ଶଲୋମନଙ୍କ ଶତ୍ରୁଗଣ
14ଏଥିଉତ୍ତାରେ ସଦାପ୍ରଭୁ ଇଦୋମୀୟ ହଦଦ୍କୁ ଶଲୋମନଙ୍କର ବିପକ୍ଷ କରି ଉତ୍ପନ୍ନ କଲେ; ସେ ଇଦୋମୀୟ ରାଜବଂଶଜ ଥିଲେ। 15ଯେତେବେଳେ ଦାଉଦ ଇଦୋମରେ ଥିଲେ ଓ ଯୋୟାବ ସେନାପତି ହତ ଲୋକମାନଙ୍କୁ କବର ଦେବା ପାଇଁ ଯାଇ ଇଦୋମର ପ୍ରତ୍ୟେକ ପୁରୁଷକୁ ଆଘାତ କରିଥିଲା; 16ସେତେବେଳେ ଯୋୟାବ ଓ ସମଗ୍ର ଇସ୍ରାଏଲ ଇଦୋମର ପ୍ରତ୍ୟେକ ପୁରୁଷକୁ ଉଚ୍ଛିନ୍ନ ନ କରିବା ପର୍ଯ୍ୟନ୍ତ ଛଅ ମାସ କାଳ ସେଠାରେ ରହିଥିଲେ; 17ସେସମୟରେ ହଦଦ୍ ଓ ତାହା ସଙ୍ଗେ ତାହା ପିତାର ଦାସ କେତେକ ଇଦୋମୀୟ ଲୋକ ମିସରକୁ ପଳାଇ ଯାଇଥିଲେ; ସେତେବେଳେ ହଦଦ୍ ସାନ ବାଳକ ଥିଲା। 18ସେମାନେ ମିଦୀୟନଠାରୁ ଉଠି ପାରଣକୁ ଆସିଲେ; ପୁଣି, ପାରଣରୁ ସଙ୍ଗରେ ଲୋକ ନେଇ ମିସରରେ ମିସରର ରାଜା ଫାରୋ ନିକଟରେ ଉପସ୍ଥିତ ହେଲେ; ସେ ତାହାକୁ ଗୃହ ଦେଇ ତାହା ପାଇଁ ଖାଦ୍ୟସାମଗ୍ରୀ ନିରୂପଣ କରି ତାହାକୁ ଭୂମି ଦେଲା। 19ପୁଣି, ହଦଦ୍ ଫାରୋ ଦୃଷ୍ଟିରେ ଅତିଶୟ ଅନୁଗ୍ରହ ପାଇଲା, ତେଣୁ ସେ ଆପଣା ଭାର୍ଯ୍ୟା ତହପନେଷ୍ ରାଣୀର ଭଗିନୀକୁ ତାହା ସଙ୍ଗେ ବିବାହ ଦେଲା; 20ଏଉତ୍ତାରେ ତହପନେଷ୍ର ଭଗିନୀ ତାହାର ଔରସରେ ଗନୁବତ୍ ନାମକ ପୁତ୍ର ପ୍ରସବ କଲା, ତହିଁରେ ତହପନେଷ୍ ଫାରୋର ଗୃହରେ ତାହାର ସ୍ତନ୍ୟତ୍ୟାଗ କରାଇଲା; ଆଉ ଗନୁବତ୍ ଫାରୋର ଗୃହରେ ଫାରୋର ପୁତ୍ରମାନଙ୍କ ସଙ୍ଗରେ ରହିଲା। 21ଏଥିଉତ୍ତାରେ ଦାଉଦ ଆପଣା ପିତୃଲୋକଙ୍କ ସହିତ ଶୟନ କରିଅଛି ଓ ସେନାପତି ଯୋୟାବ ମରିଅଛି, ଏହି ସମାଚାର ହଦଦ୍ ମିସରରେ ଶୁଣନ୍ତେ ଫାରୋକୁ କହିଲା, “ମୋତେ ପ୍ରସ୍ଥାନ କରିବାକୁ ଅନୁମତି ଦେଉନ୍ତୁ, ମୁଁ ସ୍ୱଦେଶକୁ ଯିବି।” 22ତହିଁରେ ଫାରୋ ତାହାକୁ କହିଲା, “ମାତ୍ର ମୋʼ ସଙ୍ଗେ ଥାଇ ତୁମ୍ଭର କି ଅଭାବ ହେଲା ଯେ, ଦେଖ, ତୁମ୍ଭେ ସ୍ୱଦେଶକୁ ଯିବା ପାଇଁ ବାଞ୍ଛା କରୁଅଛ?” ଏଥିରେ ସେ ଉତ୍ତର କଲା, “କିଛି ନାହିଁ; ତଥାପି କୌଣସିମତେ ପ୍ରସ୍ଥାନ କରିବା ପାଇଁ ମୋତେ ଅନୁମତି ଦେଉନ୍ତୁ।”
23ଆହୁରି ପରମେଶ୍ୱର ଇଲୀୟାଦାର ପୁତ୍ର ରଷୋଣକୁ ଶଲୋମନଙ୍କର ଅନ୍ୟ ଏକ ବିପକ୍ଷ କରି ଉତ୍ପନ୍ନ କଲେ, ସେ ଲୋକ ଆପଣା ପ୍ରଭୁ ସୋବାର ରାଜା ହଦଦେଷର ନିକଟରୁ ପଳାଇ ଯାଇଥିଲା; 24ଯେଉଁ ସମୟରେ ଦାଉଦ ସୋବାର ଲୋକମାନଙ୍କୁ ବଧ କଲେ, ସେସମୟରେ ସେ ଆପଣା ନିକଟରେ ଲୋକମାନଙ୍କୁ ସଂଗ୍ରହ କରି ଏକ ଦଳପତି ହୋଇଥିଲା; ତହିଁ ଉତ୍ତାରେ ସେମାନେ ଦମ୍ମେଶକକୁ ଯାଇ ସେଠାରେ ବାସ କରି ଦମ୍ମେଶକରେ ରାଜ୍ୟ କଲେ। 25ଆଉ ସେ ହଦଦ୍ର କୃତ ମନ୍ଦ କର୍ମ ଛଡ଼ା ଶଲୋମନଙ୍କର ଯାବଜ୍ଜୀବନ ଇସ୍ରାଏଲର ବିପକ୍ଷ ହୋଇଥିଲା; ସେ ଇସ୍ରାଏଲକୁ ଘୃଣା କରି ଅରାମ ଉପରେ ରାଜ୍ୟ କଲା। 26ପୁଣି, ସରେଦା ନିବାସୀ ଇଫ୍ରୟିମୀୟ ନବାଟର ପୁତ୍ର ଶଲୋମନଙ୍କର ଦାସ ଯାରବୀୟାମ ମଧ୍ୟ ରାଜାଙ୍କର ପ୍ରତିକୂଳରେ ଆପଣା ହସ୍ତ ଉଠାଇଲେ; ତାଙ୍କର ମାତାର ନାମ ସରୁୟା, ସେ ଏକ ବିଧବା ସ୍ତ୍ରୀ ଥିଲା। 27ରାଜାଙ୍କ ପ୍ରତିକୂଳରେ ତାଙ୍କର ହସ୍ତ ଉଠାଇବାର କାରଣ ଏହି; ଶଲୋମନ ମିଲ୍ଲୋ ଦୃଢ଼ କରୁଥିଲେ ଓ ଆପଣା ପିତା ଦାଉଦଙ୍କ ନଗରର ଭଗ୍ନ ସ୍ଥାନ ପୁନଃନିର୍ମାଣ କରୁଥିଲେ। 28ସେସମୟରେ ଯାରବୀୟାମ ମହାବିକ୍ରମଶାଳୀ ପୁରୁଷ ଥିଲେ; ଏଣୁ ଶଲୋମନ ସେହି ଯୁବା ଲୋକଙ୍କୁ ପରିଶ୍ରମୀ ଦେଖି ଯୋଷେଫ ବଂଶୀୟ ଲୋକମାନଙ୍କ ସମୁଦାୟ କର୍ମଭାର ତାଙ୍କ ଉପରେ ଅର୍ପଣ କଲେ। 29ଘଟଣାକ୍ରମେ ସେହି ସମୟରେ ଯାରବୀୟାମ ଯିରୂଶାଲମର ବାହାରକୁ ଯାʼନ୍ତେ, ପଥରେ ଶୀଲୋନୀୟ ଅହୀୟ ଭବିଷ୍ୟଦ୍ବକ୍ତା ତାଙ୍କର ଦେଖା ପାଇଲା; ଅହୀୟ ଆପଣାକୁ ନୂତନ ବସ୍ତ୍ରରେ ଆଚ୍ଛାଦନ କରିଥିଲା ଓ କ୍ଷେତ୍ରରେ କେବଳ ସେ ଦୁହେଁ ଥିଲେ। 30ତହିଁରେ ଅହୀୟ ଆପଣା ଦେହର ନୂତନ ବସ୍ତ୍ର ଧରି ବାରଖଣ୍ଡ କରି ଚିରିଲା। 31ଆଉ ଯାରବୀୟାମଙ୍କୁ କହିଲା, “ତୁମ୍ଭେ ଆପଣା ପାଇଁ ଦଶ ଖଣ୍ଡ ନିଅ; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଶଲୋମନର ହସ୍ତରୁ ରାଜ୍ୟ ଚିରି ନେବା ଓ ତୁମ୍ଭକୁ ଦଶ ଗୋଷ୍ଠୀ ଦେବା। 32ମାତ୍ର ଆମ୍ଭ ଦାସ ଦାଉଦ ସକାଶୁ ଓ ଇସ୍ରାଏଲର ସମସ୍ତ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ନଗର ଯିରୂଶାଲମ ସକାଶୁ ସେ ଏକ ଗୋଷ୍ଠୀ ପାଇବ। 33ଯେହେତୁ ସେମାନେ ଆମ୍ଭକୁ ପରିତ୍ୟାଗ କରି ସୀଦୋନୀୟମାନଙ୍କ ଅଷ୍ଟାରୋତ୍ ଦେବୀକି ଓ ମୋୟାବର କମୋଶ ଦେବକୁ ଓ ଅମ୍ମୋନ-ସନ୍ତାନଗଣର ମିଲ୍କମ୍ ଦେବକୁ ପ୍ରଣାମ କରିଅଛନ୍ତି; ପୁଣି, ଆପଣା ପିତା ଦାଉଦ ଯେପରି ଆମ୍ଭ ଦୃଷ୍ଟିରେ ନ୍ୟାୟ ବ୍ୟବହାର କଲା ଓ ଆମ୍ଭର ବିଧି ଓ ଆମ୍ଭର ଶାସନ ପାଳନ କଲା, ସେପରି କରିବାକୁ ସେମାନେ ଆମ୍ଭ ପଥରେ ଚାଲି ନାହାନ୍ତି। 34ତଥାପି ଆମ୍ଭେ ସମୁଦାୟ ରାଜ୍ୟ ତାହା ହସ୍ତରୁ ନେବା ନାହିଁ, ମାତ୍ର ଆମ୍ଭ ମନୋନୀତ ଦାସ ଯେଉଁ ଦାଉଦ ଆମ୍ଭର ଆଜ୍ଞା ଓ ଆମ୍ଭର ବିଧିସକଳ ପାଳନ କଲା, ତାହା ସକାଶୁ ତାହାକୁ ଯାବଜ୍ଜୀବନ ଅଧିପତି କରି ରଖିବା; 35ମାତ୍ର ଆମ୍ଭେ ତାହାର ପୁତ୍ର ହସ୍ତରୁ ରାଜ୍ୟ ନେବା ଓ ତାହା, ଅର୍ଥାତ୍, ଦଶ ଗୋଷ୍ଠୀ ତୁମ୍ଭକୁ ଦେବା। 36ଆଉ ଆମ୍ଭେ ଆପଣା ନାମ ସ୍ଥାପନ କରିବା ପାଇଁ ଯେଉଁ ନଗର ମନୋନୀତ କରିଅଛୁ, ସେହି ଯିରୂଶାଲମରେ ଯେପରି ଆମ୍ଭ ଦାସ ଦାଉଦର ପ୍ରଦୀପ ଆମ୍ଭ ସମ୍ମୁଖରେ ସର୍ବଦା ରହିବ, ଏଥିପାଇଁ ତାହାର ପୁତ୍ରକୁ ଏକ ଗୋଷ୍ଠୀ ଦେବା। 37ପୁଣି, ଆମ୍ଭେ ତୁମ୍ଭକୁ ଗ୍ରହଣ କରିବା, ତହିଁରେ ତୁମ୍ଭେ ଆପଣା ପ୍ରାଣର ସମସ୍ତ ବାଞ୍ଛାନୁସାରେ ରାଜ୍ୟ କରି ଇସ୍ରାଏଲ ଉପରେ ରାଜା ହେବ। 38ଆଉ ଯେବେ ତୁମ୍ଭେ ଆମ୍ଭ ଦାସ ଦାଉଦ ପରି ଆମ୍ଭର ସମସ୍ତ ଆଦେଶରେ ମନୋଯୋଗ କରିବ, ଆମ୍ଭ ବିଧି ଓ ଆଜ୍ଞା ପାଳନ କରିବା ପାଇଁ ଆମ୍ଭ ପଥରେ ଚାଲିବ ଓ ଆମ୍ଭ ଦୃଷ୍ଟିରେ ନ୍ୟାୟ ବ୍ୟବହାର କରିବ, ତେବେ ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବା ଓ ଆମ୍ଭେ ଯେପରି ଦାଉଦ ପାଇଁ କଲୁ, ସେପରି ତୁମ୍ଭ ପାଇଁ ଏକ ଦୃଢ଼ ଗୃହ ନିର୍ମାଣ କରିବା ଓ ତୁମ୍ଭକୁ ଇସ୍ରାଏଲ ଦେବା। 39ଆମ୍ଭେ ଏହି କର୍ମ ସକାଶୁ ଦାଉଦ-ବଂଶକୁ କ୍ଳେଶ ଦେବା, ମାତ୍ର ସଦାକାଳ ନୁହେଁ।’” 40ଉକ୍ତ କାରଣରୁ ଶଲୋମନ ଯାରବୀୟାମଙ୍କୁ ବଧ କରିବାକୁ ଚେଷ୍ଟା କଲେ; ମାତ୍ର ଯାରବୀୟାମ ଉଠି ମିସରକୁ ମିସରୀୟ ରାଜା ଶୀଶକ୍ ନିକଟକୁ ପଳାଇଲେ ଓ ଶଲୋମନଙ୍କର ମରଣ ପର୍ଯ୍ୟନ୍ତ ମିସରରେ ରହିଲେ।


