ଶଲୋମନ ରାଜା ରୂପେ ଅଭିଷିକ୍ତ

22ଆଉ ସେହି ଦିନ ମହାନନ୍ଦରେ ସଦାପ୍ରଭୁଙ୍କ ସାକ୍ଷାତରେ ଭୋଜନପାନ କଲେ।

ପୁଣି, ସେମାନେ ଦାଉଦଙ୍କର ପୁତ୍ର ଶଲୋମନଙ୍କୁ ଦ୍ୱିତୀୟ ଥର ରାଜା କଲେ, ଆଉ ତାଙ୍କୁ ଅଗ୍ରଣୀ ହେବା ପାଇଁ ଓ ସାଦୋକକୁ ଯାଜକ ହେବା ପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଭିଷେକ କଲେ। 23ସେତେବେଳେ ଶଲୋମନ ଆପଣା ପିତା ଦାଉଦଙ୍କର ପଦରେ ରାଜା ରୂପେ ସଦାପ୍ରଭୁଙ୍କ ସିଂହାସନରେ ଉପବିଷ୍ଟ ହେଲେ ଓ କୁଶଳ ପ୍ରାପ୍ତ ହେଲେ ଓ ସମୁଦାୟ ଇସ୍ରାଏଲ ତାଙ୍କର ଆଜ୍ଞାକାରୀ ହେଲେ। 24ପୁଣି, ସମସ୍ତ ଅଧିପତି ଓ ବୀରଗଣ ଓ ଦାଉଦ ରାଜାଙ୍କର ସମସ୍ତ ପୁତ୍ର ମଧ୍ୟ ଶଲୋମନ ରାଜାଙ୍କର ବଶୀଭୂତ ହେଲେ। 25ଆଉ ସଦାପ୍ରଭୁ ସମଗ୍ର ଇସ୍ରାଏଲ ଦୃଷ୍ଟିରେ ଶଲୋମନଙ୍କୁ ଅତିଶୟ ମହାନ କଲେ ଓ ତାଙ୍କୁ ଏପରି ରାଜପ୍ରତାପ ଦାନ କଲେ ଯେ, ଇସ୍ରାଏଲ ମଧ୍ୟରେ ତାଙ୍କ ପୂର୍ବବର୍ତ୍ତୀ କୌଣସି ରାଜା ସେପରି ପ୍ରାପ୍ତ ହୋଇ ନ ଥିଲେ। 26ଯିଶୀର ପୁତ୍ର ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜ୍ୟ କଲେ।