ଯିହୁଦାର ରାଜା ଯିହୋଶାଫଟ୍
41ଇସ୍ରାଏଲର ରାଜା ଆହାବଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ଆସାଙ୍କର ପୁତ୍ର ଯିହୋଶାଫଟ୍ ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ। 42ରାଜ୍ୟ କରିବାର ଆରମ୍ଭରେ ଯିହୋଶାଫଟ୍ଙ୍କର ବୟସ ପଞ୍ଚତିରିଶ ବର୍ଷ ହୋଇଥିଲା ଓ ସେ ଯିରୂଶାଲମରେ ପଚିଶ ବର୍ଷ ରାଜ୍ୟ କଲେ। ତାଙ୍କର ମାତାର ନାମ ଅସୂବା, ସେ ଶିଲ୍ହିର କନ୍ୟା। 43ଯିହୋଶାଫଟ୍ ଆପଣା ପିତା ଆସାଙ୍କର ସମସ୍ତ ପଥରେ ଚାଲିଲେ; ସେ ତହିଁରୁ ବିମୁଖ ନ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା କଲେ; ତଥାପି ଉଚ୍ଚସ୍ଥଳୀମାନ ଉଚ୍ଛିନ୍ନ ନୋହିଲା; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ। 44ପୁଣି, ଯିହୋଶାଫଟ୍ ଇସ୍ରାଏଲର ରାଜାଙ୍କ ସଙ୍ଗେ ସନ୍ଧି ସ୍ଥାପନ କଲେ। 45ଏହି ଯିହୋଶାଫଟ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ପ୍ରକାଶିତ ପରାକ୍ରମ ଓ ସେ କି ପ୍ରକାର ଯୁଦ୍ଧ କଲେ, ତାହାସବୁ କʼଣ ଯିହୁଦାର ରାଜାମାନଙ୍କର ଇତିହାସ ପୁସ୍ତକରେ ଲେଖା ନାହିଁ? 46ତାଙ୍କର ପିତା ଆସାଙ୍କର ସମୟରେ ଯେଉଁ ସଦୋମୀମାନେ ଅବଶିଷ୍ଟ ରହିଥିଲେ, ସେମାନଙ୍କୁ ସେ ଦେଶରୁ ଦୂର କରିଦେଲେ।
47ସେହି ସମୟରେ ଇଦୋମରେ କେହି ରାଜା ନ ଥିଲା; ଜଣେ ପ୍ରତିନିଧି ରାଜ୍ୟ କଲା। 48ଯିହୋଶାଫଟ୍ ସୁନା ପାଇଁ ଓଫୀରକୁ ଯିବା ସକାଶେ ତର୍ଶୀଶର ଜାହାଜମାନ ନିର୍ମାଣ କଲେ; ମାତ୍ର ତାହାସବୁ ଗଲା ନାହିଁ; କାରଣ ଇତ୍ସିୟୋନ-ଗେବରରେ ଜାହାଜମାନ ଭାଙ୍ଗିଗଲା। 49ତେବେ ଆହାବଙ୍କର ପୁତ୍ର ଅହସୀୟ ଯିହୋଶାଫଟ୍ଙ୍କୁ କହିଲେ, “ମୋʼ ଦାସମାନେ ତୁମ୍ଭ ଦାସମାନଙ୍କ ସଙ୍ଗେ ଜାହାଜରେ ଯାଉନ୍ତୁ।” ମାତ୍ର ଯିହୋଶାଫଟ୍ ସମ୍ମତ ହେଲେ ନାହିଁ। 50ଏଥିଉତ୍ତାରେ ଯିହୋଶାଫଟ୍ ଆପଣା ପିତୃଗଣ ସହିତ ଶୟନ କରି ଆପଣା ପୂର୍ବପୁରୁଷ ଦାଉଦଙ୍କର ନଗରରେ ଆପଣା ପିତୃଲୋକଙ୍କ ସହିତ କବରପ୍ରାପ୍ତ ହେଲେ; ତହୁଁ ତାଙ୍କର ପୁତ୍ର ଯିହୋରାମ୍ ତାଙ୍କର ପଦରେ ରାଜ୍ୟ କଲେ।


