ଶଲୋମନଙ୍କୁ ଦାଉଦଙ୍କ ଶେଷ ପରାମର୍ଶ
1ଏଥିଉତ୍ତାରେ ଦାଉଦଙ୍କର ମରଣକାଳ ସନ୍ନିକଟ ହୁଅନ୍ତେ, ସେ ଆପଣା ପୁତ୍ର ଶଲୋମନଙ୍କୁ ଆଜ୍ଞା ଦେଇ କହିଲେ, 2“ମୁଁ ସମଗ୍ର ମର୍ତ୍ତ୍ୟର ମାର୍ଗରେ ଯାଉଅଛି; ଏହେତୁ ତୁମ୍ଭେ ବଳବାନ ହୁଅ ଓ ପୁରୁଷତ୍ୱ ପ୍ରକାଶ କର। 3ତୁମ୍ଭେ ଯାହା ଯାହା କରିବ ଓ ଯେକୌଣସି ସ୍ଥାନକୁ ଯିବ, ସେହି ସବୁରେ ଯେପରି କୁଶଳ ପ୍ରାପ୍ତ ହୁଅ, ଏଥିପାଇଁ ମୋଶାଙ୍କ ବ୍ୟବସ୍ଥା-ଲିଖିତ ବାକ୍ୟାନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ବିଧି ଓ ଆଜ୍ଞା ଓ ଶାସନ ଓ ପ୍ରମାଣ-ବାକ୍ୟ ପାଳନ କରି ତାହାଙ୍କ ପଥରେ ଚାଲ ଓ ତାହାଙ୍କର ରକ୍ଷଣୀୟ ରକ୍ଷା କର; 4ତହିଁରେ ସଦାପ୍ରଭୁ ମୋʼ ବିଷୟରେ ଯାହା କହିଅଛନ୍ତି, ଯଥା, ‘ଯଦି ତୁମ୍ଭ ସନ୍ତାନମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ଆମ୍ଭ ଛାମୁରେ ସତ୍ୟାଚରଣ କରିବାକୁ ଆପଣା ଆପଣା ପଥରେ ସାବଧାନ ହେବେ, ତେବେ ଇସ୍ରାଏଲର ସିଂହାସନରେ ବସିବାକୁ ତୁମ୍ଭ ବଂଶରେ ଲୋକର ଅଭାବ ନୋହିବ, ସେ ଆପଣାର ଏହି ବାକ୍ୟ ସଫଳ କରିବେ।’
5ଆହୁରି ସରୁୟାର ପୁତ୍ର ଯୋୟାବ ମୋʼ ପ୍ରତି ଯାହା କରିଅଛି, ପୁଣି, ଇସ୍ରାଏଲର ଦୁଇ ସେନାପତି, ନେର୍ର ପୁତ୍ର ଅବ୍ନର ଓ ଯେଥରର ପୁତ୍ର ଅମାସା ପ୍ରତି ଯାହା କରିଅଛି, ତାହା ତୁମ୍ଭେ ଜାଣ; ସେ ସେମାନଙ୍କୁ ବଧ କରି ସନ୍ଧି ସମୟରେ ଯୁଦ୍ଧ ସମୟର ନ୍ୟାୟ ରକ୍ତପାତ କଲା ଓ ସେହି ଯୁଦ୍ଧଯୋଗ୍ୟ ରକ୍ତ ଆପଣା କଟିସ୍ଥିତ ବନ୍ଧନୀରେ ଓ ପାଦସ୍ଥିତ ପାଦୁକାରେ ଲଗାଇଲା। 6ଏହେତୁ ତୁମ୍ଭେ ଆପଣା ଜ୍ଞାନାନୁସାରେ ତାହା ପ୍ରତି ବ୍ୟବହାର କର ଓ ତାହାର ପକ୍ୱକେଶ-ମସ୍ତକକୁ ଶାନ୍ତିରେ ପାତାଳକୁ ଯିବା ପାଇଁ ନ ଦିଅ। 7ମାତ୍ର, ଗିଲୀୟଦୀୟ ବର୍ସିଲ୍ଲୟର ପୁତ୍ରମାନଙ୍କ ପ୍ରତି ଦୟା ପ୍ରକାଶ କର, ଆଉ, ତୁମ୍ଭ ମେଜରେ ଭୋଜନକାରୀମାନଙ୍କ ମଧ୍ୟରେ ସେମାନଙ୍କୁ ସ୍ଥାନ ଦିଅ; କାରଣ, ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାଇବା ସମୟରେ ସେମାନେ ସେପରି ମୋʼ ନିକଟକୁ ଆସିଥିଲେ। 8ଆଉ ଦେଖ, ତୁମ୍ଭ ନିକଟରେ ବିନ୍ୟାମୀନୀୟ ଗେରାର ପୁତ୍ର ବହୁରୀମ ନିବାସୀ ଶିମୀୟି ଅଛି; ମୁଁ ମହନୟିମକୁ ଯିବା ଦିନ ସେ ମୋତେ ଦାରୁଣ ଅଭିଶାପରେ ଅଭିଶାପ ଦେଇଥିଲା, ମାତ୍ର, ସେ ଯର୍ଦ୍ଦନ ନିକଟରେ ମୋତେ ଭେଟିବାକୁ ଆସିଥିଲା ଓ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଥିଲି, ମୁଁ ତୁମ୍ଭକୁ ଖଡ୍ଗରେ ବଧ କରିବି ନାହିଁ। 9ତୁମ୍ଭେ ତ ଜ୍ଞାନୀ ଲୋକ; ଏଣୁ ତାହାକୁ ନିରପରାଧ ମଣିବ ନାହିଁ; ଆଉ ତୁମ୍ଭର ତାହା ପ୍ରତି ଯାହା କର୍ତ୍ତବ୍ୟ, ତାହା ବୁଝିବ ଓ ତୁମ୍ଭେ ତାହାର ପକ୍ୱକେଶ-ମସ୍ତକ ରକ୍ତ ସହିତ ପାତାଳକୁ ଆଣିବ।”


