ଇସ୍ରାଏଲର ରାଜା ଏଲା

8ଯିହୁଦାର ଆସା ରାଜାଙ୍କ ରାଜତ୍ଵର ଛବିଶ ବର୍ଷରେ ବାଶାଙ୍କର ପୁତ୍ର ଏଲା ତିର୍ସାରେ ଇସ୍ରାଏଲ ବଂଶ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜ୍ୟ କଲେ। 9ତହିଁ ଉତ୍ତାରେ ତାଙ୍କର ରଥସମୂହର ଅର୍ଦ୍ଧେକର ଅଧିପତି ସିମ୍ରି ନାମକ ତାଙ୍କର ଦାସ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ; ଏଲା ତିର୍ସାରେ ଥାଇ ତିର୍ସାସ୍ଥିତ ଆପଣା ଗୃହର ଅଧ୍ୟକ୍ଷ ଅର୍ସାର ଗୃହରେ ପାନ କରି ମତ୍ତ ହେଉଥିଲେ; 10ଏପରି ସମୟରେ ସିମ୍ରି ଭିତରକୁ ଯାଇ ଯିହୁଦା-ରାଜା ଆସାଙ୍କ ରାଜତ୍ଵର ସତାଇଶ ବର୍ଷରେ ତାଙ୍କୁ ଆଘାତ କରି ବଧ କଲେ ଓ ତାଙ୍କର ପଦରେ ରାଜ୍ୟ କଲେ।

11ପୁଣି, ସେ ରାଜ୍ୟ କରିବାକୁ ଆରମ୍ଭ କରି ଆପଣା ସିଂହାସନରେ ବସିବା ମାତ୍ର ସେ ବାଶାଙ୍କର ସମୁଦାୟ ବଂଶକୁ ସଂହାର କଲେ; ସେ ତାଙ୍କର କି ତାଙ୍କ ଜ୍ଞାତିମାନଙ୍କର କି ତାଙ୍କ ମିତ୍ରମାନଙ୍କର କାହାରି ଗୋଟିଏ ପୁଂସନ୍ତାନ ଅବଶିଷ୍ଟ ରଖିଲେ ନାହିଁ। 12ଏହି ପ୍ରକାରେ ସଦାପ୍ରଭୁ ଯେହୂ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ବାଶାଙ୍କ ବିରୁଦ୍ଧରେ ଯେଉଁ କଥା କହିଥିଲେ, ତଦନୁସାରେ ସିମ୍ରି ବାଶାଙ୍କର ସମଗ୍ର ବଂଶ ଉଚ୍ଛିନ୍ନ କଲେ; 13ବାଶା ଓ ତାଙ୍କର ପୁତ୍ର ଏଲା ଆପଣାମାନଙ୍କ ଅସାରତା ଦ୍ୱାରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ଯେଉଁ ପାପ କଲେ ଓ ଇସ୍ରାଏଲକୁ ପାପ କରାଇଲେ, ବାଶାଙ୍କର ସେହି ସମସ୍ତ ପାପ ଓ ତାଙ୍କର ପୁତ୍ର ଏଲାଙ୍କର ପାପ ଏଥିର କାରଣ। 14ଏଲାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କି ଇସ୍ରାଏଲ-ରାଜାମାନଙ୍କର ଇତିହାସ ପୁସ୍ତକରେ ଲେଖା ନାହିଁ?