ଖ୍ରୀଷ୍ଟ ଆମର ଆଦର୍ଶ

18ହେ ଦାସମାନେ, ତୁମ୍ଭେମାନେ ଭୟ ସହକାରେ ଆପଣା ଆପଣା କର୍ତ୍ତାଙ୍କର ବଶୀଭୂତ ହୁଅ, କେବଳ ଉତ୍ତମ ଓ ଦୟାଳୁ କର୍ତ୍ତାମାନଙ୍କର ନୁହେଁ, ମାତ୍ର ନିର୍ଦ୍ଦୟମାନଙ୍କର ମଧ୍ୟ ବଶୀଭୂତ ହୁଅ। 19କାରଣ କେହି ଯେବେ ଈଶ୍ବରଙ୍କୁ ବିଶ୍ୱାସ କରିବାରୁ ଅନ୍ୟାୟରେ ଦୁଃଖଭୋଗ କରି କଷ୍ଟ ସହ୍ୟ କରେ, ତେବେ ତାହା ପ୍ରଶଂସାର ବିଷୟ। 20ଯେଣୁ ତୁମ୍ଭେମାନେ ଆପଣା ଆପଣା ଦୋଷ ହେତୁ ଯଦି ପ୍ରହାର ସହ୍ୟ କର, ତେବେ ସେଥିରେ ଅବା କଅଣ ସୁଖ୍ୟାତି? କିନ୍ତୁ ଯଦି ସତ୍କର୍ମ କରି ଦୁଃଖ ସହ୍ୟ କର, ତେବେ ତାହା ଈଶ୍ବରଙ୍କ ନିକଟରେ ପ୍ରଶଂସାର ବିଷୟ। 21ଏଥିନିମନ୍ତେ ହିଁ ତୁମ୍ଭେମାନେ ଆହୂତ ହୋଇଅଛ, କାରଣ ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କର, ସେଥିପାଇଁ ସେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ଦୁଃଖଭୋଗ କରି ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଦେଇ ଯାଇଅଛନ୍ତି;

22“ସେ କୌଣସି ପାପ କଲେ ନାହିଁ,

କିଅବା ତାହାଙ୍କ ମୁଖରେ କୌଣସି ଛଳକଥା ନ ଥିଲା।”

23ସେ ନିନ୍ଦା ପାଇବା ବଦଳରେ ଫେରି ନିନ୍ଦା କଲେ ନାହିଁ; ଦୁଃଖଭୋଗ ସହ୍ୟ କରିବା ବଦଳରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ, କିନ୍ତୁ ନ୍ୟାୟବିଚାରକର୍ତ୍ତା ଈଶ୍ବରଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ; 24ଆମ୍ଭେମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନଯାପନ କରୁ, ଏଥିନିମନ୍ତେ ସେ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମ୍ଭମାନଙ୍କର ସମସ୍ତ ପାପ ବହନ କଲେ; ତାହାଙ୍କ ପ୍ରହାରରେ ତୁମ୍ଭେମାନେ ସୁସ୍ଥ ହୋଇଅଛ। 25କାରଣ ତୁମ୍ଭେମାନେ ମେଷ ତୁଲ୍ୟ ବିପଥଗାମୀ ହୋଇଥିଲ, କିନ୍ତୁ ଏବେ ତୁମ୍ଭମାନଙ୍କ ଆତ୍ମାର ପାଳକ ଓ ଅଧ୍ୟକ୍ଷଙ୍କ ନିକଟକୁ ବାହୁଡ଼ି ଆସିଅଛ।