ଏଲୀୟଙ୍କ ଈଷେବଲ୍‍ଠାରୁ ପଳାୟନ

1ଏଥିଉତ୍ତାରେ ଆହାବ ଏଲୀୟଙ୍କର କୃତ ସମସ୍ତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ୍ଗରେ ସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କୁ ବଧ କରିଥିଲେ, ତାହା ଈଷେବଲ୍‍କୁ ଜଣାଇଲେ। 2ତହିଁରେ ଈଷେବଲ୍‍ ଏଲୀୟଙ୍କ ନିକଟକୁ ଦୂତ ପଠାଇ ଏହି କଥା କହିଲା, “ପ୍ରାୟ କାଲି ଏହି ସମୟକୁ ଯେବେ ମୁଁ ତୁମ୍ଭ ପ୍ରାଣକୁ ସେମାନଙ୍କ ଜଣକର ପ୍ରାଣ ତୁଲ୍ୟ ନ କରେ, ତେବେ ଦେବତାମାନେ ମୋତେ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।” 3ତହୁଁ ଏଲୀୟ ଏହା ଦେଖି ଆପଣା ପ୍ରାଣ ସକାଶେ ଉଠିଯାଇ ଯିହୁଦାର ବେର୍‍ଶେବା ନଗରରେ ଉପସ୍ଥିତ ହେଲେ ଓ ସେଠାରେ ଆପଣା ଦାସକୁ ଛାଡ଼ିଲେ।

4ମାତ୍ର ସେ ଆପେ ପ୍ରାନ୍ତର ଭିତରକୁ ଦିନକର ପଥ ଯାଇ ଏକ ରେତମବୃକ୍ଷ ମୂଳରେ ଉପସ୍ଥିତ ହୋଇ ବସିଲେ ଓ ଆପଣା ମୃତ୍ୟୁୁ-ପ୍ରାର୍ଥନା କରି କହିଲେ, “ଯଥେଷ୍ଟ ହେଲାଣି; ଏବେ ହେ ସଦାପ୍ରଭୋ, ମୋର ପ୍ରାଣ ନିଅ; କାରଣ ମୁଁ ଆପଣା ପୂର୍ବପୁରୁଷମାନଙ୍କଠାରୁ ଭଲ ନୁହେଁ।” 5ତହୁଁ ସେ ରେତମବୃକ୍ଷ ମୂଳେ ଶୟନ କରି ନିଦ୍ରା ଗଲେ; ଏଥିରେ ଦେଖ, ଏକ ଦୂତ ତାଙ୍କୁ ସ୍ପର୍ଶ କରି କହିଲେ, “ଉଠ, ଭୋଜନ କର।” 6ତହିଁରେ ସେ ଅନାନ୍ତେ, ଦେଖ, ତାଙ୍କ ମସ୍ତକ ପାଖରେ ଅଙ୍ଗାରରେ ପକ୍ୱ ଏକ ପିଠା ଓ ଏକ ପାତ୍ର ଜଳ ଅଛି। ଏଣୁ ସେ ଭୋଜନପାନ କରି ପୁନର୍ବାର ଶୟନ କଲେ। 7ଏଉତ୍ତାରେ ସଦାପ୍ରଭୁଙ୍କ ଦୂତ ପୁନର୍ବାର ଦ୍ୱିତୀୟ ଥର ଆସି ତାଙ୍କୁ ସ୍ପର୍ଶ କରି କହିଲେ, “ଉଠ, ଭୋଜନ କର; କାରଣ ତୁମ୍ଭ ଶକ୍ତିରୁ ପଥ ଅଧିକ।” 8ତହୁଁ ସେ ଉଠି ଭୋଜନପାନ କଲେ ଓ ସେହି ଖାଦ୍ୟର ବଳରେ ପରମେଶ୍ୱରଙ୍କ ପର୍ବତ ହୋରେବ ପର୍ଯ୍ୟନ୍ତ ଚାଳିଶ ଦିନ ଓ ଚାଳିଶ ରାତ୍ରି ଗମନ କଲେ।