏଲ ଉପରେ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ହେଲେ। 30ହିବ୍ରୋଣୀୟମାନଙ୍କ ମଧ୍ୟରୁ ହଶବୀୟ ଓ ତାହାର ଭ୍ରାତୃଗଣ ଏକ ସହସ୍ର ସାତ ଶହ ବିକ୍ରମୀ ପୁରୁଷ ସଦାପ୍ରଭୁଙ୍କର ସକଳ କାର୍ଯ୍ୟ ଓ ରାଜସେବା ନିମନ୍ତେ ଯର୍ଦ୍ଦନ ସେପାରି ପଶ୍ଚିମ ଦିଗରେ ଇସ୍ରାଏଲର ତତ୍ତ୍ୱାବଧାରକ ଥିଲେ। 31ହିବ୍ରୋଣୀୟମାନଙ୍କ ପିତୃବଂଶାନୁଯାୟୀ ବଂଶାବଳୀରେ ଯିରୀୟ ହିବ୍ରୋଣୀୟମାନଙ୍କ ମଧ୍ୟରେ ପ୍ରଧାନ ଥିଲା। ଦାଉଦଙ୍କ ରାଜତ୍ଵର ଚାଳିଶ ବର୍ଷରେ ସେମାନଙ୍କର ଅନୁସନ୍ଧାନ କରାଯାʼନ୍ତେ, ସେମାନଙ୍କ ମଧ୍ୟରେ ଗିଲୀୟଦସ୍ଥ ଯାସେରରେ ମହାବିକ୍ରମଶାଳୀ ଲୋକମାନେ ଦେଖାଗଲେ। 32ଆଉ ଯିରୀୟର ଭ୍ରାତୃଗଣ ବିକ୍ରମଶାଳୀ, ପିତୃବଂଶର ପ୍ରଧାନ, ଦୁଇ ସହସ୍ର ସାତ ଶହ ଲୋକ ଥିଲେ; ଦାଉଦ ରାଜା ସେମାନଙ୍କୁ ପରମେଶ୍ୱରଙ୍କ ସମ୍ବନ୍ଧୀୟ ସକଳ ବିଷୟ ନିମନ୍ତେ ଓ ରାଜକାର୍ଯ୍ୟ ନିମନ୍ତେ ରୁବେନୀୟ ଓ ଗାଦୀୟମାନଙ୍କ ଓ ମନଃଶିର ଅର୍ଦ୍ଧ ବଂଶ ଉପରେ ନିଯୁକ୍ତ କଲେ।


