ଏଲୀୟ ଓ ଅନାବୃଷ୍ଟି

1ଏଥିଉତ୍ତାରେ ଗିଲୀୟଦର ପ୍ରବାସୀ ତିଶ୍‍ବୀୟ ଏଲୀୟ ଆହାବଙ୍କୁ କହିଲେ, “ମୁଁ ଯାହାଙ୍କ ସାକ୍ଷାତରେ ଛିଡ଼ା ହେଉଅଛି, ସେହି ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କେତେକ ବର୍ଷ କାକର କି ବୃଷ୍ଟି ପଡ଼ିବ ନାହିଁ, କେବଳ ମୋʼ ବାକ୍ୟାନୁସାରେ ହେବ।” 2ଏଉତ୍ତାରେ ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, 3ଯଥା, “ତୁମ୍ଭେ ଏଠାରୁ ଯାଇ ପୂର୍ବ ଦିଗକୁ ଫେରି ଯର୍ଦ୍ଦନ ସମ୍ମୁଖସ୍ଥ କରୀତ୍‍ ନଦୀ ନିକଟରେ ଆପଣାକୁ ଲୁଚାଅ। 4ସେସ୍ଥାନରେ ତୁମ୍ଭେ ନଦୀରୁ ପାନ କରିବ ଓ ତୁମ୍ଭକୁ ଖାଦ୍ୟ ଯୋଗାଇବା ପାଇଁ ଆମ୍ଭେ କାକମାନଙ୍କୁ ଆଜ୍ଞା ଦେଇଅଛୁ।” 5ତହିଁରେ ସେ ଯାଇ ସଦାପ୍ରଭୁଙ୍କ ବାକ୍ୟାନୁସାରେ କର୍ମ କଲେ; ସେ ଯର୍ଦ୍ଦନ ସମ୍ମୁଖସ୍ଥ କରୀତ୍‍ ନଦୀ ନିକଟକୁ ଯାଇ ବାସ କଲେ। 6ପୁଣି, କାକମାନେ ପ୍ରାତଃକାଳରେ ରୁଟି ଓ ମାଂସ, ପୁଣି, ସନ୍ଧ୍ୟା ବେଳେ ରୁଟି ଓ ମାଂସ ତାଙ୍କ ପାଇଁ ଆଣିଲେ; ଆଉ ସେ ନଦୀରୁ ପାନ କଲେ। 7ପୁଣି, ଦେଶରେ ବୃଷ୍ଟି ନୋହିବାରୁ କିଛି କାଳ ଉତ୍ତାରେ ନଦୀ ଶୁଷ୍କ ହୋଇଗଲା।