ଯିହୁଦାର ରାଜା ଆସା

9ଇସ୍ରାଏଲର ରାଜା ଯାରବୀୟାମଙ୍କର ରାଜତ୍ଵର କୋଡ଼ିଏ ବର୍ଷରେ ଆସା ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ। 10ସେ ଯିରୂଶାଲମରେ ଏକଚାଳିଶ ବର୍ଷ ରାଜତ୍ୱ କଲେ, ଆଉ ତାଙ୍କର ମାତାମହୀର ନାମ ମାଖା, ସେ ଅବଶାଲୋମର କନ୍ୟା ଥିଲା। 11ପୁଣି, ଆସା ଆପଣା ପୂର୍ବପୁରୁଷ ଦାଉଦଙ୍କର ନ୍ୟାୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା କଲେ। 12ଆଉ ସେ ଦେଶରୁ ସଦୋମୀମାନଙ୍କୁ ତଡ଼ିଦେଲେ ଓ ଆପଣା ପିତୃଗଣ ନିର୍ମିତ ଦେବତା ସମସ୍ତ ଦୂର କରିଦେଲେ। 13ମଧ୍ୟ ଆପଣା ମାତାମହୀ ମାଖା ଆଶେରା ଦେବୀ ରୂପେ ଏକ ଘୃଣାଯୋଗ୍ୟ ପ୍ରତିମା ନିର୍ମାଣ କରିଥିବାରୁ ସେ ତାହାକୁ ରାଣୀପଦରୁ ଚ୍ୟୁତ କଲେ ଓ ଆସା ତାହାର ସେହି ପ୍ରତିମା ଛେଦନ କରି କିଦ୍ରୋଣ ନଦୀ ନିକଟରେ ତାହା ପୋଡ଼ି ଦେଲେ। 14ମାତ୍ର ଉଚ୍ଚସ୍ଥଳୀସକଳ ଦୂରୀକୃତ ନୋହିଲା; ତଥାପି ଆସାଙ୍କର ଅନ୍ତଃକରଣ ଯାବଜ୍ଜୀବନ ସଦାପ୍ରଭୁଙ୍କ ପ୍ରତି ସିଦ୍ଧ ଥିଲା। 15ପୁଣି, ସେ ଆପଣା ପିତାଙ୍କର ପ୍ରତିଷ୍ଠିତ, ଆପଣାର ପ୍ରତିଷ୍ଠିତ ରୂପା, ସୁନା ଓ ପାତ୍ରସବୁ ସଦାପ୍ରଭୁଙ୍କ ଗୃହକୁ ଆଣିଲେ।

16ପୁଣି, ଆସା ଓ ଇସ୍ରାଏଲର ରାଜା ବାଶାଙ୍କ ମଧ୍ୟରେ ସେମାନଙ୍କର ଯାବଜ୍ଜୀବନ ଯୁଦ୍ଧ ଚାଲିଲା। 17ଆଉ ଯିହୁଦାର ରାଜା ଆସାଙ୍କ ନିକଟକୁ କାହାରିକୁ ଯିବା ଆସିବାକୁ ନ ଦେବା ପାଇଁ ଇସ୍ରାଏଲର ରାଜା ବାଶା ଯିହୁଦା ବିରୁଦ୍ଧରେ ଯାତ୍ରା କରି ରାମା ନଗର ଦୃଢ଼ କଲେ। 18ତହିଁରେ ଆସା ସଦାପ୍ରଭୁଙ୍କ ଗୃହର ଭଣ୍ଡାରରୁ, ରାଜଗୃହର ଭଣ୍ଡାରରୁ ଅବଶିଷ୍ଟ ସବୁ ରୂପା ଓ ସୁନା ନେଇ ଆପଣା ଦାସମାନଙ୍କ ହସ୍ତରେ ସମର୍ପଣ କଲେ ଓ ଆସା ରାଜା ହିଷୀୟୋଣର ପୌତ୍ର ଟବ୍ରିମ୍ମୋଣର ପୁତ୍ର ବିନ୍‍ହଦଦ୍‍ ନାମକ ଦମ୍ମେଶକ ନିବାସୀ ଅରାମୀୟ ରାଜା ନିକଟକୁ ସେମାନଙ୍କୁ ପଠାଇ ଏହି କଥା କହିଲେ, 19“ମୋର ଓ ତୁମ୍ଭ ମଧ୍ୟରେ, ମୋʼ ପିତା ଓ ତୁମ୍ଭ ପିତାଙ୍କ ମଧ୍ୟରେ ନିୟମ ଅଛି; ଦେଖ, ମୁଁ ତୁମ୍ଭ ନିକଟକୁ ରୂପା ଓ ସୁନାର ଭେଟି ପଠାଇଲି; ଯାଅ, ଇସ୍ରାଏଲର ରାଜା ବାଶା ସଙ୍ଗେ ତୁମ୍ଭର ଯେଉଁ ନିୟମ ଅଛି, ତାହା ଭାଙ୍ଗିଦିଅ, ତହିଁରେ ସେ ମୋʼ ନିକଟରୁ ପ୍ରସ୍ଥାନ କରିବ।” 20ଏଥିରେ ବିନ୍‍ହଦଦ୍‍ ଆସା ରାଜାଙ୍କର କଥାରେ ମନୋଯୋଗ କରି ଆପଣା ସେନାପତିମାନଙ୍କୁ ଇସ୍ରାଏଲର ନାନା ନଗର ବିରୁଦ୍ଧରେ ପଠାଇ ଇୟୋନ୍‍, ଦାନ୍, ଆବେଲ୍‍-ବେଥ୍-ମାଖା, ସମୁଦାୟ କିନ୍ନେରତ୍‍ ଓ ନପ୍ତାଲିର ସମସ୍ତ ଦେଶ ପରାସ୍ତ କଲା। 21ତହୁଁ ବାଶା ଏହି କଥା ଶୁଣି ରାମା ଦୃଢ଼କରଣରୁ କ୍ଷାନ୍ତ ହୋଇ ତିର୍ସାରେ ବାସ କଲେ। 22ତେବେ ଆସା ରାଜା ସମୁଦାୟ ଯିହୁଦା ନିକଟରେ ଘୋଷଣା କଲେ; କାହାକୁ ହିଁ ଛାଡ଼ିଲେ ନାହିଁ; ତହୁଁ ବାଶା ଯେଉଁ ପ୍ରସ୍ତର ଓ କାଷ୍ଠ ନେଇ ରାମା ନଗର ନିର୍ମାଣ କରିଥିଲେ, ତାହାସବୁ ସେମାନେ ବହି ନେଇଗଲେ। ତହିଁରେ ଆସା ରାଜା ବିନ୍ୟାମୀନ୍‍ର ଗେବା ଓ ମିସ୍ପା ନଗର ଦୃଢ଼ କଲେ। 23ଏହି ଆସାଙ୍କର ଅବଶିଷ୍ଟ ସମସ୍ତ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ଓ ସମସ୍ତ କ୍ରିୟା, ପୁଣି, ଯେ ଯେ ନଗର ସେ ଦୃଢ଼ କରିଥିଲେ, ସେହି ସବୁ କଥା କି ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ମାତ୍ର ବୃଦ୍ଧାବସ୍ଥାରେ ତାଙ୍କର ପାଦରେ ରୋଗ ହୋଇଥିଲା। 24ଏଥିଉତ୍ତାରେ ଆସାଙ୍କ ମୃତ୍ୟୁ ପରେ, ସେ ଆପଣା ପିତା ଦାଉଦ-ନଗରରେ ଆପଣା ପିତୃଲୋକଙ୍କ ସହିତ କବର ପାଇଲେ, ପୁଣି, ତାଙ୍କର ପୁତ୍ର ଯିହୋଶାଫଟ୍‍ ତାହାଙ୍କ ପଦରେ ରାଜ୍ୟ କଲେ।