ଇସ୍ରାଏଲର ରାଜା ଅମ୍ରି
21ସେସମୟରେ ଇସ୍ରାଏଲ ଲୋକମାନେ ଦୁଇ ଭାଗରେ ବିଭକ୍ତ ହେଲେ; ଅର୍ଦ୍ଧେକ ଲୋକ ଗୀନତର ପୁତ୍ର ତିବ୍ନିକୁ ରାଜା କରିବା ପାଇଁ ତାହାର ଅନୁଗାମୀ ହେଲେ ଓ ଅର୍ଦ୍ଧେକ ଅମ୍ରିଙ୍କର ଅନୁଗାମୀ ହେଲେ। 22ମାତ୍ର ଅମ୍ରିଙ୍କର ଅନୁଗାମୀ ଲୋକମାନେ ଗୀନତର ପୁତ୍ର ତିବ୍ନିର ଅନୁଗାମୀ ଲୋକମାନଙ୍କୁ ପରାସ୍ତ କଲେ; ତିବ୍ନି ମଲା ଓ ଅମ୍ରି ରାଜ୍ୟ କଲେ। 23ଯିହୁଦାର ରାଜା ଆସାଙ୍କ ରାଜତ୍ଵର ଏକତିରିଶ ବର୍ଷରେ ଅମ୍ରି ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରିବାର ବର୍ଷ ରାଜ୍ୟ କଲେ; ତିର୍ସାରେ ସେ ଛଅ ବର୍ଷ ରାଜ୍ୟ କଲେ। 24ପୁଣି, ସେ ଦୁଇ ତାଳନ୍ତ ରୂପାରେ ଶେମରଠାରୁ ଶମିରୋଣ୍ ପର୍ବତ କ୍ରୟ କଲେ ଓ ସେହି ପର୍ବତ ଉପରେ ଏକ ନଗର ନିର୍ମାଣ କରି ସେହି ପର୍ବତର ଅଧିକାରୀ ଶେମରର ନାମାନୁସାରେ ଆପଣା ନିର୍ମିତ ନଗରର ନାମ ଶମରୀୟା ରଖିଲେ।
25ଆଉ ଅମ୍ରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ତାଙ୍କର ପୂର୍ବବର୍ତ୍ତୀ ସମସ୍ତଙ୍କ ଅପେକ୍ଷା ଅଧିକ ଦୁଷ୍ଟାଚରଣ କଲେ। 26କାରଣ ସେ ନବାଟର ପୁତ୍ର ଯାରବୀୟାମଙ୍କର ସକଳ ପଥରେ ଓ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ଆପଣାମାନଙ୍କ ଅସାରତା ଦ୍ୱାରା ବିରକ୍ତ କରିବା ପାଇଁ ଯଦ୍ଦ୍ୱାରା ସେ ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପ-ପଥରେ ଅମ୍ରି ଚାଲିଲେ। 27ଅମ୍ରିଙ୍କର ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ ଓ ତାଙ୍କ ପ୍ରକାଶିତ ପରାକ୍ରମସବୁ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? 28ଅମ୍ରିଙ୍କ ମୃତ୍ୟୁ ପରେ, ସେ ଶମରୀୟାରେ କବରପ୍ରାପ୍ତ ହେଲେ; ପୁଣି, ତାଙ୍କର ପୁତ୍ର ଆହାବ ତାହାଙ୍କ ପଦରେ ରାଜ୍ୟ କଲେ।


