ଶଲୋମନଙ୍କ ଅଧିକାରୀଗଣ

1ଏହିରୂପେ ଶଲୋମନ ରାଜା ସମଗ୍ର ଇସ୍ରାଏଲ ଉପରେ ରାଜା ହେଲେ। 2ଏମାନେ ତାଙ୍କର ଅଧିପତି ଥିଲେ, ଯଥା, ସାଦୋକର ପୁତ୍ର ଅସରୀୟ ଯାଜକ ଥିଲେ। 3ଶୀଶାର ପୁତ୍ର ଇଲୀହୋରଫ ଓ ଅହୀୟ ସମ୍ପାଦକ; ଅହୀଲୂଦର ପୁତ୍ର ଯିହୋଶାଫଟ୍‍ ଇତିହାସ ଲେଖକ 4ଓ ଯିହୋୟାଦାର ପୁତ୍ର ବନାୟ ସେନାପତି ଥିଲା; ପୁଣି, ସାଦୋକ ଓ ଅବୀୟାଥର ଯାଜକ ଥିଲେ; 5ନାଥନର ପୁତ୍ର ଅସରୀୟ ଦେଶାଧ୍ୟକ୍ଷମାନଙ୍କର ପ୍ରଧାନ ଥିଲା ଓ ନାଥନର ପୁତ୍ର ସାବୁଦ୍‍ ଯାଜକ ଓ ରାଜାଙ୍କ ମିତ୍ର ଥିଲା। 6ପୁଣି, ଅହୀଶାର୍‍ ଗୃହାଧ୍ୟକ୍ଷ ଥିଲା ଓ ଅବ୍‍ଦର ପୁତ୍ର ଅଦୋନୀରାମ୍‍ ବେଠିକର୍ମର ଅଧ୍ୟକ୍ଷ ଥିଲା।

7ଆଉ ସମଗ୍ର ଇସ୍ରାଏଲ ଉପରେ ଶଲୋମନଙ୍କର ବାର ଜଣ ଦେଶାଧ୍ୟକ୍ଷ ଥିଲେ, ସେମାନେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇଲେ; ପ୍ରତି ଜଣ ବର୍ଷ ମଧ୍ୟରେ ଏକ ଏକ ମାସ ପାଇଁ ଦ୍ରବ୍ୟ ଯୋଗାଇଲେ। 8ଆଉ ସେମାନଙ୍କର ନାମ ଏହି; ଇଫ୍ରୟିମର ପର୍ବତମୟ ଦେଶରେ ବିନ୍‍-ହୂର। 9ମାକସ୍‍, ଶାଲବୀମ୍‍, ବେଥ୍-ଶେମଶ ଓ ଏଲୋନ-ବେଥ୍-ହାନନ୍‍ରେ ବିନ୍‍-ଦେକର; 10ଅରୁବୋତରେ ବିନ୍‍-ହେଷଦ୍‍; ସୋଖୋ ଓ ସମୁଦାୟ ହେଫର ପ୍ରଦେଶ ତାହାର ଅଧୀନ ଥିଲା; 11ସମୁଦାୟ ଦୋର ଉପପର୍ବତରେ ବିନ୍‍-ଅବୀନାଦବ୍‍; ତାହାର ଭାର୍ଯ୍ୟା ଶଲୋମନଙ୍କର କନ୍ୟା ଟାଫତ୍‍ ଥିଲା। 12ତାନକ୍‍, ମଗିଦ୍ଦୋ, ବେଥ୍-ଶାନ୍‍ ଠାରୁ ଆବେଲ୍‍-ମହୋଲା ଓ ଯକମୀୟାମ୍‍ ପାରି ପର୍ଯ୍ୟନ୍ତ ସର୍ତ୍ତନ ନିକଟବର୍ତ୍ତୀ ଯିଷ୍ରିୟେଲ ତଳେ ଥିବା ସମଗ୍ର ବେଥ୍-ଶାନରେ ଅହୀଲୂଦର ପୁତ୍ର ବାନା। 13ରାମୋତ୍‍-ଗିଲୀୟଦରେ ବିନ୍‍-ଗେବର; ମନଃଶିର ପୁତ୍ର ଯାୟୀରର ଗିଲୀୟଦସ୍ଥିତ ସମସ୍ତ ଗ୍ରାମ ତାହାର ଅଧୀନ ଥିଲା, ଅର୍ଥାତ୍‍ ବାଶନସ୍ଥ ଅର୍ଗୋବ-ଅଞ୍ଚଳରେ ଥିବା ପ୍ରାଚୀର-ବେଷ୍ଟିତ ଓ ପିତ୍ତଳ ଅର୍ଗଳବିଶିଷ୍ଟ ଷାଠିଏ ବୃହତ ନଗର ତାହାର ଅଧୀନ ଥିଲା; 14ମହନୟିମରେ ଇଦ୍ଦୋର ପୁତ୍ର ଅହୀନାଦବ୍‍। 15ନପ୍ତାଲିରେ ଅହୀମାସ୍‍; ସେ ଶଲୋମନଙ୍କର କନ୍ୟା ବାସମତ୍‍କୁ ବିବାହ କରିଥିଲା। 16ଆଶେର ଓ ବାଲୋତ୍‍ରେ ହୂଶୟର ପୁତ୍ର ବାନା। 17ଇଷାଖରରେ ପାରୁହର ପୁତ୍ର ଯିହୋଶାଫଟ୍‍; 18ବିନ୍ୟାମୀନ୍‍ରେ ଏଲାର ପୁତ୍ର ଶିମୀୟି; 19ଇମୋରୀୟମାନଙ୍କ ରାଜା ସୀହୋନର ଓ ବାଶନର ରାଜା ଓଗ୍‍ର ଗିଲୀୟଦ ଦେଶରେ ଊରିର ପୁତ୍ର ଗେବର; ସେ ଦେଶରେ ସେ ଏକମାତ୍ର ଦେଶାଧ୍ୟକ୍ଷ ଥିଲା।