ମନ୍ଦିର ନିର୍ମାଣ ନିମନ୍ତେ ଦାନ
1ଏଥିଉତ୍ତାରେ ଦାଉଦ ରାଜା ସମଗ୍ର ସମାଜକୁ କହିଲେ, “ପରମେଶ୍ୱର ଆମ୍ଭ ପୁତ୍ର ଶଲୋମନଙ୍କୁ ଏକା ମନୋନୀତ କରିଅଛନ୍ତି, ସେ ଏବେ ମଧ୍ୟ ଅଳ୍ପ ବୟସ୍କ ଓ କୋମଳ, ପୁଣି, କାର୍ଯ୍ୟ ଅତି ବଡ଼; କାରଣ ଏହି ପ୍ରାସାଦ ମନୁଷ୍ୟ ପାଇଁ ନୁହେଁ, ମାତ୍ର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ଅଟେ। 2ଏବେ ମୁଁ ଆପଣାର ସମସ୍ତ ଶକ୍ତିରେ ମୋʼ ପରମେଶ୍ୱରଙ୍କ ଗୃହ ନିମନ୍ତେ ପ୍ରଚୁର ରୂପେ ସ୍ୱର୍ଣ୍ଣମୟ ଦ୍ରବ୍ୟ ପାଇଁ ସୁନା ଓ ରୌପ୍ୟମୟ ଦ୍ରବ୍ୟ ପାଇଁ ରୂପା ଓ ପିତ୍ତଳମୟ ଦ୍ରବ୍ୟ ପାଇଁ ପିତ୍ତଳ, ଲୌହମୟ ଦ୍ରବ୍ୟ ପାଇଁ ଲୁହା ଓ କାଷ୍ଠମୟ ଦ୍ରବ୍ୟ ପାଇଁ କାଷ୍ଠ; ଗୋମେଦକ ମଣି ଓ ଖଚନାର୍ଥକ ପ୍ରସ୍ତର, ଜଡ଼ିତ-କର୍ମାର୍ଥକ ପ୍ରସ୍ତର ଓ ନାନା ବର୍ଣ୍ଣର ପ୍ରସ୍ତର ଓ ସର୍ବପ୍ରକାର ବହୁମୂଲ୍ୟ ପ୍ରସ୍ତର ଓ ମର୍ମର ପ୍ରସ୍ତର ଆୟୋଜନ କରିଅଛି। 3ଆହୁରି ମଧ୍ୟ ମୁଁ ଏହି ପବିତ୍ର ଗୃହ ନିମନ୍ତେ ଯାହାସବୁ ଆୟୋଜନ କରିଅଛି, ତାହା ଛଡ଼ା ଓ ତହିଁ ଉପରେ ମୋʼ ନିଜର ସୁନା ଓ ରୂପାର ଭଣ୍ଡାର ଅଛି, ଆଉ ମୁଁ ମୋʼ ପରମେଶ୍ୱରଙ୍କ ଗୃହ ପ୍ରତି ଆପଣା ମନ ଆସକ୍ତ କରିଥିବାରୁ ମୁଁ ତାହାସବୁ ଆପଣା ପରମେଶ୍ୱରଙ୍କ ଗୃହ ନିମନ୍ତେ ଦେଉଅଛି। 4ଅର୍ଥାତ୍, ଗୃହର କାନ୍ଥରେ ମଡ଼ାଇବା ପାଇଁ ଓଫୀରର ସ୍ୱର୍ଣ୍ଣରୁ ତିନି ହଜାର ତାଳନ୍ତ ସ୍ୱର୍ଣ୍ଣ ଓ ସାତ ହଜାର ତାଳନ୍ତ ନିର୍ମଳ ରୂପା; 5ସ୍ୱର୍ଣ୍ଣମୟ ଦ୍ରବ୍ୟ ନିମନ୍ତେ ସୁନା ଓ ରୌପ୍ୟମୟ ଦ୍ରବ୍ୟ ନିମନ୍ତେ ରୂପା ଓ ଶିଳ୍ପକାରମାନଙ୍କ ହସ୍ତରେ ଯାହା ଯାହା କରାଯିବ, ସେହି ସବୁ ପ୍ରକାରର କାର୍ଯ୍ୟ ନିମନ୍ତେ ଦେଉଅଛି। ଅତଏବ, ଆଜି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାକୁ ପ୍ରତିଷ୍ଠା କରିବାକୁ କିଏ ସ୍ୱେଚ୍ଛାରେ ଉଦ୍ୟତ ଅଛି?”
6ତେବେ ପିତୃବଂଶର ଅଧିପତିମାନେ ଓ ଇସ୍ରାଏଲୀୟ ଗୋଷ୍ଠୀସମୂହର ଅଧିପତିମାନେ, ଆଉ ସହସ୍ର ଓ ଶତପତିମାନେ, ପୁଣି, ରାଜକାର୍ଯ୍ୟ-ଶାସକମାନେ ସ୍ୱେଚ୍ଛାରେ ଦାନ କଲେ; 7ଆଉ ସେମାନେ ପରମେଶ୍ୱରଙ୍କ ଗୃହର ସେବା ନିମନ୍ତେ ପାଞ୍ଚ ହଜାର ତାଳନ୍ତ ସ୍ୱର୍ଣ୍ଣ, ଦଶ ହଜାର ଡାରିକ୍ ମୁଦ୍ରା, ଦଶ ହଜାର ତାଳନ୍ତ ରୂପା, ଅଠର ହଜାର ତାଳନ୍ତ ପିତ୍ତଳ ଓ ଏକ ଲକ୍ଷ ତାଳନ୍ତ ଲୁହା ଦେଲେ। 8ପୁଣି, ଯେଉଁମାନଙ୍କ ନିକଟରେ ବହୁମୂଲ୍ୟ ପ୍ରସ୍ତରାଦି ମିଳିଲା, ସେମାନେ ଗେର୍ଶୋନୀୟ ଯିହୀୟେଲର ହସ୍ତାଧୀନ ସଦାପ୍ରଭୁଙ୍କ ଭଣ୍ଡାର ଗୃହରେ ତାହାସବୁ ଦେଲେ। 9ତହିଁରେ ଲୋକମାନେ ସ୍ୱେଚ୍ଛାପୂର୍ବକ ଦାନ କରିବାରୁ ଆନନ୍ଦ କଲେ, କାରଣ, ସେମାନେ ସିଦ୍ଧଚିତ୍ତରେ ସ୍ୱେଚ୍ଛାପୂର୍ବକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କଲେ; ପୁଣି, ଦାଉଦ ରାଜା ମଧ୍ୟ ମହାନନ୍ଦରେ ଆନନ୍ଦ କଲେ।


