ଖ୍ରୀଷ୍ଟିୟାନ ଭାବରେ କ୍ଳେଶଭୋଗର ସମ୍ମୁଖୀନ
12ହେ ପ୍ରିୟମାନେ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖଭୋଗରୂପ ଅଗ୍ନି ଉପସ୍ଥିତ ହୋଇଅଛି, ତାହା ଅଦ୍ଭୁତ ଘଟଣା ବୋଲି ମନେ କରି ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ; 13ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ମହାନନ୍ଦରେ ଆନନ୍ଦିତ ହେବ। 14ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ, ତାହାହେଲେ ତୁମ୍ଭେମାନେ ଧନ୍ୟ, କାରଣ ଗୌରବମୟ ଆତ୍ମା, ଅର୍ଥାତ୍, ଈଶ୍ବରଙ୍କ ଆତ୍ମା, ତୁମ୍ଭମାନଙ୍କଠାରେ ଅଧିଷ୍ଠାନ କରୁଅଛନ୍ତି। 15ଏଣୁ ତୁମ୍ଭମାନଙ୍କ ମଧ୍ୟରୁ କେହି ହତ୍ୟାକାରୀ କି ଚୋର, କି ଦୂରାଚାରୀ, କି ଅନଧିକାର ଚର୍ଚ୍ଚାକାରୀ ହୋଇ ଦଣ୍ଡ ଭୋଗ ନ କରୁ; 16କିନ୍ତୁ କେହି ଯଦି ଖ୍ରୀଷ୍ଟିୟାନ ହେବାରୁ ଦଣ୍ଡ ଭୋଗ କରେ, ତାହାହେଲେ ସେ ଲଜ୍ଜା ବୋଧ ନ କରୁ, ବରଂ ଏହି ନାମ ହେତୁରୁ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ। 17କାରଣ, ଈଶ୍ବରଙ୍କ ଗୃହଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ; ଆଉ ଯଦି ପ୍ରଥମରେ ଆମ୍ଭମାନଙ୍କଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ବରଙ୍କ ସୁସମାଚାରର ଅନାଜ୍ଞାବହ, ସେମାନଙ୍କର ଶେଷ ଦଶା ଅବା କଅଣ ନ ହେବ! 18ପୁଣି,
“ଧାର୍ମିକ ବ୍ୟକ୍ତି ଯଦି କଷ୍ଟରେ ପରିତ୍ରାଣ ପାଏ,
ତେବେ ଅଧାର୍ମିକ ଓ ପାପୀ ଲୋକ କେଉଁଠାରେ ମୁହଁ ଦେଖାଇବ?”
19ଅତଏବ, ଯେଉଁମାନେ ଈଶ୍ବରଙ୍କ ଇଚ୍ଛାମତେ ଦୁଃଖଭୋଗ କରନ୍ତି, ସେମାନେ ବିଶ୍ୱସ୍ତ ସୃଷ୍ଟିକର୍ତ୍ତାଙ୍କର ହସ୍ତରେ ଆପଣା ଆପଣା ଆତ୍ମାକୁ ସମର୍ପଣ କରି ସତ୍କର୍ମରେ ନିବିଷ୍ଟ ରହନ୍ତୁ।


