ମନ୍ଦିର ନିମନ୍ତେ ଦାଉଦଙ୍କ ନିର୍ଦ୍ଦେଶାବଳୀ

1ଏଥିଉତ୍ତାରେ ଦାଉଦ ଇସ୍ରାଏଲର ସମଗ୍ର ଅଧିପତିଙ୍କୁ, ବଂଶାଧିପତିଗଣଙ୍କୁ ଓ ପାଳିକ୍ରମେ ରାଜାଙ୍କର ସେବାକାରୀ ଦଳର ଅଧ୍ୟକ୍ଷମାନଙ୍କୁ, ପୁଣି, ସହସ୍ରପତି ଓ ଶତପତିମାନଙ୍କୁ, ଆଉ ରାଜାଙ୍କର ଓ ରାଜପୁତ୍ରମାନଙ୍କର ସକଳ ସମ୍ପତ୍ତି ଓ ଅଧିକାରର ଅଧ୍ୟକ୍ଷମାନଙ୍କୁ ଓ ନପୁଂସକଗଣକୁ ଓ ବୀରମାନଙ୍କୁ ଓ ମହାବିକ୍ରମଶାଳୀ ଲୋକଙ୍କୁ ଯିରୂଶାଲମରେ ଏକତ୍ର କଲେ। 2ତହୁଁ ଦାଉଦ ରାଜା ଆପଣା ପାଦରେ ଠିଆ ହୋଇ କହିଲେ, “ହେ ମୋହର ଭ୍ରାତୃଗଣ, ମୋହର ଲୋକମାନେ, ମୋହର କଥା ଶୁଣ; ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପାଦପୀଠ ନିମନ୍ତେ ଏକ ବିଶ୍ରାମର ଗୃହ ନିର୍ମାଣ କରିବା ମୋହର ମନସ୍ଥ ଥିଲା ଓ ମୁଁ ନିର୍ମାଣାର୍ଥେ ଆୟୋଜନ କରିଥିଲି। 3ମାତ୍ର ପରମେଶ୍ୱର ମୋତେ କହିଲେ, ‘ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ ନାହିଁ, କାରଣ ତୁମ୍ଭେ ଯୁଦ୍ଧକାରୀ ଓ ରକ୍ତପାତ କରିଅଛ।’ 4ଯାହାହେଉ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ମୋହର ସମୁଦାୟ ପିତୃବଂଶ ମଧ୍ୟରୁ ମୋତେ ଇସ୍ରାଏଲ ଉପରେ ନିତ୍ୟ ରାଜା ହେବା ପାଇଁ ମନୋନୀତ କରିଅଛନ୍ତି; କାରଣ ସେ ଅଗ୍ରଣୀ ହେବା ପାଇଁ ଯିହୁଦାକୁ ଓ ଯିହୁଦା ବଂଶ ମଧ୍ୟରୁ ମୋʼ ପିତୃବଂଶକୁ ମନୋନୀତ କରିଅଛନ୍ତି; ସେ ମୋʼ ପିତାଙ୍କ ପୁତ୍ରଗଣ ମଧ୍ୟରୁ ମୋତେ ସମୁଦାୟ ଇସ୍ରାଏଲ ଉପରେ ରାଜା କରିବା ପାଇଁ ମୋʼ ଠାରେ ସନ୍ତୁଷ୍ଟ ହେଲେ; 5ସଦାପ୍ରଭୁ ମୋତେ ଅନେକ ପୁତ୍ର ଦେଇଅଛନ୍ତି, ମାତ୍ର ମୋହର ସବୁ ପୁତ୍ର ମଧ୍ୟରୁ ଇସ୍ରାଏଲ ଉପରେ ସଦାପ୍ରଭୁଙ୍କ ରାଜ୍ୟର ସିଂହାସନରେ ବସିବା ପାଇଁ ସେ ମୋʼ ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି। 6ଆଉ, ସେ ମୋତେ କହିଅଛନ୍ତି, ‘ତୁମ୍ଭ ପୁତ୍ର ଶଲୋମନ ଆମ୍ଭର ଗୃହ ଓ ଆମ୍ଭର ପ୍ରାଙ୍ଗଣସବୁ ନିର୍ମାଣ କରିବ; କାରଣ ଆମ୍ଭେ ତାହାକୁ ଆମ୍ଭର ପୁତ୍ର ହେବା ପାଇଁ ମନୋନୀତ କରିଅଛୁ ଓ ଆମ୍ଭେ ତାହାର ପିତା ହେବା। 7ଆଉ, ଆଜିର ନ୍ୟାୟ ଯଦି ସେ ଆମ୍ଭର ଆଜ୍ଞା ଓ ଶାସନସବୁ ପାଳନ କରିବାକୁ ଦୃଢ଼ଚିତ୍ତ ହେବ, ତେବେ ଆମ୍ଭେ ତାହାର ରାଜ୍ୟ ଚିରକାଳ ସ୍ଥିର କରିବା।’ 8ଏହେତୁ ଏବେ ସଦାପ୍ରଭୁଙ୍କ ସମାଜ ଓ ସମଗ୍ର ଇସ୍ରାଏଲ ସାକ୍ଷାତରେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ କର୍ଣ୍ଣଗୋଚରରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସକଳ ଆଜ୍ଞା ମନୋଯୋଗ କରି ଅନ୍ୱେଷଣ କର; ତହିଁରେ ତୁମ୍ଭେମାନେ ଏହି ଉତ୍ତମ ଦେଶ ଅଧିକାର କରିବ ଓ ତୁମ୍ଭମାନଙ୍କ ଉତ୍ତାରେ ଚିରକାଳ ତୁମ୍ଭମାନଙ୍କ ସନ୍ତାନଗଣର ଅଧିକାରାର୍ଥେ ତାହା ଛାଡ଼ିକରି ଯିବ।