ଇସ୍ରାଏଲର ରାଜା ସିମ୍ରି

15ଯିହୁଦା-ରାଜା ଆସାଙ୍କ ରାଜତ୍ଵର ସତାଇଶ ବର୍ଷରେ ସିମ୍ରି ତିର୍ସାରେ ସାତ ଦିନ ରାଜତ୍ୱ କଲେ। ସେହି ସମୟରେ ଲୋକମାନେ ପଲେଷ୍ଟୀୟମାନଙ୍କ ଗିବ୍ବଥୋନ ବିରୁଦ୍ଧରେ ଛାଉଣି ସ୍ଥାପନ କରିଥିଲେ। 16ଏଥିମଧ୍ୟରେ ଛାଉଣି ସ୍ଥାପନ କରିଥିବା ଲୋକମାନେ ଶୁଣିଲେ ଯେ, ସିମ୍ରି ଚକ୍ରାନ୍ତ କରିଅଛନ୍ତି, ମଧ୍ୟ ରାଜାଙ୍କୁ ବଧ କରିଅଛନ୍ତି; ଏହେତୁ ସମସ୍ତ ଇସ୍ରାଏଲ ସେହି ଦିନ ଛାଉଣି ମଧ୍ୟରେ ଅମ୍ରି ନାମକ ସେନାପତିଙ୍କୁ ଇସ୍ରାଏଲ ଉପରେ ରାଜା କଲେ। 17ତହୁଁ ଅମ୍ରି ଓ ତାଙ୍କ ସହିତ ସମଗ୍ର ଇସ୍ରାଏଲ ଗିବ୍ବଥୋନରୁ ଯାତ୍ରା କରି ତିର୍ସା ଅବରୋଧ କଲେ। 18ତହିଁରେ ସିମ୍ରି ନଗର ହସ୍ତଗତ ହେବାର ଦେଖି ରାଜଗୃହର ଦୁର୍ଗକୁ ଯାଇ ଆପଣା ଉପରେ ରାଜଗୃହରେ ଅଗ୍ନି ଲଗାଇ ତାହା ଦଗ୍ଧ କଲେ; 19ପୁଣି, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରିବାରେ, ଯାରବୀୟାମଙ୍କର ପଥରେ ଚାଲିବାରେ ଓ ଇସ୍ରାଏଲକୁ ପାପ କରାଇବାରେ ଆପେ ଯେଉଁ ପାପ କଲେ, ତାଙ୍କ କୃତ ସେହି ପାପ ସକାଶୁ ମଲେ। 20ସିମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କ କୃତ ରାଜଦ୍ରୋହ ବିଷୟ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?