ଇସ୍ରାଏଲର ରାଜା ଆହାବ
29ଯିହୁଦାର ରାଜା ଆସାଙ୍କ ରାଜତ୍ଵର ଅଠତିରିଶି ବର୍ଷରେ ଅମ୍ରିଙ୍କର ପୁତ୍ର ଆହାବ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ଅମ୍ରିଙ୍କ ପୁତ୍ର ଆହାବ ଶମରୀୟାରେ ଇସ୍ରାଏଲ ଉପରେ ବାଇଶ ବର୍ଷ ରାଜ୍ୟ କଲେ। 30ପୁଣି, ଅମ୍ରିଙ୍କ ପୁତ୍ର ଆହାବ ଆପଣା ପୂର୍ବବର୍ତ୍ତୀ ସମସ୍ତଙ୍କ ଅପେକ୍ଷା ସଦାପ୍ରଭୁଙ୍କ ଦୃଷ୍ଟିରେ ଅଧିକ କୁକର୍ମ କଲେ। 31ପୁଣି, ନବାଟର ପୁତ୍ର ଯାରବୀୟାମଙ୍କ ପାପ-ପଥରେ ଚାଲିବାର ତାଙ୍କ ପ୍ରତି ତୁଚ୍ଛ ବିଷୟ ହେଲା ପରି ସେ ସୀଦୋନୀୟମାନଙ୍କ ଇତ୍ବାଲ ରାଜାର କନ୍ୟା ଈଷେବଲ୍କୁ ବିବାହ କଲେ ଓ ଯାଇ ବାଲ୍ର ସେବା କରି ତାହାକୁ ପ୍ରଣାମ କଲେ। 32ଆଉ ସେ ଶମରୀୟାସ୍ଥିତ ଆପଣା ନିର୍ମିତ ବାଲ୍ର ଗୃହରେ ବାଲ୍ ପାଇଁ ଏକ ଯଜ୍ଞବେଦି ନିର୍ମାଣ କଲେ। 33ଆଉ ଆହାବ ଆଶେରା ମୂର୍ତ୍ତି ନିର୍ମାଣ କଲେ ଓ ଆହାବ ଆପଣା ପୂର୍ବବର୍ତ୍ତୀ ସମସ୍ତ ଇସ୍ରାଏଲ ରାଜାଙ୍କ ଅପେକ୍ଷା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଆହୁରି ଅଧିକ ବିରକ୍ତିଜନକ କର୍ମ କଲେ। 34ତାଙ୍କର ସମୟରେ ବେଥେଲୀୟ ହୀୟେଲ ଯିରୀହୋ ନଗର ପୁନର୍ବାର ନିର୍ମାଣ କଲେ; ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟଙ୍କ ଦେଇ ଯାହା କହିଥିଲେ; ସେହି ବାକ୍ୟାନୁସାରେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଅବୀରାମର ମୃତ୍ୟୁୁ ସହିତ ନଗରର ଭିତ୍ତିମୂଳ ସ୍ଥାପନ କଲେ ଓ ଆପଣା କନିଷ୍ଠ ପୁତ୍ର ସଗୂବର ମୃତ୍ୟୁୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କଲେ।


