ଆହାବଙ୍କୁ ମୀଖାୟଙ୍କ ଚେତାବନୀ

1ଏଥିଉତ୍ତାରେ ଅରାମ ଓ ଇସ୍ରାଏଲ ଯୁଦ୍ଧ ନ କରି ତିନି ବର୍ଷ ପର୍ଯ୍ୟନ୍ତ କ୍ଷାନ୍ତ ରହିଲେ। 2ତହୁଁ ତୃତୀୟ ବର୍ଷରେ ଯିହୁଦାର ରାଜା ଯିହୋଶାଫଟ୍‍ ଇସ୍ରାଏଲର ରାଜାଙ୍କ ନିକଟକୁ ଆସିଲେ। 3ଏଥିରେ ଇସ୍ରାଏଲର ରାଜା ଆପଣା ଦାସମାନଙ୍କୁ କହିଲେ, “ରାମୋତ୍‍-ଗିଲୀୟଦ ଯେ ଆମ୍ଭମାନଙ୍କର ଅଟେ, ଏହା କʼଣ ତୁମ୍ଭେମାନେ ଜାଣ ନାହିଁ? ତଥାପି ଆମ୍ଭେମାନେ ନୀରବ ହୋଇ ରହି ଅରାମର ରାଜା ହସ୍ତରୁ ତାହା ନେଉ ନାହୁଁ।” 4ପୁଣି, ସେ ଯିହୋଶାଫଟ୍‍ଙ୍କୁ କହିଲେ, “ତୁମ୍ଭେ କʼଣ ଯୁଦ୍ଧ କରିବା ପାଇଁ ମୋʼ ସଙ୍ଗେ ରାମୋତ୍‍-ଗିଲୀୟଦକୁ ଯିବ?” ତହିଁରେ ଯିହୋଶାଫଟ୍‍ ଇସ୍ରାଏଲର ରାଜାଙ୍କୁ କହିଲେ; “ମୁଁ ତୁମ୍ଭ ପରି, ମୋର ଲୋକ ତୁମ୍ଭ ଲୋକ ପରି, ମୋର ଅଶ୍ୱ ତୁମ୍ଭ ଅଶ୍ୱ ପରି।”

5ଆହୁରି ଯିହୋଶାଫଟ୍‍ ଇସ୍ରାଏଲର ରାଜାଙ୍କୁ କହିଲେ, “ମୁଁ ବିନୟ କରୁଅଛି, ଆଜି ସଦାପ୍ରଭୁଙ୍କ ବାକ୍ୟ ପଚାର।” 6ତେବେ ଇସ୍ରାଏଲର ରାଜା ଭବିଷ୍ୟଦ୍‍ବକ୍ତାମାନଙ୍କର ଊଣାଧିକ ଚାରି ଶହ ଲୋକ ଏକତ୍ର କରି ସେମାନଙ୍କୁ ପଚାରିଲେ, “ମୁଁ ରାମୋତ୍‍-ଗିଲୀୟଦ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବି କି କ୍ଷାନ୍ତ ହେବି?” ତହୁଁ ସେମାନେ କହିଲେ, “ଯାଉନ୍ତୁ; କାରଣ ପ୍ରଭୁ ମହାରାଜାଙ୍କ ହସ୍ତରେ ତାହା ସମର୍ପଣ କରିବେ।” 7ମାତ୍ର ଯିହୋଶାଫଟ୍‍ କହିଲେ, “ଏମାନଙ୍କ ବ୍ୟତୀତ ଯାହାକୁ ଆମ୍ଭେମାନେ ପଚାରି ପାରୁ, ସଦାପ୍ରଭୁଙ୍କର ଏପରି ଭବିଷ୍ୟଦ୍‍ବକ୍ତା କି କେହି ଏଠାରେ ନାହିଁ?” 8ତହିଁରେ ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ଆଉ ଜଣେ ଅଛନ୍ତି, ଯାହା ଦ୍ୱାରା ଆମ୍ଭେମାନେ ସଦାପ୍ରଭୁଙ୍କୁ ପଚାରି ପାରୁ, ସେ ଇମ୍ଲର ପୁତ୍ର ମୀଖାୟ; ମାତ୍ର ମୁଁ ତାହାକୁ ଘୃଣା କରେ; କାରଣ ସେ ମୋʼ ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରେ ନାହିଁ।” ତହୁଁ ଯିହୋଶାଫଟ୍‍ କହିଲେ, “ରାଜା ଏପରି ନ କହନ୍ତୁ।” 9ସେତେବେଳେ ଇସ୍ରାଏଲର ରାଜା ଏକ ଅଧ୍ୟକ୍ଷଙ୍କୁ ଡାକି କହିଲେ, “ଇମ୍ଲର ପୁତ୍ର ମୀଖାୟକୁ ଶୀଘ୍ର ଆଣ।” 10ଏଥିମଧ୍ୟରେ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଯିହୋଶାଫଟ୍‍ ଆପଣାମାନଙ୍କ ରାଜବସ୍ତ୍ର ପିନ୍ଧି ଶମରୀୟାର ଦ୍ୱାର-ପ୍ରବେଶ ସ୍ଥାନ ନିକଟବର୍ତ୍ତୀ ମେଲାରେ ଆପଣା ଆପଣା ସିଂହାସନରେ ବସିଥିଲେ; ଆଉ ସେମାନଙ୍କ ସମ୍ମୁଖରେ ଭବିଷ୍ୟଦ୍‍ବକ୍ତା ସମସ୍ତେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରୁଥିଲେ। 11ଆଉ କନାନାର ପୁତ୍ର ସିଦିକୀୟ ଲୌହମୟ ଶୃଙ୍ଗମାନ ନିର୍ମାଣ କରି କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ଏତଦ୍ଦ୍ୱାରା ଆପଣ ଅରାମୀୟମାନଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଭୁସି ପକାଇବେ।” 12ତହିଁରେ ସବୁ ଭବିଷ୍ୟଦ୍‍ବକ୍ତା ତଦ୍ରୂପ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କହିଲେ, “ରାମୋତ୍‍-ଗିଲୀୟଦକୁ ଯାଇ କୃତକାର୍ଯ୍ୟ ହେଉନ୍ତୁ; କାରଣ ସଦାପ୍ରଭୁ ତାହା ମହାରାଜଙ୍କ ହସ୍ତରେ ସମର୍ପଣ କରିବେ।”

13ଯେଉଁ ଦୂତ ମୀଖାୟକୁ ଡାକିବାକୁ ଯାଇଥିଲା, ସେ ତାହାକୁ କହିଲା, “ଦେଖ, ଭବିଷ୍ୟଦ୍‍ବକ୍ତାମାନଙ୍କର ବାକ୍ୟ ଏକ ମୁଖରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଅଛି; ମୁଁ ବିନୟ କରୁଅଛି, ତୁମ୍ଭର ବାକ୍ୟ ସେମାନଙ୍କର ଜଣକର ବାକ୍ୟ ତୁଲ୍ୟ ହେଉ, ଆଉ ତୁମ୍ଭେ ମଙ୍ଗଳର କଥା କୁହ।” 14ତହୁଁ ମୀଖାୟ କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସଦାପ୍ରଭୁ ମୋତେ ଯାହା କହିବେ, ମୁଁ ତାହା ହିଁ କହିବି।” 15ଏଉତ୍ତାରେ ମୀଖାୟ ରାଜାଙ୍କ ନିକଟକୁ ଆସନ୍ତେ, ରାଜା ତାହାକୁ କହିଲେ, “ମୀଖାୟ, ଆମ୍ଭେମାନେ ଯୁଦ୍ଧ କରିବା ପାଇଁ ରାମୋତ୍‍-ଗିଲୀୟଦକୁ ଯିବା କି କ୍ଷାନ୍ତ ହେବା?” ତହିଁରେ ସେ ଉତ୍ତର କଲା, “ଯାଉନ୍ତୁ, କୃତକାର୍ଯ୍ୟ ହେଉନ୍ତୁ; ସଦାପ୍ରଭୁ ତାହା ମହାରାଜଙ୍କ ହସ୍ତରେ ସମର୍ପଣ କରିବେ।” 16ତହୁଁ ରାଜା ତାହାକୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ନାମରେ ସତ୍ୟ ବିନୁ ଆଉ କିଛି ମୋତେ ନ କୁହ ବୋଲି ମୁଁ କେତେ ଥର ତୁମ୍ଭକୁ ଶପଥ କରାଇବି?” 17ଏଥିରେ ସେ କହିଲା, “ମୁଁ ସମଗ୍ର ଇସ୍ରାଏଲକୁ ଅରକ୍ଷକ ମେଷପଲ ତୁଲ୍ୟ ପର୍ବତମାନରେ ଛିନ୍ନଭିନ୍ନ ଦେଖିଲି, ଆଉ ସଦାପ୍ରଭୁ କହିଲେ, ‘ଏମାନଙ୍କର କର୍ତ୍ତା ନାହିଁ; ଏମାନେ ପ୍ରତ୍ୟେକେ କୁଶଳରେ ଆପଣା ଆପଣା ଗୃହକୁ ଫେରି ଯାଉନ୍ତୁ।’” 18ତହୁଁ ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ଏ ଆମ୍ଭ ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବ ନାହିଁ ବୋଲି କି ମୁଁ ତୁମ୍ଭକୁ କହିଲି ନାହିଁ?” 19ପୁଣି, ମୀଖାୟ କହିଲା, “ଏହେତୁ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ମୁଁ ସଦାପ୍ରଭୁଙ୍କୁ ତାହାଙ୍କ ସିଂହାସନରେ ଉପବିଷ୍ଟ ଓ ତାହାଙ୍କ ଦକ୍ଷିଣ ଓ ବାମ ହସ୍ତରେ ତାହାଙ୍କ ନିକଟରେ ସ୍ୱର୍ଗୀୟ ସମୁଦାୟ ସୈନ୍ୟଙ୍କୁ ଉଭା ହେବାର ଦେଖିଲି। 20ତହିଁରେ ସଦାପ୍ରଭୁ କହିଲେ, ‘ଆହାବ ଯେପରି ରାମୋତ୍‍-ଗିଲୀୟଦକୁ ଯାଇ ପତିତ ହେବ, ଏଥିପାଇଁ କିଏ ତାହାକୁ ଫୁସଲାଇବ?’ ତହିଁରେ ଜଣେ ଏପ୍ରକାର, ଅନ୍ୟ ଜଣେ ସେପ୍ରକାର କହିଲେ। 21ତହିଁ ଉତ୍ତାରେ ଏକ ଆତ୍ମା ବାହାରି ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ କହିଲା, ‘ମୁଁ ତାହାକୁ ଫୁସଲାଇବି।’ 22ତହୁଁ ସଦାପ୍ରଭୁ ତାହାକୁ କହିଲେ, ‘କାହିଁରେ?’ ସେ କହିଲା, ‘ମୁଁ ଯାଇ ତାହାର ସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ହେବି।’ ତେବେ ସେ କହିଲେ, ‘ତୁମ୍ଭେ ତାହାକୁ ଫୁସଲାଇବ, ମଧ୍ୟ କୃତକାର୍ଯ୍ୟ ହେବ; ଯାଅ, ସେପରି କର।’ 23ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଏସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେଇଅଛନ୍ତି; ସଦାପ୍ରଭୁ ତୁମ୍ଭ ବିଷୟରେ ଅମଙ୍ଗଳର କଥା କହିଅଛନ୍ତି।”

24ସେତେବେଳେ କନାନାର ପୁତ୍ର ସିଦିକୀୟ ନିକଟକୁ ଆସି ମୀଖାୟର ଗାଲରେ ଚାପୁଡ଼ା ମାରି କହିଲା, “ସଦାପ୍ରଭୁଙ୍କ ଆତ୍ମା ତୋତେ କହିବା ପାଇଁ ମୋʼ ଠାରୁ କେଉଁ ବାଟେ ଗଲେ?” 25ତହିଁରେ ମୀଖାୟ କହିଲା, “ଦେଖ, ଯେଉଁ ଦିନ ତୁମ୍ଭେ ଆପଣାକୁ ଲୁଚାଇବା ପାଇଁ ଗୋଟିଏ ଭିତର କୋଠରିକି ଯିବ, ସେହି ଦିନ ତାହା ଜାଣିବ।” 26ପୁଣି, ଇସ୍ରାଏଲର ରାଜା କହିଲେ, “ମୀଖାୟକୁ ଧରି ନଗରାଧ୍ୟକ୍ଷ ଆମୋନ୍‍ର ଓ ରାଜପୁତ୍ର ଯୋୟାଶ୍‍ର ନିକଟକୁ ଫେରାଇ ନେଇଯାଅ; 27ପୁଣି, କୁହ, ‘ରାଜା ଏହି କଥା କହନ୍ତି, ଏଇଟାକୁ କାରାଗାରରେ ରଖ ଓ ମୁଁ କୁଶଳରେ ଫେରି ଆସିବା ପର୍ଯ୍ୟନ୍ତ ତାକୁ କେବଳ ଅଳ୍ପ ଅନ୍ନ ଓ ଅଳ୍ପ ଜଳ ଖୁଆଅ।’” 28ତହିଁରେ ମୀଖାୟ କହିଲା, “ଯଦି ତୁମ୍ଭେ କୁଶଳରେ ଫେରି ଆସ, ତେବେ ସଦାପ୍ରଭୁ ମୋʼ ଦ୍ୱାରା କହି ନାହାନ୍ତି।” ଆହୁରି ସେ କହିଲା, “ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ।”