ପିତ୍ତଳ ବଇଠି

27ପୁଣି, ସେ ଦଶ ପିତ୍ତଳ ବଇଠି କଲା; ପ୍ରତ୍ୟେକ ବଇଠିର ଦୈର୍ଘ୍ୟ ଚାରି ହାତ, ପ୍ରସ୍ଥ ଚାରି ହାତ ଓ ଉଚ୍ଚତା ତିନି ହାତ ଥିଲା। 28ସେସବୁ ବଇଠିର ଗଠନ ଏହିରୂପ, ଯଥା, ସେସବୁର ମଧ୍ୟଦେଶ ଥିଲା; ସେହି ସବୁ ମଧ୍ୟଦେଶ ବିଟମାନର ମଧ୍ୟରେ ଥିଲା;

29ପୁଣି, ବିଟର ମଧ୍ୟବର୍ତ୍ତା ସେହି ସବୁ ମଧ୍ୟଦେଶରେ ସିଂହ, ଗୋରୁ ଓ କିରୂବମାନେ ଥିଲେ; ଆଉ ବିଟ ଉପରେ ଏକ ବଇଠି ଥିଲା; ପୁଣି, ସିଂହ ଓ ଗୋରୁମାନଙ୍କ ତଳେ ସୂକ୍ଷ୍ମ କାର୍ଯ୍ୟର ମାଳା ଥିଲା। 30ଆହୁରି ପ୍ରତ୍ୟେକ ବଇଠିର ପିତ୍ତଳମୟ ଚାରି ଚକ୍ର, ପିତ୍ତଳର ଅଖ ଥିଲା ଓ ଚାରି କୋଣରେ ସ୍ଥାପିତ ଅବଲମ୍ବନ ଥିଲା; ସେହି ସବୁ ଢଳାକର୍ମର ଅବଲମ୍ବନ ପ୍ରକ୍ଷାଳନ-ପାତ୍ର ତଳେ ଥିଲା ଓ ପ୍ରତ୍ୟେକର ପାର୍ଶ୍ୱରେ ମାଳା ଥିଲା। 31ପୁଣି, ତହିଁର ମୁଣ୍ଡାଳି ମଧ୍ୟରେ ଓ ତାହା ଉପରେ ତହିଁର ମୁଖ ଏକ ହସ୍ତ, ଆଉ ତହିଁର ମୁଖ ବଇଠିର କର୍ମାନୁସାରେ ଗୋଲାକାର ଓ ଦେଢ଼ ହସ୍ତ ପରିମିତ; ମଧ୍ୟ ତହିଁର ମୁଖ ଉପରେ ଶିଳ୍ପକାର୍ଯ୍ୟ ଓ ତହିଁର ମଧ୍ୟଦେଶସବୁ ଗୋଲାକାର ନ ହୋଇ ଚତୁଷ୍କୋଣ ଥିଲା। 32ପୁଣି, ମଧ୍ୟଦେଶ ତଳେ ଚାରି ଚକ୍ର ଓ ଚକ୍ରର ଅଖ ବଇଠିକିରେ ସଂଯୁକ୍ତ ଥିଲା; ଆଉ ପ୍ରତ୍ୟେକ ଚକ୍ର ଦେଢ଼ ହସ୍ତ ଉଚ୍ଚ ଥିଲା। 33ଆଉ ସେହି ସବୁ ଚକ୍ରର କର୍ମ ରଥଚକ୍ରର କର୍ମ ତୁଲ୍ୟ ଥିଲା; ତହିଁର ଅଖ, ନେମୀ, ନାଭି ଓ ଅରସବୁ ଢଳାକର୍ମର ଥିଲା। 34ପୁଣି, ପ୍ରତ୍ୟେକ ବଇଠିକିର ଚାରି କୋଣରେ ଚାରି ଅବଲମ୍ବନ ଥିଲା, ସେହି ଅବଲମ୍ବନ ବଇଠିକି ଦେହରେ ନିର୍ମିତ ଥିଲା। 35ଆଉ ବଇଠିକି ମୁଣ୍ଡରେ ଅର୍ଦ୍ଧ ହସ୍ତ ଉଚ୍ଚ ଏକ ଗୋଲାକାର ବନ୍ଧନୀ ଥିଲା; ପୁଣି, ବଇଠିକି ଉପରିସ୍ଥ ଅବଲମ୍ବନ ଓ ମଧ୍ୟଦେଶ ତହିଁ ସଙ୍ଗେ ନିର୍ମିତ ଥିଲା। 36ପୁଣି, ସେ ତହିଁର ଅବଲମ୍ବନ ପ୍ରଦେଶରେ ଓ ତହିଁର ମଧ୍ୟଦେଶରେ ପ୍ରତ୍ୟେକର ପରିମାଣାନୁଯାୟୀ କିରୂବ, ସିଂହ ଓ ଖର୍ଜ୍ଜୁର ବୃକ୍ଷ ଖୋଦନ କରି ଚତୁର୍ଦ୍ଦିଗରେ ମାଳା ଦେଲା। 37ଏହିରୂପେ ସେ ଏକ ଛାଞ୍ଚ, ଏକ ପରିମାଣ ଓ ଏକ ଆକାରରେ ସେହି ଦଶ ବଇଠିକିଯାକ ନିର୍ମାଣ କଲା। 38ଏଉତ୍ତାରେ ସେ ପିତ୍ତଳର ଦଶ ପ୍ରକ୍ଷାଳନ-ପାତ୍ର ନିର୍ମାଣ କଲା; ଏକ ଏକ ପାତ୍ର ଚାଳିଶ ମହଣ ଧରେ; ପ୍ରତ୍ୟେକ ପାତ୍ର ଚାରି ହସ୍ତ ପରିମିତ; ପୁଣି, ଦଶ ବଇଠିକିର ପ୍ରତ୍ୟେକର ଉପରେ ଏକ ଏକ ପ୍ରକ୍ଷାଳନ-ପାତ୍ର ରହିଲା। 39ପୁଣି, ସେ ଗୃହର ଦକ୍ଷିଣ ପାର୍ଶ୍ୱରେ ପାଞ୍ଚ ଓ ଗୃହର ବାମ ପାର୍ଶ୍ୱରେ ପାଞ୍ଚ ବଇଠିକି ରଖିଲା; ଆଉ ଗୃହର ଦକ୍ଷିଣ ପାର୍ଶ୍ୱରେ ପୂର୍ବ ଦିଗରେ ଦକ୍ଷିଣ ଆଡ଼କୁ ସମୁଦ୍ରରୂପ ପାତ୍ର ସ୍ଥାପନ କଲା।