ଇସ୍ରାଏଲର ରାଜା ବାଶା

33ଯିହୁଦାର ଆସା ରାଜାଙ୍କର ରାଜତ୍ଵର ତୃତୀୟ ବର୍ଷରେ ଅହୀୟର ପୁତ୍ର ବାଶା ତିର୍ସାରେ ସମୁଦାୟ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ଚବିଶ ବର୍ଷ ରାଜତ୍ୱ କଲେ। 34ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ଯାରବୀୟାମଙ୍କର ପଥରେ ଓ ଯଦ୍ଦ୍ୱାରା ଯାରବୀୟାମ ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପରେ ଚାଲିଲେ।

1ଏଥିଉତ୍ତାରେ ବାଶାଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କର ବାକ୍ୟ ହନାନିର ପୁତ୍ର ଯେହୂଙ୍କ ନିକଟରେ ଉପସ୍ଥିତ ହେଲା, ଯଥା, 2“ଯେପରି ଆମ୍ଭେ ତୁମ୍ଭକୁ ଧୂଳିରୁ ଉଠାଇ ଆପଣା ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲୁ; ମାତ୍ର ତୁମ୍ଭେ ଯାରବୀୟାମର ପଥରେ ଚାଲିଅଛ ଓ ଆପଣା ଲୋକ ଇସ୍ରାଏଲକୁ ପାପ କରାଇଅଛ ଓ ସେମାନଙ୍କ ପାପ ଦ୍ୱାରା ଆମ୍ଭକୁ ବିରକ୍ତ କଲ; 3ଦେଖ, ଆମ୍ଭେ ବାଶାକୁ ଓ ତାହାର ଗୃହକୁ ନିଃଶେଷ ରୂପେ ବିନାଶ କରିବା ଓ ଆମ୍ଭେ ତୁମ୍ଭ ଗୃହକୁ ନବାଟର ପୁତ୍ର ଯାରବୀୟାମର ଗୃହ ତୁଲ୍ୟ କରିବା। 4ବାଶାର କେହି ନଗରରେ ମଲେ, କୁକ୍କୁରମାନେ ତାହାକୁ ଖାଇବେ ଓ ତାହାର କେହି କ୍ଷେତ୍ରରେ ମଲେ, ଆକାଶର ପକ୍ଷୀମାନେ ତାହାକୁ ଖାଇବେ।”

5ବାଶାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କ୍ରିୟା ଓ ପରାକ୍ରମ ବିଷୟ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? 6ଏଥିଉତ୍ତାରେ ବାଶାଙ୍କ ମୃତ୍ୟୁ ପରେ, ସେ ତିର୍ସାରେ କବର ପାଇଲେ ଓ ତାହାଙ୍କ ପୁତ୍ର ଏଲା ତାହାଙ୍କ ପଦରେ ରାଜ୍ୟ କଲେ। 7ତଥାପି ବାଶା ଓ ତାଙ୍କର ବଂଶ ବିରୁଦ୍ଧରେ ହନାନିର ପୁତ୍ର ଯେହୂ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯେହେତୁ ସେ ଆପଣା ହସ୍ତକୃତ କର୍ମ ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ଦୃଷ୍ଟିରେ ସବୁ କୁକର୍ମ କରି ଯାରବୀୟାମଙ୍କର ବଂଶ ତୁଲ୍ୟ ହୋଇଥିଲେ ଓ ତାହାକୁ ଉଚ୍ଛିନ୍ନ କରିଥିଲେ।