ଯାରବୀୟାମର ସମ୍ମୁଖରେ ପରମେଶ୍ୱରଙ୍କ ଲୋକ

1ପୁଣି, ଯାରବୀୟାମ ଧୂପ ଜ୍ୱଳାଇବା ପାଇଁ ଯଜ୍ଞବେଦି ନିକଟରେ ଛିଡ଼ା ହେବା ସମୟରେ ଦେଖ, ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯିହୁଦାରୁ ପରମେଶ୍ୱରଙ୍କ ଏକ ଲୋକ ବେଥେଲ୍‍ରେ ଉପସ୍ଥିତ ହେଲା। 2ପୁଣି, ସେ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚସ୍ୱର କରି କହିଲା, “ହେ ଯଜ୍ଞବେଦି, ଯଜ୍ଞବେଦି, ସଦାପ୍ରଭୁ ଏହିପରି କହନ୍ତି; ଦେଖ, ଦାଉଦ-ବଂଶରେ ଯୋଶୀୟ ନାମରେ ଏକ ସନ୍ତାନ ଜନ୍ମିବ; ପୁଣି, ଉଚ୍ଚସ୍ଥଳୀର ଯେଉଁ ଯାଜକମାନେ ତୁମ୍ଭ ଉପରେ ଧୂପ ଜ୍ୱଳାଉ ଅଛନ୍ତି, ସେମାନଙ୍କୁ ତୁମ୍ଭ ଉପରେ ସେ ବଳିଦାନ କରିବ ଓ ଲୋକମାନେ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦଗ୍ଧ କରିବେ।” 3ଆହୁରି ସେ ଲୋକ ସେହି ଦିନ ଏକ ଚିହ୍ନ ଦେଇ କହିଲା, “ସଦାପ୍ରଭୁଙ୍କ କଥିତ ଚିହ୍ନ ଏହି; ଦେଖ, ଏହି ବେଦି ଫାଟିଯିବ ଓ ତହିଁ ଉପରିସ୍ଥ ଭସ୍ମ ଅଜାଡ଼ି ହୋଇ ପଡ଼ିବ।” 4ତହିଁରେ ପରମେଶ୍ୱରଙ୍କ ଲୋକ ବେଥେଲ୍‍ସ୍ଥିତ ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚସ୍ୱର କରି ଯେଉଁ କଥା କହିଲା, ଯାରବୀୟାମ ରାଜା ତାହା ଶୁଣି ଯଜ୍ଞବେଦିଠାରୁ ହସ୍ତ ବଢ଼ାଇ କହିଲେ, “ତାହାକୁ ଧର।” ଏଥିରେ ସେ ତାହା ବିରୁଦ୍ଧରେ ଯେଉଁ ହସ୍ତ ବଢ଼ାଇ ଥିଲେ; ତାହା ଶୁଷ୍କ ହୋଇଗଲା, ତେଣୁ ସେ ତାହା ଆଉ ଫେରାଇ ପାରିଲେ ନାହିଁ। 5ମଧ୍ୟ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯେଉଁ ଚିହ୍ନ ଦେଇଥିଲା, ତଦନୁସାରେ ଯଜ୍ଞବେଦି ଫାଟିଗଲା ଓ ଯଜ୍ଞବେଦିରୁ ଭସ୍ମ ଅଜାଡ଼ି ହୋଇ ପଡ଼ିଲା। 6ସେତେବେଳେ ରାଜା ପରମେଶ୍ୱରଙ୍କ ଲୋକକୁ ଉତ୍ତର କରି କହିଲେ, “ଯେପରି ମୋହର ହସ୍ତ ପୂର୍ବ ପରି ହୁଏ, ଏଥିପାଇଁ ତୁମ୍ଭେ ଆପଣା ପରମେଶ୍ୱର ସଦାପ୍ରଭୁଙ୍କ ଅନୁଗ୍ରହ ନିବେଦନ କର ଓ ମୋʼ ପାଇଁ ପ୍ରାର୍ଥନା କର।” ତହିଁରେ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କଠାରେ ନିବେଦନ କରନ୍ତେ, ରାଜାଙ୍କର ହସ୍ତ ସୁସ୍ଥ ହୋଇ ପୂର୍ବ ପରି ହୋଇଗଲା। 7ତହୁଁ ରାଜା ପରମେଶ୍ୱରଙ୍କ ଲୋକଙ୍କୁ କହିଲେ, “ମୋʼ ସଙ୍ଗେ ଗୃହକୁ ଆସି ଆରାମ କର, ମୁଁ ତୁମ୍ଭକୁ ପୁରସ୍କାର ଦେବି।” 8ଏଥିରେ ପରମେଶ୍ୱରଙ୍କ ଲୋକ ରାଜାଙ୍କୁ କହିଲା, “ଯେବେ ତୁମ୍ଭେ ଆପଣା ଗୃହର ଅର୍ଦ୍ଧେକ ମୋତେ ଦେବ, ତେବେ ହେଁ ମୁଁ ତୁମ୍ଭ ସଙ୍ଗେ ଯିବି ନାହିଁ କିଅବା ଏହି ସ୍ଥାନରେ ଅନ୍ନ ଭୋଜନ କି ଜଳ ପାନ କରିବି ନାହିଁ, 9କାରଣ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ମୋତେ ଏହି ଆଜ୍ଞା ଦିଆଯାଇଅଛି ଯେ, ତୁମ୍ଭେ ଅନ୍ନ ଭୋଜନ କରିବ ନାହିଁ, କି ଜଳ ପାନ କରିବ ନାହିଁ, କିଅବା ଯେଉଁ ପଥରେ ଯାଉଅଛ, ସେହି ପଥରେ ଫେରି ଆସିବ ନାହିଁ।” 10ତହୁଁ ସେ ଅନ୍ୟ ପଥରେ ଗଲା, ଯେଉଁ ପଥରେ ବେଥେଲ୍‍କୁ ଆସିଥିଲା, ସେ ପଥରେ ସେ ଫେରିଲା ନାହିଁ।