ଶଲୋମନଙ୍କ ଶେଷ ପ୍ରାର୍ଥନା

54ଏଥିଉତ୍ତାରେ ଶଲୋମନ ସଦାପ୍ରଭୁଙ୍କ ନିକଟରେ ଏହିସବୁ ପ୍ରାର୍ଥନା ଓ ବିନତି-ନିବେଦନ କରିବାର ସମାପ୍ତ କରନ୍ତେ, ସେ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଜାନୁପାତରୁ ଓ ସ୍ୱର୍ଗ ଆଡ଼େ ହସ୍ତ-ବିସ୍ତାରକରଣରୁ ଉଠିଲେ। 55ପୁଣି, ସେ ଠିଆ ହୋଇ ଉଚ୍ଚସ୍ୱରରେ ଇସ୍ରାଏଲର ସମଗ୍ର ସମାଜକୁ ଆଶୀର୍ବାଦ କରି କହିଲେ, 56“ଯେଉଁ ସଦାପ୍ରଭୁ ଆପଣାର ସକଳ ପ୍ରତିଜ୍ଞାନୁସାରେ ନିଜ ଲୋକ ଇସ୍ରାଏଲକୁ ବିଶ୍ରାମ ଦେଇଅଛନ୍ତି, ସେ ଧନ୍ୟ ହେଉନ୍ତୁ; ସେ ଆପଣା ଦାସ ମୋଶାଙ୍କ ହସ୍ତରେ ଯେ ଯେ ପ୍ରତିଜ୍ଞା କରିଥିଲେ, ସେହି ସକଳ ଉତ୍ତମ ପ୍ରତିଜ୍ଞାର ଏକ କଥା ହିଁ ବିଫଳ ହୋଇ ନାହିଁ। 57ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ପିତୃଲୋକଙ୍କ ସଙ୍ଗେ ଯେପରି ଥିଲେ, ସେହିପରି ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଥାଉନ୍ତୁ; ସେ ଆମ୍ଭମାନଙ୍କୁ ତ୍ୟାଗ ନ କରନ୍ତୁ, କିଅବା ଆମ୍ଭମାନଙ୍କଠାରୁ ଦୂରବର୍ତ୍ତୀ ନ ହେଉନ୍ତୁ। 58ତାହାଙ୍କର ସମସ୍ତ ପଥରେ ଚାଲିବା ପାଇଁ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଦତ୍ତ ତାହାଙ୍କ ସମସ୍ତ ଆଜ୍ଞା, ବିଧି ଓ ଶାସନ ପାଳନ କରିବା ପାଇଁ ସେ ଆମ୍ଭମାନଙ୍କ ଅନ୍ତଃକରଣକୁ ଆପଣା ପ୍ରତି ଆକର୍ଷଣ କରନ୍ତୁ। 59ଆଉ, ମୁଁ ଏହି ଯେସବୁ କଥାରେ ସଦାପ୍ରଭୁଙ୍କ ସମ୍ମୁଖରେ ନିବେଦନ କଲି, ତାହା ଦିବାରାତ୍ର ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୋଚରରେ ଥାଉ, ପୁଣି, ପ୍ରତିଦିନର ପ୍ରୟୋଜନାନୁସାରେ ସେ ଆପଣା ଦାସର ବିଚାର ଓ ଆପଣା ଲୋକ ଇସ୍ରାଏଲର ବିଚାର ନିଷ୍ପତ୍ତି କରନ୍ତୁ; 60ତହିଁରେ ସଦାପ୍ରଭୁ ଯେ ପରମେଶ୍ୱର, ତାହାଙ୍କ ଛଡ଼ା ଅନ୍ୟ ନାହିଁ, ଏହା ପୃଥିବୀସ୍ଥ ସମୁଦାୟ ଗୋଷ୍ଠୀ ଜ୍ଞାତ ହେବେ। 61ଏହେତୁ ଆଜିର ନ୍ୟାୟ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବିଧିରୂପ ପଥରେ ଚାଲିବା ପାଇଁ ଓ ତାହାଙ୍କ ଆଜ୍ଞା ପାଳନ କରିବା ପାଇଁ ତୁମ୍ଭମାନଙ୍କ ଅନ୍ତଃକରଣ ତାହାଙ୍କଠାରେ ସିଦ୍ଧ ଥାଉ।”