ରୁବେନ୍‍ଙ୍କ ବଂଶଧର

1ଇସ୍ରାଏଲର ପ୍ରଥମଜାତ ରୁବେନ୍‍ର ସନ୍ତାନଗଣର କଥା, ରୁବେନ୍‍ ପ୍ରଥମଜାତ ଥିଲା; ମାତ୍ର ସେ ଆପଣା ପିତୃଶଯ୍ୟା ଅଶୁଚି କରିବାରୁ ତାହାର ଜ୍ୟେଷ୍ଠାଧିକାର ଇସ୍ରାଏଲର ପୁତ୍ର ଯୋଷେଫର ପୁତ୍ରମାନଙ୍କୁ ଦିଆଯାଇଥିଲା; ତଥାପି ଜ୍ୟେଷ୍ଠାଧିକାରାନୁସାରେ ବଂଶାବଳୀ ଲେଖା ହୁଏ ନାହିଁ। 2କାରଣ ଯିହୁଦା ଆପଣା ଭ୍ରାତୃଗଣ ଅପେକ୍ଷା ପରାକ୍ରମୀ ହେଲା ଓ ତାହାଠାରୁ ଅଧିପତି ଉତ୍ପନ୍ନ ହେଲେ; ମାତ୍ର ଜ୍ୟେଷ୍ଠାଧିକାର ଯୋଷେଫର ହେଲା; 3ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର ରୁବେନ୍‍ର ସନ୍ତାନ ହନୋକ ଓ ପଲ୍ଲୁ, ହିଷ୍ରୋଣ ଓ କର୍ମି। 4ଯୋୟେଲର ସନ୍ତାନଗଣ;

ତାହାର ପୁତ୍ର ଶମୟୀୟ,

ତାହାର ପୁତ୍ର ଗୋଗ୍‍,

ତାହାର ପୁତ୍ର ଶିମୀୟି;

5ତାହାର ପୁତ୍ର ମୀଖା,

ତାହାର ପୁତ୍ର ରାୟା,

ତାହାର ପୁତ୍ର ବାଲ୍‍;

6ତାହାର ପୁତ୍ର ବେରା, ଯାହାକୁ ଅଶୂର-ରାଜା ତିଗ୍ଲତ୍‍-ପିଲ୍‍ନେଷର ବନ୍ଦୀ କରି ନେଇଗଲା; ସେ ରୁବେନୀୟମାନଙ୍କର ଅଧିପତି ଥିଲା।

7ଯେତେବେଳେ ସେମାନଙ୍କ ବଂଶାବଳୀ ଲେଖାଗଲା, ସେତେବେଳେ ଆପଣା ଆପଣା ଗୋଷ୍ଠୀ ଅନୁସାରେ ଏହାର ଏହି ଭ୍ରାତୃଗଣ ଥିଲେ; ପ୍ରଧାନ ଯିୟୀୟେଲ୍‍ ଓ ଜିଖରୀୟ 8ଓ ଯୋୟେଲର ପ୍ରପୌତ୍ର ଶେମାର ପୌତ୍ର ଆସସ୍‍ର ପୁତ୍ର ବେଲା, ସେ ଅରୋୟେର ଓ ନବୋ ଓ ବାଲ୍‍-ମୀୟୋନ୍‍ ପର୍ଯ୍ୟନ୍ତ ବାସ କଲା। 9ପୁଣି, ପୂର୍ବ ଦିଗରେ ସେ ଫରାତ୍‍ ନଦୀଠାରୁ ପ୍ରାନ୍ତର-ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ବାସ କଲା; କାରଣ ଗିଲୀୟଦ ଦେଶରେ ସେମାନଙ୍କ ପଶୁଗଣ ବୃଦ୍ଧି ପାଇଥିଲେ। 10ପୁଣି, ଶାଉଲଙ୍କର ସମୟରେ ସେମାନେ ହାଗରୀୟମାନଙ୍କ ସହିତ ଯୁଦ୍ଧ କରନ୍ତେ, ହାଗରୀୟମାନେ ସେମାନଙ୍କ ହସ୍ତରେ ପତିତ ହେଲେ; ତହୁଁ ଏମାନେ ସେମାନଙ୍କ ତମ୍ବୁରେ ଗିଲୀୟଦ ଦେଶର ପୂର୍ବ ଦିଗରେ ସର୍ବତ୍ର ବାସ କଲେ।