ନାବୋତର ଦ୍ରାକ୍ଷାକ୍ଷେତ୍ର

1ଏଉତ୍ତାରେ ଏହିପରି ଘଟିଲା; ଯିଷ୍ରିୟେଲରେ ଶମରୀୟାର ରାଜା ଆହାବଙ୍କର ଅଟ୍ଟାଳିକା ସନ୍ନିକଟରେ ଯିଷ୍ରିୟେଲୀୟ ନାବୋତର ଖଣ୍ଡେ ଦ୍ରାକ୍ଷାକ୍ଷେତ୍ର ଥିଲା। 2ଏଣୁ ଆହାବ ନାବୋତକୁ କହିଲେ, “ମୋତେ ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଦିଅ, ମୁଁ ତାହା ଶାକକ୍ଷେତ୍ର କରିବି, କାରଣ ତାହା ମୋʼ ଗୃହ ନିକଟରେ ଅଛି; ଆଉ ମୁଁ ତହିଁ ବଦଳେ ତୁମ୍ଭକୁ ତହିଁରୁ ଉତ୍ତମ ଏକ ଦ୍ରାକ୍ଷାକ୍ଷେତ୍ର ଦେବି; ଯଦି ତୁମ୍ଭକୁ ଭଲ ଦେଖାଯାଏ, ମୁଁ ରୂପା-ମୁଦ୍ରାରେ ତହିଁର ମୂଲ୍ୟ ତୁମ୍ଭକୁ ଦେବି।” 3ଏଥିରେ ନାବୋତ ଆହାବଙ୍କୁ କହିଲା, “ମୁଁ ଯେ ଆପଣା ପୈତୃକ ଅଧିକାର ଆପଣଙ୍କୁ ଦେବି, ଏହା ସଦାପ୍ରଭୁ ନ କରନ୍ତୁ।” 4ତହୁଁ ଆହାବ ଯିଷ୍ରିୟେଲୀୟ ନାବୋତର ଉକ୍ତ କଥା ସକାଶୁ ବିଷଣ୍ଣ ଓ ଅତୁଷ୍ଟ ହୋଇ ଆପଣା ଗୃହକୁ ଆସିଲେ; କାରଣ ନାବୋତ କହିଥିଲା ଯେ, “ମୁଁ ଆପଣା ପୈତୃକ ଅଧିକାର ଆପଣଙ୍କୁ ଦେବି ନାହିଁ।” ଏଣୁ ଆହାବ ଆପଣା ମୁଖ ଫେରାଇ ଶଯ୍ୟାରେ ପଡ଼ି ଭୋଜନ କରିବାକୁ ଅସମ୍ମତ ହେଲେ। 5ମାତ୍ର ତାଙ୍କ ଭାର୍ଯ୍ୟା ଈଷେବଲ୍‍ ତାଙ୍କ ନିକଟକୁ ଆସି କହିଲା, “ତୁମ୍ଭ ମନ କାହିଁକି ଏଡ଼େ ଦୁଃଖିତ ଯେ, ତୁମ୍ଭେ ଭୋଜନ କରୁ ନାହଁ?” 6ତହିଁରେ ସେ ତାହାକୁ କହିଲେ, “ମୁଁ ଯିଷ୍ରିୟେଲୀୟ ନାବୋତକୁ କହିଲି, ତୁମ୍ଭେ ରୂପା ମୁଦ୍ରା ନେଇ ମୋତେ ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଦିଅ; ଅବା ଯେବେ ତୁମ୍ଭର ସନ୍ତୋଷ ହୁଏ, ତେବେ ମୁଁ ତୁମ୍ଭକୁ ତହିଁ ବଦଳେ ଆଉ ଏକ ଦ୍ରାକ୍ଷାକ୍ଷେତ୍ର ଦେବି,” ମାତ୍ର ସେ ଉତ୍ତର କଲା, “ମୁଁ ତୁମ୍ଭକୁ ଆପଣା ଦ୍ରାକ୍ଷାକ୍ଷେତ୍ର ଦେବି ନାହିଁ।” 7ତହୁଁ ତାଙ୍କର ଭାର୍ଯ୍ୟା ଈଷେବଲ୍‍ ତାଙ୍କୁ କହିଲା, “ତୁମ୍ଭେ କʼଣ ଏବେ ଇସ୍ରାଏଲର ରାଜ୍ୟ ଉପରେ କର୍ତ୍ତୃତ୍ୱ କରୁ ନାହଁ? ଉଠ, ଭୋଜନ କର ଓ ତୁମ୍ଭ ମନ ଆନନ୍ଦିତ ହେଉ; ମୁଁ ତୁମ୍ଭକୁ ଯିଷ୍ରିୟେଲୀୟ ନାବୋତର ଦ୍ରାକ୍ଷାକ୍ଷେତ୍ର ଦେବି।” 8ତହୁଁ ସେ ଆହାବଙ୍କ ନାମରେ ପତ୍ର ଲେଖି ଓ ତାଙ୍କର ମୁଦ୍ରାରେ ମୁଦ୍ରାଙ୍କିତ କରି ନାବୋତର ନଗରସ୍ଥ ଓ ତାହାର ପ୍ରତିବାସୀ ପ୍ରାଚୀନ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସେହି ପତ୍ର ପଠାଇଲା। 9ପୁଣି, ସେହି ପତ୍ରରେ ସେ ଏହା ଲେଖିଥିଲା, ଯଥା, ଉପବାସର ଘୋଷଣା କର ଓ ଲୋକମାନଙ୍କ ମଧ୍ୟରେ ନାବୋତକୁ ଉଚ୍ଚସ୍ଥାନରେ ବସାଅ; 10ଆଉ ତାହା ସମ୍ମୁଖରେ ଦୁଇଗୋଟି ଦୁଷ୍ଟ ମନୁଷ୍ୟକୁ ବସାଅ ଓ ସେମାନେ ତାହା ବିରୁଦ୍ଧରେ ସାକ୍ଷ୍ୟ ଦେଇ କହନ୍ତୁ, ତୁମ୍ଭେ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଅଛ। ତହିଁ ଉତ୍ତାରେ ତାହାକୁ ବାହାରକୁ ନେଇ ପ୍ରସ୍ତରାଘାତ କରି ବଧ କର। 11ତହୁଁ ନାବୋତର ନଗରସ୍ଥ ଲୋକମାନଙ୍କୁ, ଅର୍ଥାତ୍‍, ତାହାର ନଗର ନିବାସୀ ପ୍ରାଚୀନ ଓ ପ୍ରଧାନବର୍ଗଙ୍କୁ ଈଷେବଲ୍‍ ଯେପରି କହି ପଠାଇଥିଲା ଓ ତାହାର ପ୍ରେରିତ ପତ୍ରରେ ଯେପରି ଲେଖାଥିଲା, ତଦନୁସାରେ ସେମାନେ କର୍ମ କଲେ। 12ସେମାନେ ଉପବାସର ଘୋଷଣା କଲେ ଓ ନାବୋତକୁ ଲୋକମାନଙ୍କ ମଧ୍ୟରେ ଉଚ୍ଚସ୍ଥାନରେ ବସାଇଲେ। 13ଆଉ ଦୁଇଗୋଟି ଦୁଷ୍ଟ ମନୁଷ୍ୟ ଆସି ତାହା ସମ୍ମୁଖରେ ବସିଲେ; ପୁଣି, ସେହି ପାପାଧମ ମନୁଷ୍ୟମାନେ ଲୋକମାନଙ୍କ ସାକ୍ଷାତରେ ନାବୋତ ବିରୁଦ୍ଧରେ ସାକ୍ଷ୍ୟ ଦେଇ କହିଲେ, “ନାବୋତ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଅଛି।” ତହୁଁ ସେମାନେ ତାହାକୁ ନଗରର ବାହାରକୁ ନେଇଯାଇ ପ୍ରସ୍ତରାଘାତ କରି ବଧ କଲେ। 14ତହିଁ ଉତ୍ତାରେ ସେମାନେ ଈଷେବଲ୍‍ ନିକଟକୁ କହି ପଠାଇଲେ, ନାବୋତ ପ୍ରସ୍ତରାଘାତରେ ମରିଅଛି। 15ଏଥିରେ ଈଷେବଲ୍‍, ପ୍ରସ୍ତରାଘାତରେ ନାବୋତର ମରିଥିବା ବିଷୟ ଶୁଣନ୍ତେ, ଈଷେବଲ୍‍ ଆହାବଙ୍କୁ କହିଲା, “ଉଠ, ଯିଷ୍ରିୟେଲୀୟ ନାବୋତ ରୂପା-ମୁଦ୍ରାରେ ତୁମ୍ଭକୁ ଯେଉଁ ଦ୍ରାକ୍ଷାକ୍ଷେତ୍ର ଦେବାକୁ ମନା କଲା, ତାହା ଅଧିକାରରେ ଆଣ; କାରଣ ନାବୋତ ଜୀବିତ ନାହିଁ, ମାତ୍ର ମଲାଣି।” 16ସେତେବେଳେ ଆହାବ ନାବୋତର ମରଣ କଥା ଶୁଣନ୍ତେ, ଆହାବ ଉଠି ଯିଷ୍ରିୟେଲୀୟ ନାବୋତର ଦ୍ରାକ୍ଷାକ୍ଷେତ୍ର ଅଧିକାରରେ ଆଣିବା ପାଇଁ ଗଲେ।