ଯାରବୀୟାମଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ବାଣୀ

1ସେହି ସମୟରେ ଯାରବୀୟାମଙ୍କର ପୁତ୍ର ଅବୀୟ ପୀଡ଼ିତ ହେଲା। 2ତହୁଁ ଯାରବୀୟାମ ଆପଣା ଭାର୍ଯ୍ୟାକୁ କହିଲେ, “ମୁଁ ବିନୟ କରୁଅଛି, ଉଠ, ପୁଣି, ତୁମ୍ଭେ ଯାରବୀୟାମଙ୍କର ଭାର୍ଯ୍ୟା ବୋଲି ଯେପରି ଜଣା ନ ପଡ଼ିବ, ଏଥିପାଇଁ ଛଦ୍ମବେଶ ଧରି ଶୀଲୋକୁ ଯାଅ; ଦେଖ, ମୁଁ ଏହି ଲୋକଙ୍କ ଉପରେ ରାଜା ହେବି ବୋଲି ମୋʼ ବିଷୟରେ ଯେ କହିଥିଲା, ସେହି ଅହୀୟ ଭବିଷ୍ୟଦ୍‍ବକ୍ତା ସେଠାରେ ଅଛି। 3ପୁଣି, ଆପଣା ସଙ୍ଗେ ଦଶ ରୁଟି ଓ କିଛି ତିଲୁଆ ଓ ଏକ ପାତ୍ର ମଧୁ ନେଇ ତାହା ନିକଟକୁ ଯାଅ; ବାଳକର କଅଣ ହେବ, ତାହା ସେ ତୁମ୍ଭକୁ ଜଣାଇବ।”

4ଏଥିରେ ଯାରବୀୟାମଙ୍କର ଭାର୍ଯ୍ୟା ସେପରି କଲା ଓ ସେ ଉଠି ଶୀଲୋକୁ ଯାଇ ଅହୀୟର ଗୃହରେ ଉପସ୍ଥିତ ହେଲା। ସେହି ସମୟରେ ଅହୀୟ ଦେଖି ପାରୁ ନ ଥିଲା; କାରଣ ବୟସ ହେତୁରୁ ତାହାର ଚକ୍ଷୁ ସ୍ତବ୍ଧ ହୋଇଥିଲା। 5ଏଥିମଧ୍ୟରେ ସଦାପ୍ରଭୁ ଅହୀୟଙ୍କୁ କହିଲେ, “ଦେଖ, ଯାରବୀୟାମଙ୍କର ଭାର୍ଯ୍ୟା ଆପଣା ପୁତ୍ର ବିଷୟ ପଚାରିବା ପାଇଁ ତୁମ୍ଭ ନିକଟକୁ ଆସୁଅଛି; କାରଣ ସେ ପୀଡ଼ିତ ଅଛି; ତାହାକୁ ତୁମ୍ଭେ ଏପରି ଏପରି କହିବ; କାରଣ ସେ ଆସିବା ବେଳେ ଆପଣାକୁ ଅନ୍ୟ ସ୍ତ୍ରୀ ପରି ଦେଖାଇବ।”

6ଆଉ ସେ ଦ୍ୱାର ଦେଇ ଆସିବା ବେଳେ ଏପରି ହେଲା ଯେ, ଅହୀୟ ତାହାର ପାଦ-ଶବ୍ଦ ଶୁଣି କହିଲା, “ହେ ଯାରବୀୟାମଙ୍କର ଭାର୍ଯ୍ୟା, ତୁମ୍ଭେ ଭିତରକୁ ଆସ; କାହିଁକି ତୁମ୍ଭେ ଆପଣାକୁ ଅନ୍ୟ ପରି ଦେଖାଉଅଛ? ମୁଁ ଦୁଃସହନୀୟ ସମ୍ବାଦ ଦେବା ପାଇଁ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛି। 7ତୁମ୍ଭେ ଯାଇ ଯାରବୀୟାମକୁ କୁହ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ‘ଆମ୍ଭେ ଲୋକମାନଙ୍କ ମଧ୍ୟରୁ ତୁମ୍ଭକୁ ଉନ୍ନତ କରି ଆମ୍ଭ ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲୁ; 8ଓ ଦାଉଦ-ବଂଶଠାରୁ ରାଜ୍ୟ ଚିରି ନେଇ ତୁମ୍ଭକୁ ଦେଲୁ; ତଥାପି ଆମ୍ଭ ଦାସ ଦାଉଦ, ଯେ ଆମ୍ଭ ଆଜ୍ଞାସବୁ ପାଳନ କଲା ଓ ଆମ୍ଭ ଦୃଷ୍ଟିରେ ଯାହା ଭଲ, କେବଳ ତାହା କରିବା ପାଇଁ ଆପଣା ସର୍ବାନ୍ତଃକରଣ ସହିତ ଆମ୍ଭର ଅନୁଗତ ହେଲା, ତାହା ପରି ତୁମ୍ଭେ ହୋଇ ନାହଁ; 9ମାତ୍ର ତୁମ୍ଭ ପୂର୍ବରେ ଯେଉଁମାନେ ଥିଲେ, ସେସମସ୍ତଙ୍କ ଅପେକ୍ଷା ତୁମ୍ଭେ ଅଧିକ କୁକର୍ମ କରିଅଛ, ପୁଣି, ଆମ୍ଭକୁ ବିରକ୍ତ କରିବା ପାଇଁ ତୁମ୍ଭେ ଯାଇ ଆପଣା ନିମନ୍ତେ ଅନ୍ୟ ଦେବଗଣ ଓ ଛାଞ୍ଚରେ ଢଳା ପ୍ରତିମାମାନ ନିର୍ମାଣ କରିଅଛ ଓ ଆମ୍ଭକୁ ଆପଣା ପଛଆଡ଼େ ପକାଇ ଦେଇଅଛ; 10ଏହେତୁ ଦେଖ, ଆମ୍ଭେ ଯାରବୀୟାମ-ବଂଶ ପ୍ରତି ଅମଙ୍ଗଳ ଘଟାଇବା, ପୁଣି, ଇସ୍ରାଏଲ ମଧ୍ୟରେ ବଦ୍ଧ ବା ମୁକ୍ତ ପ୍ରତ୍ୟେକ ପୁଂସନ୍ତାନକୁ ଯାରବୀୟାମଠାରୁ ଲୋପ କରିବା ଓ ଯେପରି କୌଣସି ମନୁଷ୍ୟ ମଇଳା ସମ୍ପୂର୍ଣ୍ଣ ଯିବା ପର୍ଯ୍ୟନ୍ତ ଝାଡୁ କରେ, ସେପରି ଆମ୍ଭେ ଯାରବୀୟାମ ଗୃହକୁ ନିଃଶେଷରେ ବିନାଶ କରିବା। 11ଯାରବୀୟାମର କେହି ନଗରରେ ମଲେ, କୁକ୍କୁରମାନେ ତାକୁ ଖାଇବେ ଓ କେହି କ୍ଷେତ୍ରରେ ମଲେ, ଆକାଶର ପକ୍ଷୀମାନେ ତାକୁ ଖାଇବେ; କାରଣ ସଦାପ୍ରଭୁ ଏହା କହିଅଛନ୍ତି।’ 12ଏନିମନ୍ତେ ତୁମ୍ଭେ ଉଠି ଆପଣା ଗୃହକୁ ଯାଅ; ନଗରରେ ତୁମ୍ଭ ପାଦ ପଡ଼ିଲା କ୍ଷଣେ ବାଳକ ମରିବ। 13ପୁଣି, ତାହା ନିମନ୍ତେ ସମୁଦାୟ ଇସ୍ରାଏଲ ଶୋକ କରି ତାହାକୁ କବର ଦେବେ; ମାତ୍ର ଯାରବୀୟାମ ସମ୍ପର୍କୀୟର କେବଳ ସେ ହିଁ କବର ପାଇବ; କାରଣ ଯାରବୀୟାମ-ବଂଶ ମଧ୍ୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ତାହାରିଠାରେ କିଛି ସଦ୍‍ଭାବ ଦେଖାଯାଇଅଛି। 14ଆହୁରି ସଦାପ୍ରଭୁ ଆପଣା ପାଇଁ ଇସ୍ରାଏଲ ଉପରେ ଏକ ରାଜା ଉତ୍ପନ୍ନ କରିବେ, ସେ ସେହି ଦିନ ଯାରବୀୟାମ-ବଂଶକୁ ଉଚ୍ଛିନ୍ନ କରିବ; ମାତ୍ର କଅଣ? ଏବେ ତାହା ଘଟିବ। 15କାରଣ ସଦାପ୍ରଭୁ ଜଳରେ ହଲିଲା ନଳ ପରି ଇସ୍ରାଏଲକୁ ଆଘାତ କରିବେ; ପୁଣି, ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଏହି ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁରୁ ଇସ୍ରାଏଲକୁ ଉତ୍ପାଟନ କରି ନଦୀ ସେପାରିରେ ସେମାନଙ୍କୁ ଛିନ୍ନଭିନ୍ନ କରିବେ; ଯେହେତୁ ସେମାନେ ଆପଣାମାନଙ୍କର ଆଶେରା ମୂର୍ତ୍ତିମାନ ନିର୍ମାଣ କରି ସଦାପ୍ରଭୁଙ୍କୁ ବିରକ୍ତ କରିଅଛନ୍ତି। 16ପୁଣି, ଯାରବୀୟାମ ଯେଉଁ ପାପ କରିଅଛି ଓ ଯଦ୍ଦ୍ୱାରା ସେ ଇସ୍ରାଏଲକୁ ପାପ କରାଇଅଛି, ତାହାର ସେହି ସବୁ ପାପ ସକାଶୁ ସେ ଇସ୍ରାଏଲକୁ ତ୍ୟାଗ କରିବେ।”

17ଏଉତ୍ତାରେ ଯାରବୀୟାମଙ୍କର ଭାର୍ଯ୍ୟା ଉଠି ଚାଲିଗଲା ଓ ତିର୍ସାରେ ଉପସ୍ଥିତ ହେଲା; ଆଉ ସେ ଗୃହର ଦ୍ୱାରବନ୍ଧ ନିକଟରେ ପହଞ୍ଚିଲା କ୍ଷଣେ ବାଳକ ମଲା। 18ତହିଁରେ ସଦାପ୍ରଭୁ ଆପଣା ଦାସ ଅହୀୟ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ଯେପରି କହିଥିଲେ, ତଦନୁସାରେ ସମସ୍ତ ଇସ୍ରାଏଲ ତାହାକୁ କବର ଦେଲେ ଓ ତାହା ପାଇଁ ଶୋକ କଲେ।