ସମାଜ ସାକ୍ଷାତରେ ଦାଉଦଙ୍କ ପ୍ରାର୍ଥନା

10ଏହେତୁ ଦାଉଦ ସମଗ୍ର ସମାଜ ସାକ୍ଷାତରେ ସଦାପ୍ରଭୁଙ୍କର ଧନ୍ୟବାଦ କଲେ; ଆଉ ଦାଉଦ କହିଲେ, “ହେ ସଦାପ୍ରଭୋ, ଆମ୍ଭମାନଙ୍କ ପିତା ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ସଦାକାଳ ଧନ୍ୟ। 11ହେ ସଦାପ୍ରଭୋ, ମହତ୍ତ୍ୱ, ପରାକ୍ରମ, ଶୋଭା, ଜୟ ଓ ପ୍ରତାପ ତୁମ୍ଭର; କାରଣ, ସ୍ୱର୍ଗ ଓ ପୃଥିବୀରେ ଥିବା ସମସ୍ତ ବିଷୟ ତୁମ୍ଭର; ହେ ସଦାପ୍ରଭୋ, ରାଜ୍ୟ ତୁମ୍ଭର ଓ ତୁମ୍ଭେ ସକଳର ଉପରେ ମସ୍ତକ ରୂପେ ଉନ୍ନତ ଅଟ। 12ତୁମ୍ଭଠାରୁ ଧନ ଓ ସମ୍ଭ୍ରମ ଆସେ, ଆଉ ତୁମ୍ଭେ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରୁଅଛ; ବଳ ଓ ପରାକ୍ରମ ତୁମ୍ଭ ହସ୍ତରେ ଅଛି; ପୁଣି, ମହାନ କରିବାର ଓ ସମସ୍ତଙ୍କୁ ବଳ ଦେବାର ତୁମ୍ଭର ହସ୍ତାଧୀନ ଅଟେ। 13ଏହେତୁ ହେ ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ ଓ ତୁମ୍ଭ ଗୌରବାନ୍ୱିତ ନାମରେ ପ୍ରଶଂସା କରୁଅଛୁ।

14ମାତ୍ର, ମୁଁ କିଏ ଓ ମୋହର ଲୋକମାନେ କିଏ ଯେ, ଆମ୍ଭେମାନେ ଏପରି ସ୍ୱେଚ୍ଛାପୂର୍ବକ ଏପ୍ରକାର ଦାନ କରିବାକୁ ସମର୍ଥ ହେବୁ? କାରଣ, ସମଗ୍ର ବିଷୟ ତୁମ୍ଭଠାରୁ ଆସେ ଓ ତୁମ୍ଭ ନିଜ ପଦାର୍ଥରୁ ଆମ୍ଭେମାନେ ତୁମ୍ଭକୁ ଦେଇଅଛୁ। 15କାରଣ, ଆମ୍ଭେମାନେ ଆପଣାମାନଙ୍କ ସମସ୍ତ ପୂର୍ବପୁରୁଷ ତୁଲ୍ୟ ତୁମ୍ଭ ସମ୍ମୁଖରେ ବିଦେଶୀ ଓ ପ୍ରବାସୀ; ପୃଥିବୀରେ ଆମ୍ଭମାନଙ୍କ ଦିନ ଛାୟା ତୁଲ୍ୟ ଓ ସ୍ଥାୟିତ୍ୱ କିଛି ନାହିଁ। 16ହେ ସଦାପ୍ରଭୋ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭ ପବିତ୍ର ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବା ପାଇଁ ଆମ୍ଭେମାନେ ଏହି ଯେଉଁ ସକଳ ପଦାର୍ଥ ସଞ୍ଚୟ କରିଅଛୁ, ତାହା ତୁମ୍ଭ ହସ୍ତରୁ ଆସିଅଛି ଓ ସବୁ ତୁମ୍ଭ ନିଜର ଅଟେ। 17ଆହୁରି ହେ ମୋହର ପରମେଶ୍ୱର, ମୁଁ ଜାଣେ ଯେ, ତୁମ୍ଭେ ଅନ୍ତଃକରଣ ପରୀକ୍ଷା କରିଥାଅ ଓ ସରଳତାରେ ତୁମ୍ଭର ସନ୍ତୋଷ ଥାଏ। ମୁଁ ଆପଣା ଅନ୍ତଃକରଣର ସରଳତାରେ ସ୍ୱେଚ୍ଛାପୂର୍ବକ ଏହିସବୁ ପଦାର୍ଥ ଦାନ କରିଅଛି; ଆଉ ଏଠାରେ ଉପସ୍ଥିତ ତୁମ୍ଭ ଲୋକମାନଙ୍କୁ ସ୍ୱେଚ୍ଛାପୂର୍ବକ ତୁମ୍ଭ ଉଦ୍ଦେଶ୍ୟରେ ଦାନ କରିବାର ଦେଖି ମୁଁ ଆନନ୍ଦିତ ହେଲି। 18ହେ ସଦାପ୍ରଭୋ, ଆମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମର, ଇସ୍‌ହାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଆପଣା ଲୋକମାନଙ୍କ ହୃଦୟସ୍ଥ ଚିନ୍ତାର କଳ୍ପନାରେ ଏହା ସଦାକାଳ ରଖ ଓ ତୁମ୍ଭ ପ୍ରତି ସେମାନଙ୍କ ହୃଦୟ ପ୍ରସ୍ତୁତ କର; 19ପୁଣି, ତୁମ୍ଭର ଆଜ୍ଞା, ତୁମ୍ଭ ପ୍ରମାଣ-ବାକ୍ୟ ଓ ତୁମ୍ଭ ବିଧିସବୁ ପାଳନ କରିବା ପାଇଁ ଓ ଏହିସବୁ କାର୍ଯ୍ୟ କରିବା ପାଇଁ, ଆଉ, ମୁଁ ଯେଉଁ ପ୍ରାସାଦ ପାଇଁ ଆୟୋଜନ କରୁଅଛି, ତାହା ନିର୍ମାଣ କରିବା ପାଇଁ ମୋʼ ପୁତ୍ର ଶଲୋମନକୁ ସିଦ୍ଧ ଅନ୍ତଃକରଣ ଦିଅ।”

20ଏଉତ୍ତାରେ ଦାଉଦ ସମଗ୍ର ସମାଜକୁ କହିଲେ, “ତୁମ୍ଭେମାନେ ଏବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଧନ୍ୟବାଦ କର।” ତହିଁରେ ସମସ୍ତ ସମାଜ ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କର ଧନ୍ୟବାଦ କଲେ ଓ ଆପଣା ଆପଣା ମସ୍ତକ ନତ କରି ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ପ୍ରଣାମ କଲେ। 21ତହୁଁ ସେମାନେ ପରଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ସହସ୍ର ଗୋରୁ, ଏକ ସହସ୍ର ମେଷ ଓ ଏକ ସହସ୍ର ମେଷଶାବକ ପେୟ-ନୈବେଦ୍ୟ ସହିତ ବଳିଦାନ କଲେ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ସମଗ୍ର ଇସ୍ରାଏଲ ନିମନ୍ତେ ଅଧିକ ପରିମାଣର ବଳି ଉତ୍ସର୍ଗ କଲେ।