ଶଲୋମନ ଈଶ୍ୱରଙ୍କଠାରୁ ବିମୁଖ
1ଶଲୋମନ ରାଜା ଫାରୋର କନ୍ୟା ଛଡ଼ା ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ, ସୀଦୋନୀୟ ଓ ହିତ୍ତୀୟ ଅନେକ ବିଦେଶୀୟା ସ୍ତ୍ରୀମାନଙ୍କୁ ପ୍ରେମ କଲେ; 2ଏହି ଗୋଷ୍ଠୀୟମାନଙ୍କ ବିଷୟରେ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣକୁ କହିଥିଲେ, “ତୁମ୍ଭେମାନେ ସେମାନଙ୍କ ମଧ୍ୟକୁ ଯିବ ନାହିଁ, କିଅବା ସେମାନେ ତୁମ୍ଭମାନଙ୍କ ମଧ୍ୟକୁ ଆସିବେ ନାହିଁ; କାରଣ ସେମାନେ ନିଶ୍ଚୟ ଆପଣା ଆପଣା ଦେବଗଣ ପ୍ରତି ତୁମ୍ଭମାନଙ୍କ ମନକୁ ବିପଥଗାମୀ କରିବେ;” ଶଲୋମନ ଏମାନଙ୍କ ପ୍ରତି ପ୍ରେମରେ ଆସକ୍ତ ହେଲେ। 3ଏଣୁ ତାଙ୍କର ସାତ ଶହ ରାଜପତ୍ନୀ ଓ ତିନି ଶହ ଉପପତ୍ନୀ ହେଲେ; ଆଉ ତାଙ୍କର ପତ୍ନୀମାନେ ତାଙ୍କର ମନକୁ ବିପଥଗାମୀ କଲେ। 4କାରଣ ଶଲୋମନ ବୃଦ୍ଧ ହୁଅନ୍ତେ ଏପରି ଘଟିଲା ଯେ, ତାଙ୍କର ପତ୍ନୀମାନେ ବିଦେଶୀୟ ଦେବତାଗଣ ପ୍ରତି ତାଙ୍କର ମନକୁ ବିପଥଗାମୀ କଲେ; ପୁଣି, ତାଙ୍କର ପିତା ଦାଉଦଙ୍କର ଅନ୍ତଃକରଣ ପରି ତାଙ୍କର ଅନ୍ତଃକରଣ ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ସିଦ୍ଧ ନୋହିଲା। 5ମାତ୍ର ଶଲୋମନ ସୀଦୋନୀୟମାନଙ୍କ ଦେବୀ ଅଷ୍ଟାରୋତ୍ର ଓ ଅମ୍ମୋନୀୟମାନଙ୍କ ମିଲ୍କମ୍ ନାମକ ଘୃଣାଯୋଗ୍ୟ ଦେବତାର ପଶ୍ଚାତ୍ଗାମୀ ହେଲେ। 6ପୁଣି, ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ଶଲୋମନ କଲେ ଓ ଆପଣା ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ପଶ୍ଚାତ୍ଗାମୀ ନୋହିଲେ। 7ତହୁଁ ଶଲୋମନ ଯିରୂଶାଲମ ସମ୍ମୁଖସ୍ଥ ପର୍ବତରେ ମୋୟାବର ଘୃଣାଯୋଗ୍ୟ କମୋଶ ନିମନ୍ତେ ଓ ଅମ୍ମୋନ-ସନ୍ତାନଗଣର ମୋଲକ୍ ନାମକ ଘୃଣାଯୋଗ୍ୟ ଦେବତା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ। 8ଏହିରୂପେ ତାଙ୍କର ଯେଉଁ ବିଦେଶୀୟା ପତ୍ନୀମାନେ ଆପଣା ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ ଓ ବଳିଦାନ କଲେ, ସେହି ସମସ୍ତଙ୍କ ପାଇଁ ସେ ସେହିପରି କଲେ।
9ଏହେତୁ ସଦାପ୍ରଭୁ ଶଲୋମନଙ୍କ ପ୍ରତି କ୍ରୁଦ୍ଧ ହେଲେ, କାରଣ ତାଙ୍କର ଅନ୍ତଃକରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରୁ ବିମୁଖ ହୋଇଥିଲା; ସଦାପ୍ରଭୁ ତାଙ୍କୁ ଦୁଇ ଥର ଦର୍ଶନ ଦେଇଥିଲେ 10ଓ ସେହି ବିଷୟରେ ଆଜ୍ଞା କରି ଅନ୍ୟ ଦେବଗଣର ପଶ୍ଚାତ୍ଗାମୀ ହେବାକୁ ନିଷେଧ କରିଥିଲେ; ମାତ୍ର ସଦାପ୍ରଭୁ ଯାହା ଆଜ୍ଞା କଲେ, ତାହା ସେ ପ୍ରତିପାଳନ କଲେ ନାହିଁ। 11ଏହେତୁ ସଦାପ୍ରଭୁ ଶଲୋମନଙ୍କୁ କହିଲେ, “ତୁମ୍ଭ ଦ୍ୱାରା ଏହିପରି ହେବାରୁ ଓ ଆମ୍ଭେ ତୁମ୍ଭକୁ ଆପଣାର ଯେଉଁ ନିୟମ ଓ ବିଧି ଆଜ୍ଞା କଲୁ, ତାହା ତୁମ୍ଭେ ପାଳନ ନ କରିବାରୁ ଆମ୍ଭେ ନିଶ୍ଚୟ ତୁମ୍ଭଠାରୁ ରାଜ୍ୟ ଚିରି ନେଇ ତୁମ୍ଭ ଦାସକୁ ଦେବା। 12ତଥାପି ତୁମ୍ଭ ପିତା ଦାଉଦଙ୍କ ସକାଶୁ ଆମ୍ଭେ ତୁମ୍ଭ ସମୟରେ ଏହା କରିବା ନାହିଁ; ମାତ୍ର ଆମ୍ଭେ ତୁମ୍ଭ ପୁତ୍ର ହସ୍ତରୁ ତାହା ଚିରି ନେବା। 13ତଥାପି ସମୁଦାୟ ରାଜ୍ୟ ଚିରି ନେବା ନାହିଁ; ମାତ୍ର ଆମ୍ଭ ଦାସ ଦାଉଦ ସକାଶୁ ଓ ଆମ୍ଭର ମନୋନୀତ ଯିରୂଶାଲମ ସକାଶୁ ଆମ୍ଭେ ତୁମ୍ଭ ପୁତ୍ରକୁ ଏକ ଗୋଷ୍ଠୀ ଦେବା।”


