ଯିହୁଦାର ରାଜା ଅବୀୟାମ

1ନବାଟର ପୁତ୍ର ଯାରବୀୟାମ ରାଜାଙ୍କର ରାଜତ୍ଵର ଅଠର ବର୍ଷରେ ଅବୀୟାମ ଯିହୁଦା ଉପରେ ରାଜତ୍ୱ କରିବାକୁ ଲାଗିଲେ। 2ସେ ଯିରୂଶାଲମରେ ତିନି ବର୍ଷ ରାଜତ୍ୱ କଲେ ଓ ତାଙ୍କର ମାତାର ନାମ ମାଖା, ସେ ଅବଶାଲୋମର କନ୍ୟା ଥିଲା। 3ତାଙ୍କ ପୂର୍ବରେ ତାଙ୍କର ପିତା ଯେସବୁ ପାପ-ପଥରେ ଚାଲିଥିଲେ, ସେ ସେହିପରି ଚାଲିଲେ; ଆଉ ତାଙ୍କର ପୂର୍ବପୁରୁଷ ଦାଉଦଙ୍କର ଅନ୍ତଃକରଣ ଯେପରି ଥିଲା, ତାଙ୍କର ଅନ୍ତଃକରଣ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ସେପରି ସିଦ୍ଧ ନ ଥିଲା। 4ତଥାପି ଦାଉଦଙ୍କ ସକାଶୁ ତାଙ୍କ ଉତ୍ତାରେ ତାଙ୍କର ପୁତ୍ରକୁ ସ୍ଥାପନ କରିବା ପାଇଁ ଓ ଯିରୂଶାଲମକୁ ସୁସ୍ଥିର କରିବା ପାଇଁ ସଦାପ୍ରଭୁ ତାଙ୍କର ପରମେଶ୍ୱର ଯିରୂଶାଲମରେ ତାଙ୍କୁ ଏକ ପ୍ରଦୀପ ଦେଲେ। 5କାରଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା ଦାଉଦ କରିଥିଲେ ଓ କେବଳ ହିତ୍ତୀୟ ଊରୀୟର କଥା ଛଡ଼ା ଆଉ କୌଣସି ବିଷୟରେ ସେ ଆପଣାର ଯାବଜ୍ଜୀବନ ତାହାଙ୍କର ଦତ୍ତ ଆଜ୍ଞାରୁ ବିମୁଖ ହୋଇ ନ ଥିଲେ। 6ଆଉ ଯାରବୀୟାମଙ୍କର ଯାବଜ୍ଜୀବନ ତାଙ୍କର ଓ ରିହବୀୟାମଙ୍କର ମଧ୍ୟରେ ଯୁଦ୍ଧ ଚାଲିଲା। 7ପୁଣି, ଅବୀୟାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା କି ଯିହୁଦା-ରାଜାଗଣର ଇତିହାସ ପୁସ୍ତକରେ ଲେଖା ନାହିଁ? ଆଉ ଅବୀୟାମ ଓ ଯାରବୀୟାମ ମଧ୍ୟରେ ଯୁଦ୍ଧ ଥିଲା। 8ପୁଣି, ଅବୀୟାମଙ୍କ ମୃତ୍ୟୁ ପରେ, ଲୋକମାନେ ତାହାଙ୍କୁ ଦାଉଦ-ନଗରରେ କବର ଦେଲେ; ତହୁଁ ତାଙ୍କର ପୁତ୍ର ଆସା ତାହାଙ୍କ ପଦରେ ରାଜ୍ୟ କଲେ।