ରାଜା ଦାଉଦଙ୍କ ବୃଦ୍ଧାବସ୍ଥା
1ଏଥିଉତ୍ତାରେ ଦାଉଦ ରାଜା ବୃଦ୍ଧ ଓ ଗତବୟସ୍କ ହେଲେ; ତହିଁରେ ଲୋକମାନେ ତାଙ୍କୁ ଅନେକ ବସ୍ତ୍ର ଘୋଡ଼ାଇଲେ, ମାତ୍ର ସେ କିଛି ଉଷ୍ଣତା ପାଇଲେ ନାହିଁ। 2ଏଥିପାଇଁ, ତାଙ୍କ ଦାସମାନେ ତାଙ୍କୁ କହିଲେ, ଆମ୍ଭମାନଙ୍କ ପ୍ରଭୁ ମହାରାଜଙ୍କ ନିମନ୍ତେ ଗୋଟିଏ ଯୁବତୀ କନ୍ୟା ଅନ୍ୱେଷଣ କରାଯାଉ ଓ ସେ ମହାରାଜଙ୍କ ଛାମୁରେ ଠିଆ ହୋଇ ସେବା କରୁ; ଆଉ ଆମ୍ଭମାନଙ୍କ ପ୍ରଭୁ ମହାରାଜ ଯେପରି ଉଷ୍ଣତା ପାଇବେ, ଏଥିପାଇଁ ସେ ଆପଣଙ୍କ କୋଳରେ ଶୟନ କରୁ। 3ତହିଁରେ ଲୋକମାନେ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସୁନ୍ଦରୀ କନ୍ୟାର ଅନ୍ୱେଷଣ କରି ଶୁନେମୀୟା ଅବୀଶଗ ନାମକ ଏକ କନ୍ୟାକୁ ପାଇ ରାଜାଙ୍କ ନିକଟକୁ ଆଣିଲେ। 4ସେହି ଯୁବତୀ ଅତି ସୁନ୍ଦରୀ ଥିଲା ଓ ସେ ରାଜାଙ୍କର ସେବା ଓ ପରିଚର୍ଯ୍ୟା କଲା; ମାତ୍ର ରାଜା ତାହାର ସହବାସ କଲେ ନାହିଁ।


