ଆହାବଙ୍କୁ ଈଶ୍ୱରଙ୍କ ଅଭିଶାପ

17ଏଥିଉତ୍ତାରେ ତିଶ୍‍ବୀୟ ଏଲୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା, 18ଉଠ, ଶମରୀୟା-ନିବାସୀ ଇସ୍ରାଏଲର ରାଜା ଆହାବ ସଙ୍ଗେ ସାକ୍ଷାତ କରିବାକୁ ଯାଅ; ଦେଖ, ସେ ନାବୋତର ଦ୍ରାକ୍ଷାକ୍ଷେତ୍ରରେ ଅଛି, ସେ ତାହା ଅଧିକାରରେ ଆଣିବା ପାଇଁ ସେସ୍ଥାନକୁ ଯାଇଅଛି। 19ଏହେତୁ ତୁମ୍ଭେ ତାହାକୁ କହିବ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ବଧ କରିଅଛ ଓ ଅଧିକାର ମଧ୍ୟ ଆତ୍ମସାତ୍‍ କରିଅଛ?” ଆହୁରି ତୁମ୍ଭେ ତାହାକୁ କହିବ, “ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସ୍ଥାନରେ କୁକ୍କୁରମାନେ ନାବୋତର ରକ୍ତ ଚାଟି ଖାଇଲେ, ସେହି ସ୍ଥାନରେ କୁକ୍କୁରମାନେ ତୁମ୍ଭର ରକ୍ତ ମଧ୍ୟ ଚାଟି ଖାଇବେ।” 20ତହିଁରେ ଆହାବ ଏଲୀୟଙ୍କୁ କହିଲେ, “ହେ ମୋହର ଶତ୍ରୁ, ତୁମ୍ଭେ କʼଣ ମୋତେ ପାଇଲ?” ତହୁଁ ସେ ଉତ୍ତର କଲେ, “ମୁଁ ତୁମ୍ଭକୁ ପାଇଲି; ଯେହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ତୁମ୍ଭେ ଆପଣାକୁ ବିକ୍ରି କରିଅଛ। 21ଦେଖ, ମୁଁ ତୁମ୍ଭ ପ୍ରତି ଅମଙ୍ଗଳ ଘଟାଇବି ଓ ତୁମ୍ଭକୁ ନିଃଶେଷ ରୂପେ ବିନାଶ କରିବି, ପୁଣି, ଇସ୍ରାଏଲ ମଧ୍ୟରେ ବଦ୍ଧ ବା ମୁକ୍ତ ପ୍ରତ୍ୟେକ ପୁଂସନ୍ତାନକୁ ଆହାବଠାରୁ ଉଚ୍ଛିନ୍ନ କରିବି। 22ପୁଣି, ତୁମ୍ଭେ ଯେଉଁ ବିରକ୍ତିଜନକ କର୍ମ ଦ୍ୱାରା ମୋତେ ବିରକ୍ତ କରିଅଛ ଓ ଇସ୍ରାଏଲକୁ ପାପ କରାଇଅଛ, ତହିଁ ନିମନ୍ତେ ମୁଁ ତୁମ୍ଭ ବଂଶକୁ ନବାଟର ପୁତ୍ର ଯାରବୀୟାମର ବଂଶ ତୁଲ୍ୟ ଓ ଅହୀୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବି। 23ଆଉ ଈଷେବଲ୍‍ ବିଷୟରେ ମଧ୍ୟ ସଦାପ୍ରଭୁ କହୁଅଛନ୍ତି, ଯିଷ୍ରିୟେଲର ଗଡ଼-ପାଚେରୀ ନିକଟରେ କୁକ୍କୁରମାନେ ଈଷେବଲ୍‍କୁ ଖାଇବେ।” 24ଆହାବର ଯେଉଁ ଲୋକ ନଗରରେ ମରିବ, କୁକ୍କୁରମାନେ ତାହାକୁ ଖାଇବେ; ପୁଣି, ଯେଉଁ ଲୋକ କ୍ଷେତ୍ରରେ ମରିବ, ଆକାଶର ପକ୍ଷୀଗଣ ତାହାକୁ ଖାଇବେ। 25ଯେପରି ଏହି ଆହାବ ଆପଣା ଭାର୍ଯ୍ୟା ଈଷେବଲ୍‍ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ଆପଣାକୁ ବିକ୍ରୟ କଲେ, ସେପରି ଆଉ କେହି କରିବ ନାହିଁ। 26ସଦାପ୍ରଭୁ ଯେଉଁ ଇମୋରୀୟମାନଙ୍କୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଦୂର କରିଦେଲେ, ସେମାନଙ୍କ ସମସ୍ତ କ୍ରିୟାନୁସାରେ ସେ ପ୍ରତିମାଗଣର ଅନୁଗାମୀ ହୋଇ ଅତିଶୟ ଘୃଣାଯୋଗ୍ୟ କର୍ମ କଲେ। 27ଆହାବ ଏହିସବୁ କଥା ଶୁଣନ୍ତେ, ଆପଣା ବସ୍ତ୍ର ଚିରିଲେ ଓ ଆପଣା ଦେହରେ ଅଖା ପିନ୍ଧି ଉପବାସ କରି ଅଖାରେ ଶୋଇଲେ, ପୁଣି, ଧୀରେ ଧୀରେ ଚାଲିଲେ। 28ତହୁଁ ତିଶ୍‍ବୀୟ ଏଲୀୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା, 29ଆହାବ ଆମ୍ଭ ସାକ୍ଷାତରେ କିପରି ଆପଣାକୁ ନମ୍ର କରୁଅଛି, “ଏହା କି ତୁମ୍ଭେ ଦେଖୁଅଛ? ସେ ଆମ୍ଭ ସାକ୍ଷାତରେ ଆପଣାକୁ ନମ୍ର କରିବା ହେତୁ ଆମ୍ଭେ ତାହାର ସମୟରେ ସେହି ଅମଙ୍ଗଳ ଘଟାଇବା ନାହିଁ; ମାତ୍ର ତାହାର ପୁତ୍ରର ସମୟରେ ତାହାର ବଂଶ ପ୍ରତି ଏହି ଅମଙ୍ଗଳ ଘଟାଇବା।”