ଅଦୋନୀୟର ମୃତ୍ୟୁୁ
13ତହିଁରେ ହଗୀତର ପୁତ୍ର ଅଦୋନୀୟ ଶଲୋମନଙ୍କର ମାତା ବତ୍ଶେବା ନିକଟକୁ ଆସନ୍ତେ, ସେ ପଚାରିଲେ, “କୁଶଳରେ ଆସିଲ?” ସେ ଉତ୍ତର କଲା, “କୁଶଳରେ।” 14ସେ ଆହୁରି କହିଲା, “ମୋହର ତୁମ୍ଭକୁ କିଛି କହିବାର ଅଛି।” ବତ୍ଶେବା କହିଲେ, “କୁହ।” 15ତହୁଁ ସେ କହିଲା, “ତୁମ୍ଭେ ଜାଣ ଯେ, ରାଜ୍ୟ ମୋହର ଥିଲା ଓ ମୁଁ ରାଜ୍ୟ କରିବି ବୋଲି ସମଗ୍ର ଇସ୍ରାଏଲ ମୋʼ ପ୍ରତି ଅନାଇଥିଲେ; ଯାହାହେଉ, ରାଜ୍ୟ ବଦଳି ଯାଇ ମୋʼ ଭାଇଙ୍କର ହୋଇଅଛି; କାରଣ, ତାହା ସଦାପ୍ରଭୁଙ୍କ ଆଡ଼ୁ ତାଙ୍କର ଥିଲା। 16ଏଣୁ ଏବେ ମୁଁ ତୁମ୍ଭକୁ ଗୋଟିଏ ନିବେଦନ କରୁଅଛି, ମୋତେ ମନା ନ କର।” ବତ୍ଶେବା ତାହାକୁ କହିଲେ, “କୁହ।” 17ତହୁଁ ସେ କହିଲା, “ତୁମ୍ଭେ ଅନୁଗ୍ରହ କରି ଶୁନେମୀୟା ଅବୀଶଗକୁ ମୋʼ ସଙ୍ଗେ ବିବାହ ଦେବା ପାଇଁ ଶଲୋମନ ରାଜାଙ୍କୁ କୁହ, ସେ ତ ତୁମ୍ଭକୁ ନାସ୍ତି କରିବେ ନାହିଁ।” 18ଏଥିରେ ବତ୍ଶେବା କହିଲେ, “ଭଲ; ମୁଁ ତୁମ୍ଭ ପାଇଁ ରାଜାଙ୍କୁ କହିବି।”
19ଏହେତୁ ବତ୍ଶେବା ଅଦୋନୀୟ ନିମନ୍ତେ କହିବା ପାଇଁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ତହୁଁ ରାଜା ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ଆପଣା ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଆସନ ରଖାଇଲେ; ତହିଁରେ ସେ ତାଙ୍କର ଦକ୍ଷିଣ ପାଖରେ ବସିଲେ। 20ତେବେ ସେ କହିଲେ, “ତୁମ୍ଭଠାରେ ମୋହର ଏକ କ୍ଷୁଦ୍ର ନିବେଦନ ଅଛି; ମୋତେ ନାସ୍ତି ନ କର।” ତହୁଁ ରାଜା ତାଙ୍କୁ କହିଲେ, “ମୋହର ମାତା, କୁହ; କାରଣ, ମୁଁ ତୁମ୍ଭକୁ ନାସ୍ତି କରିବି ନାହିଁ।” 21ଏଥିରେ ସେ କହିଲେ, “ଶୁନେମୀୟା ଅବୀଶଗକୁ ତୁମ୍ଭ ଭାଇ ଅଦୋନୀୟ ସହିତ ବିବାହ ଦିଆଯାଉ।” 22ତହୁଁ ଶଲୋମନ ରାଜା ଉତ୍ତର କରି ଆପଣା ମାତାଙ୍କୁ କହିଲେ, “ତୁମ୍ଭେ ଅଦୋନୀୟ ନିମନ୍ତେ ଶୁନେମୀୟା ଅବୀଶଗକୁ କାହିଁକି ମାଗୁଅଛ? ତାହା ପାଇଁ ରାଜ୍ୟ ମଧ୍ୟ ମାଗ, କାରଣ, ସେ ତ ମୋହର ବଡ଼ ଭାଇ; ହଁ ତାହା ପାଇଁ, ପୁଣି, ଅବୀୟାଥର ଯାଜକ ଓ ସରୁୟାର ପୁତ୍ର ଯୋୟାବ ପାଇଁ ମଧ୍ୟ ମାଗ।” 23ସେତେବେଳେ ଶଲୋମନ ରାଜା ସଦାପ୍ରଭୁଙ୍କ ନାମରେ ଶପଥ କରି କହିଲେ, “ଯେବେ ଅଦୋନୀୟ ଏହି କଥା ଆପଣା ପ୍ରାଣ ବିରୁଦ୍ଧରେ କହି ନ ଥାଏ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ। 24ଏହେତୁ ଯେଉଁ ସଦାପ୍ରଭୁ ନିଜ ପ୍ରତିଜ୍ଞାନୁସାରେ ମୋତେ ସୁସ୍ଥିର କରି ମୋʼ ପିତା ଦାଉଦଙ୍କ ସିଂହାସନରେ ମୋତେ ବସାଇ ଅଛନ୍ତି ଓ ଯେ ମୋʼ ଗୃହ ଦୃଢ଼ କରିଅଛନ୍ତି, ତାହାଙ୍କ ଜୀବିତ ଥିବା ପ୍ରମାଣେ ଅଦୋନୀୟ ନିଶ୍ଚୟ ଆଜି ହତ ହେବ।” 25ଏଉତ୍ତାରେ ଶଲୋମନ ରାଜା ଯିହୋୟାଦାର ପୁତ୍ର ବନାୟକୁ ପଠାଇଲେ; ତହୁଁ ସେ ତାହାକୁ ଆକ୍ରମଣ କରନ୍ତେ, ସେ ମଲା। 26ଏଥିଉତ୍ତାରେ ରାଜା ଅବୀୟାଥର ଯାଜକଙ୍କୁ କହିଲେ, “ତୁମ୍ଭେ ଅନାଥୋତ୍କୁ ଆପଣା କ୍ଷେତ୍ରକୁ ଯାଅ; କାରଣ, ତୁମ୍ଭେ ମୃତ୍ୟୁୁଯୋଗ୍ୟ; ମାତ୍ର, ମୁଁ ତୁମ୍ଭକୁ ବର୍ତ୍ତମାନ ବଧ କରିବି ନାହିଁ, ଯେହେତୁ ତୁମ୍ଭେ ମୋʼ ପିତା ଦାଉଦଙ୍କ ସମ୍ମୁଖରେ ପ୍ରଭୁ ସଦାପ୍ରଭୁଙ୍କ ସିନ୍ଦୁକ ବହିଥିଲ, ଆହୁରି ମୋʼ ପିତାଙ୍କ ସମସ୍ତ ଦୁଃଖଭୋଗରେ ଦୁଃଖଭୋଗ କରିଥିଲ।” 27ଏନିମନ୍ତେ ସଦାପ୍ରଭୁ ଶୀଲୋରେ ଏଲିର ବଂଶ ବିଷୟରେ ଯାହା କହିଥିଲେ, ତାହାଙ୍କର ସେହି ବାକ୍ୟ ସିଦ୍ଧ କରିବା ପାଇଁ ଶଲୋମନ ଅବୀୟାଥରକୁ ସଦାପ୍ରଭୁଙ୍କ ଯାଜକ କର୍ମରୁ ଦୂର କରିଦେଲେ। 28ଏଉତ୍ତାରେ ଯୋୟାବ ନିକଟରେ ସମ୍ବାଦ ଉପସ୍ଥିତ ହେଲା, କାରଣ ଯୋୟାବ ଯଦ୍ୟପି ଅବଶାଲୋମର ଅନୁଗାମୀ ହେବା ପାଇଁ ବିପଥଗାମୀ ହୋଇ ନ ଥିଲା, ତଥାପି ଅଦୋନୀୟର ଅନୁଗାମୀ ହେବା ପାଇଁ ବିପଥଗାମୀ ହେଲା। ସେଥିସକାଶୁ ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ଯଜ୍ଞବେଦିର ଶୃଙ୍ଗ ଧରିପକାଇଲା। 29ଏଉତ୍ତାରେ ଦେଖ, “ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ବେଦି ନିକଟରେ ଅଛି,” ଏହି ସମ୍ବାଦ ଶଲୋମନ ରାଜାଙ୍କୁ ଦିଆଯାଆନ୍ତେ, ସେ ଯିହୋୟାଦାର ପୁତ୍ର ବନାୟକୁ ପଠାଇ କହିଲେ, ଯାଅ, ତାକୁ ଆକ୍ରମଣ କର। 30ତହିଁରେ ବନାୟ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ତାହାକୁ କହିଲା, “ରାଜା କହିଅଛନ୍ତି, ବାହାରକୁ ଆସ।” ମାତ୍ର ସେ କହିଲା, “ନା, ମୁଁ ଏଠାରେ ମରିବି।” ଏଥିରେ ବନାୟ ପୁଣି, ରାଜାଙ୍କ ନିକଟକୁ ସମ୍ବାଦ ଆଣି କହିଲା, “ଯୋୟାବ ଏପରି କହିଲା ଓ ମୋତେ ଏପରି ଉତ୍ତର ଦେଲା।” 31ତେବେ ରାଜା ତାହାକୁ କହିଲେ, “ସେ ଯେପରି କହିଅଛି, ସେପରି କର, ତାହାକୁ ଆଘାତ କର ଓ ତାହାକୁ କବର ଦିଅ; ତହିଁରେ ଯୋୟାବ ଅକାରଣରେ ଯେଉଁ ରକ୍ତପାତ କରିଅଛି, ତହିଁର ଅପରାଧ ତୁମ୍ଭେ ମୋʼ ଠାରୁ ଓ ମୋʼ ପିତୃଗୃହରୁ ଦୂର କରିବ। 32ପୁଣି, ସଦାପ୍ରଭୁ ତାହାର ରକ୍ତପାତର ଅପରାଧ ତାହାର ନିଜ ମସ୍ତକରେ ବର୍ତ୍ତାଇବେ, କାରଣ, ସେ ମୋʼ ପିତା ଦାଉଦଙ୍କ ଅଜ୍ଞାତସାରରେ ଆପଣାଠାରୁ ଧାର୍ମିକ ଓ ଉତ୍ତମ, ଇସ୍ରାଏଲର ସେନାପତି ନେର୍ର ପୁତ୍ର ଅବ୍ନର ଓ ଯିହୁଦାର ସେନାପତି ଯେଥରର ପୁତ୍ର ଅମାସା, ଏ ଦୁଇ ଜଣଙ୍କୁ ଆକ୍ରମଣ କରି ଖଡ୍ଗରେ ବଧ କରିଥିଲା। 33ତହୁଁ ସେମାନଙ୍କ ରକ୍ତପାତର ଅପରାଧ ଯୋୟାବର ମସ୍ତକରେ ଓ ସଦାକାଳ ତାହାର ବଂଶର ମସ୍ତକରେ ବର୍ତ୍ତିବ; ମାତ୍ର ଦାଉଦଙ୍କ ପ୍ରତି ଓ ତାଙ୍କ ବଂଶ ପ୍ରତି ଓ ତାଙ୍କ ଗୃହ ପ୍ରତି ଓ ତାଙ୍କ ସିଂହାସନ ପ୍ରତି, ସଦାପ୍ରଭୁଙ୍କଠାରୁ ସଦାକାଳ ଶାନ୍ତି ବର୍ତ୍ତିବ।” 34ଏଉତ୍ତାରେ ଯିହୋୟାଦାର ପୁତ୍ର ବନାୟ ଯାଇ ତାହାକୁ ଆକ୍ରମଣ କରି ବଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜ ଗୃହରେ ତାହାକୁ କବର ଦିଆଗଲା। 35ପୁଣି, ରାଜା ତାହାର ପଦରେ ଯିହୋୟାଦାର ପୁତ୍ର ବନାୟକୁ ସେନାପତି କରି ନିଯୁକ୍ତ କଲେ ଓ ରାଜା ଅବୀୟାଥର ପଦରେ ସାଦୋକଙ୍କୁ ଯାଜକ କରି ନିଯୁକ୍ତ କଲେ। 36ଏଉତ୍ତାରେ ରାଜା ଲୋକ ପଠାଇ ଶିମୀୟିକୁ ଡକାଇ କହିଲେ, “ଯିରୂଶାଲମରେ ଆପଣା ପାଇଁ ଏକ ଗୃହ ନିର୍ମାଣ କରି ସେଠାରେ ବାସ କର, ଆଉ ସେଠାରୁ ଅନ୍ୟ କୌଣସି ସ୍ଥାନକୁ ଯାଅ ନାହିଁ। 37କାରଣ, ତୁମ୍ଭେ ଯେଉଁ ଦିନ ବାହାରି କିଦ୍ରୋଣ ନଦୀ ପାର ହେବ; ସେହି ଦିନ ତୁମ୍ଭେ ନିତାନ୍ତ ମରିବ, ଏହା ନିଶ୍ଚୟ ଜାଣ; ତୁମ୍ଭ ରକ୍ତପାତର ଅପରାଧ ତୁମ୍ଭ ନିଜ ମସ୍ତକରେ ବର୍ତ୍ତିବ।” 38ତହିଁରେ ଶିମୀୟି ରାଜାଙ୍କୁ କହିଲା, “ଏ ଉତ୍ତମ କଥା; ମୋʼ ପ୍ରଭୁ ମହାରାଜ ଯେପରି କହିଅଛନ୍ତି, ଆପଣଙ୍କ ଦାସ ସେପରି କରିବ।” ଏଣୁ ଶିମୀୟି ଅନେକ ଦିନ ଯିରୂଶାଲମରେ ବାସ କଲା। 39ଏଥିଉତ୍ତାରେ ତିନି ବର୍ଷ ଶେଷରେ ଶିମୀୟିର ଦାସମାନଙ୍କ ମଧ୍ୟରୁ ଦୁଇ ଜଣ ମାଖାର ପୁତ୍ର ଗାଥୀୟ ରାଜା ଆଖୀଶ୍ ନିକଟକୁ ପଳାଇଲେ। ଏଥିରେ ଲୋକେ ଶିମୀୟିକୁ ଜଣାଇ କହିଲେ, “ଦେଖ, ତୁମ୍ଭ ଦାସମାନେ ଗାଥ୍ ନଗରରେ ଅଛନ୍ତି।” 40ତହୁଁ ଶିମୀୟି ଉଠି ଗର୍ଦ୍ଦଭ ସଜାଇ ଆପଣା ଦାସମାନଙ୍କୁ ଅନ୍ୱେଷଣ କରିବା ପାଇଁ ଗାଥ୍ ନଗରକୁ ଆଖୀଶ୍ ନିକଟକୁ ଗଲା; ପୁଣି, ଶିମୀୟି ଯାଇ ଗାଥ୍ରୁ ଆପଣା ଦାସମାନଙ୍କୁ ଆଣିଲା। 41ତହୁଁ ଶଲୋମନଙ୍କୁ ସମ୍ବାଦ ଦିଆଗଲା ଯେ, “ଶିମୀୟି ଯିରୂଶାଲମରୁ ଗାଥ୍କୁ ଯାଇଥିଲା, ପୁଣି, ଫେରି ଆସିଅଛି।” 42ଏଥିରେ ରାଜା ଲୋକ ପଠାଇ ଶିମୀୟିକୁ ଡକାଇ ତାହାକୁ କହିଲେ, “ତୁମ୍ଭେ ଯେଉଁ ଦିନ ବାହାରି ଅନ୍ୟ କୌଣସି ସ୍ଥାନରେ ଭ୍ରମଣ କରିବ, ସେହି ଦିନ ତୁମ୍ଭେ ନିତାନ୍ତ ମରିବ, ‘ଏହା ନିଶ୍ଚୟ ଜାଣ, ମୁଁ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଶପଥ କରାଇ ତୁମ୍ଭ ବିପକ୍ଷରେ କʼଣ ଏହି ସାକ୍ଷ୍ୟ ଦେଇ ନାହିଁ?’ ଆଉ ତୁମ୍ଭେ ମୋତେ କହିଥିଲ, ‘ମୁଁ ଯେଉଁ କଥା ଶୁଣିଲି, ତାହା ଉତ୍ତମ।’ 43ତେବେ ତୁମ୍ଭେ ସଦାପ୍ରଭୁଙ୍କ ଶପଥ ଓ ତୁମ୍ଭକୁ ଦତ୍ତ ମୋହର ଆଜ୍ଞା କାହିଁକି ପାଳନ ନ କଲ?” 44ରାଜା ଆହୁରି ଶିମୀୟିକୁ କହିଲେ, “ମୋହର ପିତା ଦାଉଦଙ୍କ ପ୍ରତି ତୁମ୍ଭର କୃତ ଯେସକଳ ଦୁଷ୍ଟତା ବିଷୟ ତୁମ୍ଭ ମନ ପ୍ରମାଣ ଦିଏ, ତାହା ତୁମ୍ଭେ ଜାଣୁଅଛ; ଏହେତୁ ସଦାପ୍ରଭୁ ତୁମ୍ଭ ଦୁଷ୍ଟତା ତୁମ୍ଭ ନିଜ ମସ୍ତକରେ ବର୍ତ୍ତାଇବେ। 45ମାତ୍ର, ଶଲୋମନ ରାଜା ଆଶୀର୍ବାଦ ପ୍ରାପ୍ତ ହେବ ଓ ସଦାପ୍ରଭୁଙ୍କ ସମ୍ମୁଖରେ ଦାଉଦଙ୍କ ସିଂହାସନ ଅନନ୍ତକାଳ ସ୍ଥିରୀକୃତ ହେବ।” 46ଏଉତ୍ତାରେ ରାଜା ଯିହୋୟାଦାର ପୁତ୍ର ବନାୟକୁ ଆଜ୍ଞା କରନ୍ତେ, ସେ ଯାଇ ତାହାକୁ ଆକ୍ରମଣ କଲା, ତହୁଁ ସେ ମଲା। ଏହିରୂପେ ଶଲୋମନଙ୍କ ହସ୍ତରେ ରାଜ୍ୟ ଦୃଢ଼ ହେଲା।


