ଉତ୍ତରାଞ୍ଚଳ ଗୋଷ୍ଠୀମାନଙ୍କର ବିଦ୍ରୋହ
1ଏଥିଉତ୍ତାରେ ରିହବୀୟାମ ଶିଖିମକୁ ଗଲେ; କାରଣ ସମୁଦାୟ ଇସ୍ରାଏଲ ତାଙ୍କୁ ରାଜା କରିବା ନିମନ୍ତେ ଶିଖିମରେ ଉପସ୍ଥିତ ହୋଇଥିଲେ। 2ଏଥିମଧ୍ୟରେ ନବାଟର ପୁତ୍ର ସେହି ଯେ ଯାରବୀୟାମ ଶଲୋମନ ରାଜାଙ୍କର ଛାମୁରୁ ପଳାଇ ମିସରରେ ଏଯାଏ ଥିଲେ, ସେ ତାଙ୍କର ମୃତ୍ୟୁୁ ସମ୍ବାଦ ପାଇଲେ; ସେ ମିସରରେ ବାସ କରୁଥିବା ବେଳେ ଲୋକମାନେ ତାଙ୍କୁ ଡକାଇ ପଠାଇଲେ। 3ତହିଁରେ ଯାରବୀୟାମ ଓ ଇସ୍ରାଏଲର ସମସ୍ତ ସମାଜ ରିହବୀୟାମଙ୍କ ନିକଟକୁ ଆସି ଏହି କଥା କହିଲେ, 4“ଆପଣଙ୍କ ପିତା ଆମ୍ଭମାନଙ୍କ ଯୁଆଳି ଅସହ୍ୟ କରିଥିଲେ; ଏହେତୁ ଆପଣଙ୍କ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଅସହ୍ୟ ଦାସ୍ୟକର୍ମର ଭାର ଓ ଭାରୀ ଯୁଆଳି ଦେଇଥିଲେ, ତାହା ଆପଣ ହାଲୁକା କରନ୍ତୁ; ତହିଁରେ ଆମ୍ଭେମାନେ ଆପଣଙ୍କ ସେବା କରିବୁ।” 5ତହୁଁ ସେ ସେମାନଙ୍କୁ କହିଲେ, “ଏବେ ଯାଅ, ତିନି ଦିନ ଉତ୍ତାରେ ପୁନର୍ବାର ମୋʼ ନିକଟକୁ ଆସ।” ତହିଁରେ ଲୋକମାନେ ଚାଲିଗଲେ।
6ଏଥିଉତ୍ତାରେ ରିହବୀୟାମ ରାଜା ଆପଣା ପିତା ଶଲୋମନଙ୍କର ଜୀବନ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ, ସେମାନଙ୍କ ସହିତ ପରାମର୍ଶ କରି କହିଲେ, “ଏହି ଲୋକମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ମୋତେ କି ପରାମର୍ଶ ଦେଉଅଛ?” 7ତେବେ ସେମାନେ ତାଙ୍କୁ କହିଲେ, “ତୁମ୍ଭେ ଯେବେ ଆଜି ଏହି ଲୋକମାନଙ୍କର ସେବକ ହେବ ଓ ସେମାନଙ୍କର ସେବା କରି ସେମାନଙ୍କୁ ଉତ୍ତର ଦେବ ଓ ସେମାନଙ୍କୁ ଉତ୍ତମ ବାକ୍ୟ କହିବ, ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ।” 8ମାତ୍ର ସେ ସେହି ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି ଯେଉଁ ଯୁବାମାନେ ତାଙ୍କ ସଙ୍ଗେ ବଢ଼ି ତାଙ୍କ ସମ୍ମୁଖରେ ଛିଡ଼ା ହେଉଥିଲେ, ସେମାନଙ୍କ ସଙ୍ଗେ ପରାମର୍ଶ କଲେ। 9ପୁଣି, ସେ ସେମାନଙ୍କୁ କହିଲେ, “ଏହି ଲୋକମାନେ ମୋତେ କହୁଛନ୍ତି, ‘ତୁମ୍ଭ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଯୁଆଳି ଥୋଇଅଛନ୍ତି, ତାହା ହାଲୁକା କର; ସେମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ଆମ୍ଭଙ୍କୁ କି ପରାମର୍ଶ ଦେଉଅଛ?’” 10ତହିଁରେ ତାଙ୍କ ସଙ୍ଗେ ବଢ଼ିଥିବା ଯୁବାମାନେ ତାଙ୍କୁ କହିଲେ, “ତୁମ୍ଭ ପିତା ଆମ୍ଭମାନଙ୍କ ଯୁଆଳି ଭାରୀ କରିଅଛନ୍ତି, ‘ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର ବୋଲି କହୁଛନ୍ତି ଏହି ଯେଉଁ ଲୋକମାନେ, ସେମାନଙ୍କୁ ତୁମ୍ଭେ ଏପରି କହିବ; ମୋର କନିଷ୍ଠ ଅଙ୍ଗୁଳି ମୋʼ ପିତାଙ୍କ କଟିଠାରୁ ମୋଟ। 11ଏଥିପାଇଁ ମୋʼ ପିତା ଯେଉଁ ଭାରୀ ଯୁଆଳି ତୁମ୍ଭମାନଙ୍କ ଉପରେ ଥୋଇଅଛନ୍ତି, ମୁଁ ତାହା ଆହୁରି ଭାରୀ କରିବି; ମୋʼ ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।’”
12ତୃତୀୟ ଦିନରେ ମୋʼ ନିକଟକୁ ପୁଣି, ଆସ ବୋଲି ରାଜା ଯେଉଁ ଆଜ୍ଞା ଦେଇଥିଲେ, ତଦନୁସାରେ ଯାରବୀୟାମ ଓ ସମସ୍ତ ଲୋକ ରିହବୀୟାମଙ୍କ ନିକଟକୁ ଆସିଲେ। 13ତହିଁରେ ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି ରାଜା ଲୋକମାନଙ୍କୁ କଟୁ ଉତ୍ତର ଦେଲେ; 14ପୁଣି, ଯୁବାମାନଙ୍କ ପରାମର୍ଶନୁସାରେ ଲୋକମାନଙ୍କୁ କହିଲେ, “ମୋʼ ପିତା ତୁମ୍ଭମାନଙ୍କ ଉପରେ ଭାରୀ ଯୁଆଳି ଥୋଇଥିଲେ, ମାତ୍ର ମୁଁ ତୁମ୍ଭମାନଙ୍କ ଯୁଆଳି ଆହୁରି ଭାରୀ କରିବି; ମୋʼ ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଇଥିଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।” 15ଏହିରୂପେ ରାଜା ଲୋକମାନଙ୍କ କଥା ଶୁଣିଲେ ନାହିଁ; କାରଣ ସଦାପ୍ରଭୁ ଶୀଲୋନୀୟ ଅହୀୟ ଦ୍ୱାରା ନବାଟର ପୁତ୍ର ଯାରବୀୟାମଙ୍କୁ ଯାହା କହିଥିଲେ, ଆପଣାର ସେହି କଥା ସଫଳ କରିବା ନିମନ୍ତେ ଏହା ସଦାପ୍ରଭୁଙ୍କ ଆଡ଼ୁ ଘଟିଲା।


