ଇସ୍ରାଏଲ ବିଭକ୍ତ

16ଯେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ, ରାଜା ସେମାନଙ୍କ କଥା ଶୁଣିଲେ ନାହିଁ, ସେତେବେଳେ ଲୋକମାନେ ରାଜାଙ୍କୁ ଉତ୍ତର କରି କହିଲେ,

“ଦାଉଦଙ୍କଠାରେ ଆମ୍ଭମାନଙ୍କର କି ଅଂଶ ଅଛି?

ଏଣିକି ଯିଶୀର ପୁତ୍ରଠାରେ; ଆମ୍ଭମାନଙ୍କର ଅଧିକାର ନାହିଁ;

ହେ ଇସ୍ରାଏଲ, ଆପଣା ଆପଣା ତମ୍ବୁକୁ ଯାଅ;

ହେ ଦାଉଦ, ତୁମ୍ଭେ ଏବେ ଆପଣା ଘର କଥା ବୁଝ।

ତହୁଁ ଇସ୍ରାଏଲୀୟମାନେ ଆପଣା ଆପଣା ତମ୍ବୁକୁ ଚାଲିଗଲେ।”

17ତଥାପି ଇସ୍ରାଏଲର ଯେଉଁ ସନ୍ତାନମାନେ ଯିହୁଦାର ନାନା ନଗରରେ ବାସ କଲେ, ସେମାନଙ୍କ ଉପରେ ରିହବୀୟାମ ରାଜ୍ୟ କଲେ। 18ଏଥିଉତ୍ତାରେ ରିହବୀୟାମ ରାଜା ବେଠିକର୍ମାଧ୍ୟକ୍ଷ ଅଦୋନୀରାମ୍‍କୁ ପଠାଇଲେ; ମାତ୍ର ସମୁଦାୟ ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରନ୍ତେ, ସେ ମଲା। ତହିଁରେ ରିହବୀୟାମ ରାଜା ଯିରୂଶାଲମକୁ ପଳାଇବା ପାଇଁ ଶୀଘ୍ର ରଥ ଉପରେ ଚଢ଼ିଲେ। 19ଏହିରୂପେ ଇସ୍ରାଏଲ ଆଜି ପର୍ଯ୍ୟନ୍ତ ଦାଉଦ-ବଂଶର ବିଦ୍ରୋହୀ ହେଲେ। 20ଏଉତ୍ତାରେ ଯାରବୀୟାମ ଫେରି ଆସିଅଛନ୍ତି ବୋଲି ସମୁଦାୟ ଇସ୍ରାଏଲ ଶୁଣନ୍ତେ, ସେମାନେ ଲୋକ ପଠାଇ ତାଙ୍କୁ ମଣ୍ଡଳୀକୁ ଡକାଇଲେ ଓ ସମୁଦାୟ ଇସ୍ରାଏଲ ଉପରେ ତାଙ୍କୁ ରାଜା କଲେ; କେବଳ ଯିହୁଦା-ଗୋଷ୍ଠୀ ଛଡ଼ା କେହି ଦାଉଦ-ବଂଶର ଅନୁଗାମୀ ହେଲା ନାହିଁ। 21ରିହବୀୟାମ ଯିରୂଶାଲମରେ ଉପସ୍ଥିତ ହୁଅନ୍ତେ, ଯିହୁଦାର ସମସ୍ତ ବଂଶର ଓ ବିନ୍ୟାମୀନ୍ ଗୋଷ୍ଠୀର ଏକ ଲକ୍ଷ ଅଶୀ ହଜାର ବଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ ଓ ଶଲୋମନଙ୍କର ପୁତ୍ର ରିହବୀୟାମଙ୍କର ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଇସ୍ରାଏଲ ବଂଶ ସହିତ ଯୁଦ୍ଧ ହେଲା। 22ମାତ୍ର ପରମେଶ୍ୱରଙ୍କ ଲୋକ ଶମୟୀୟ ନିକଟରେ ପରମେଶ୍ୱରଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, 23“ଯିହୁଦାର ରାଜା ଶଲୋମନର ପୁତ୍ର ରିହବୀୟାମକୁ, ପୁଣି, ଯିହୁଦା ଓ ବିନ୍ୟାମୀନ୍‍ର ସମସ୍ତ ବଂଶକୁ ଓ ଅବଶିଷ୍ଟ ସମସ୍ତ ଲୋକଙ୍କୁ କୁହ: 24‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯାତ୍ରା କରିବ ନାହିଁ, କିଅବା ଆପଣା ଭ୍ରାତା ଇସ୍ରାଏଲ-ସନ୍ତାନଗଣ ବିପକ୍ଷରେ ଯୁଦ୍ଧ କରିବ ନାହିଁ; ପ୍ରତ୍ୟେକ ଲୋକ ଆପଣା ଆପଣା ଗୃହକୁ ଫେରିଯାଅ; କାରଣ ଏହି କାର୍ଯ୍ୟ ଆମ୍ଭ ଆଡ଼ୁ ହୋଇଅଛି।’” ତେଣୁ ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲେ ଓ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ଆପଣା ଆପଣା ପଥରେ ଫେରିଗଲେ।