ଯାରବୀୟାମର ସୁବର୍ଣ୍ଣ ଗୋବତ୍ସ
25ଏହି ସମୟରେ ଯାରବୀୟାମ ଇଫ୍ରୟିମର ପର୍ବତମୟ ଦେଶରେ ଶିଖିମ ନିର୍ମାଣ କରି ତହିଁରେ ବାସ କଲେ; ପୁଣି, ସେ ସେଠାରୁ ଯାଇ ପନୂୟେଲ ନିର୍ମାଣ କଲେ। 26ତହୁଁ ଯାରବୀୟାମ ଆପଣା ମନେ ମନେ କହିଲେ, “ଏବେ ରାଜ୍ୟ ପୁନର୍ବାର ଦାଉଦ-ବଂଶର ଅଧୀନ ହେବ; 27ଯେବେ ଏହି ଲୋକମାନେ ଯିରୂଶାଲମରେ ସଦାପ୍ରଭୁଙ୍କ ଗୃହରେ ବଳିଦାନ କରିବାକୁ ଯିବେ, ତେବେ ଏହି ଲୋକମାନଙ୍କର ଅନ୍ତଃକରଣ ଆପଣାମାନଙ୍କ ପ୍ରଭୁ ଯିହୁଦାର ରାଜା ରିହବୀୟାମ ପ୍ରତି ଫେରିବ; ତହିଁରେ ସେମାନେ ମୋତେ ବଧ କରି ଯିହୁଦାର ରାଜା ରିହବୀୟାମ ନିକଟକୁ ଫେରିଯିବେ।” 28ଏହେତୁ ରାଜା ପରାମର୍ଶ କରି ସୁବର୍ଣ୍ଣର ଦୁଇ ଗୋବତ୍ସ ନିର୍ମାଣ କଲେ; ପୁଣି, ସେ ଲୋକମାନଙ୍କୁ କହିଲେ, “ଯିରୂଶାଲମକୁ ଯିବା ପାଇଁ ତୁମ୍ଭମାନଙ୍କୁ ବହୁତ କଷ୍ଟ ପଡ଼ୁଅଛି; ହେ ଇସ୍ରାଏଲ, ତୁମ୍ଭ ଦେବତାମାନଙ୍କୁ ଦେଖ, ସେମାନେ ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲେ।” 29ତହୁଁ ସେ ଗୋଟିକୁ ବେଥେଲ୍ରେ ଓ ଅନ୍ୟଟିକୁ ଦାନ୍ରେ ସ୍ଥାପନ କଲେ। 30ଏହି କର୍ମ ପାପର କାରଣ ହେଲା; କାରଣ ଲୋକମାନେ ଗୋଟିକର ପୂଜା କରିବା ନିମନ୍ତେ ଦାନ୍ ପର୍ଯ୍ୟନ୍ତ ସୁଦ୍ଧା ଗଲେ। 31ଏଉତ୍ତାରେ ସେ ଉଚ୍ଚସ୍ଥଳୀର ଗୃହମାନ ନିର୍ମାଣ କଲେ ଓ ଯେଉଁମାନେ ଲେବୀ-ସନ୍ତାନ ନୁହନ୍ତି, ଏପରି ସମୁଦାୟ ଲୋକଙ୍କ ମଧ୍ୟରୁ ଯାଜକ କଲେ।


