ଶଲୋମନଙ୍କ ବିଚାର

16ସେହି ସମୟରେ ଦୁଇ ବେଶ୍ୟା ସ୍ତ୍ରୀ ରାଜାଙ୍କ ନିକଟକୁ ଆସି ତାଙ୍କର ସମ୍ମୁଖରେ ଠିଆ ହେଲେ। 17ପୁଣି, ଏକ ସ୍ତ୍ରୀ କହିଲା, “ହେ ମୋହର ପ୍ରଭୋ, ମୁଁ ଓ ଏହି ସ୍ତ୍ରୀ ଏକ ଘରେ ବାସ କରୁ; ଆଉ, ମୁଁ ସେହି ଗୃହରେ ତାହା ସଙ୍ଗେ ଥାଇ ଏକ ସନ୍ତାନ ପ୍ରସବ କଲି। 18ପୁଣି, ମୋହର ପ୍ରସବର ତୃତୀୟ ଦିନରେ ଏହି ସ୍ତ୍ରୀ ମଧ୍ୟ ପ୍ରସବ କଲା ଓ ଆମ୍ଭେ ଦୁହେଁ ଏକତ୍ର ଥିଲୁ, ସେହି ଘରେ ଆମ୍ଭ ଦୁହିଁଙ୍କ ଛଡ଼ା ଅନ୍ୟ କୌଣସି ବାହାର ଲୋକ ନ ଥିଲା। 19ଆଉ ଏହି ସ୍ତ୍ରୀ ଆପଣା ପିଲା ଉପରେ ଲଦି ହୋଇ ଶୋଇବାରୁ ତାହାର ପିଲା ରାତ୍ରିରେ ମରିଗଲା। 20ଏଣୁ ସେ ମଧ୍ୟରାତ୍ରରେ ଉଠି ଆପଣଙ୍କ ଦାସୀ ନିଦ୍ରିତା ଥିବା ବେଳେ ମୋʼ ପାଖରୁ ମୋହର ପୁତ୍ରକୁ ନେଇ ଆପଣା କୋଳରେ ଶୁଆଇଲା ଓ ତାହାର ମଲା ପିଲାକୁ ମୋʼ କୋଳରେ ଶୁଆଇ ଦେଲା। 21ତହୁଁ ମୁଁ ସକାଳେ ଆପଣା ପିଲାକୁ ସ୍ତନ୍ୟପାନ କରାଇବା ପାଇଁ ଉଠାନ୍ତେ, ଦେଖ, ସେ ମରିଯାଇଅଛି; ମାତ୍ର, ସକାଳେ ମୁଁ ଭଲ କରି ପରଖ କରନ୍ତେ, ଦେଖ, ଏ ତ ମୋହର ଜନ୍ମ କଲା ପୁତ୍ର ନୁହେଁ।” 22ତହୁଁ ସେ ଅନ୍ୟ ସ୍ତ୍ରୀ କହିଲା, “ନା, ମାତ୍ର ଜୀଅନ୍ତାଟି ମୋହର ପୁଅ ଓ ମଲାଟି ତୁମ୍ଭର ପୁଅ।” ଆଉ, ଏ ସ୍ତ୍ରୀ କହିଲା, “ନା; ମଲାଟି ତୁମ୍ଭର ପୁଅ ଓ ଜୀଅନ୍ତାଟି ମୋହର ପୁଅ।” ଏହିରୂପେ ସେମାନେ ରାଜାଙ୍କ ଛାମୁରେ ଗୁହାରି କଲେ।

23ତେବେ ରାଜା କହିଲେ, “ଜଣେ କହୁଛି, ‘ଜୀଅନ୍ତାଟି ମୋହର ପୁଅ ଓ ମଲାଟି ତୁମ୍ଭର ପୁଅ; ପୁଣି, ଅନ୍ୟ ଜଣ କହୁଛି, ନା; ମାତ୍ର, ମଲାଟି ତୁମ୍ଭର ପୁଅ ଓ ଜୀଅନ୍ତାଟି ମୋହର ପୁଅ।’” 24ଏଥିରେ ରାଜା କହିଲେ, “ମୋହର ନିକଟକୁ ଗୋଟିଏ ଖଣ୍ଡା ଆଣ।” ତହୁଁ ସେମାନେ ରାଜାଙ୍କ ଛାମୁକୁ ଖଣ୍ଡା ଆଣିଲେ। 25ତହିଁରେ ରାଜା କହିଲେ, “ଏହି ଜୀଅନ୍ତା ପିଲାକୁ ଦୁଇ ଖଣ୍ଡ କରି ଜଣକୁ ଅଧେ ଓ ଅନ୍ୟ ଜଣକୁ ଅଧେ ଦିଅ।” 26ଏଥିରେ ଯେଉଁ ସ୍ତ୍ରୀର ପିଲା ଜୀବିତ ଥିଲା, ତାହାର ଅନ୍ତଃକରଣ ଆପଣା ପୁତ୍ର ପ୍ରତି ସ୍ନେହରେ ଉତ୍ତପ୍ତ ହେଲା, ଏଣୁ ସେ ରାଜାଙ୍କୁ କହିଲା, “ହେ ମୋହର ପ୍ରଭୋ, ଜୀଅନ୍ତା ପିଲାଟି ତାକୁ ଦେଉନ୍ତୁ, କୌଣସିମତେ ତାକୁ ବଧ ନ କରନ୍ତୁ।” ମାତ୍ର, ଅନ୍ୟ ସ୍ତ୍ରୀ କହିଲା, “ସେ ମୋହର ନ ହେଉ କି ତୁମ୍ଭର ନ ହେଉ; ତାକୁ ଦୁଇ ଖଣ୍ଡ କର।” 27ସେତେବେଳେ ରାଜା ଉତ୍ତର କରି କହିଲେ, “ଏହାକୁ ଜୀବିତ ବାଳକଟି ଦିଅ, କୌଣସିମତେ ବଧ ନ କର; ସେ ତ ତାହାର ମାତା।” 28ଆଉ ସମଗ୍ର ଇସ୍ରାଏଲ ରାଜାଙ୍କର ଏହି ବିଚାରର ନିଷ୍ପତ୍ତି ବିଷୟ ଶୁଣି ରାଜାଙ୍କୁ ଭୟ କଲେ; କାରଣ, ସେମାନେ ଦେଖିଲେ ଯେ, ବିଚାର କରିବା ନିମନ୍ତେ ତାଙ୍କର ଅନ୍ତରରେ ପରମେଶ୍ୱର ଦତ୍ତ ଜ୍ଞାନ ଅଛି।